ଓମିକ୍ରନ ବିରୋଧରେ କେତେ ପ୍ରଭାବଶାଳୀ କୋଭିସିଲ୍ଡ ? ସ୍ପଷ୍ଟ କଲେ ଅଦର ପୁନାଓ୍ଵାଲା

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦।୧୧: କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ବିରୋଧରେ କୋଭିସିଲ୍ଡ କେତେ ପ୍ରଭାବଶାଳୀ ? ଏହାର ଉତ୍ତର ଆଗାମୀ କିଛି ସପ୍ତାହରେ ମିଳିଯିବ  ବୋଲି ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା କହିଛନ୍ତି। ସେ କହିଛନ୍ତି, ଏବେଠୁ ସ୍ପଷ୍ଟ ଭାବେ କୁହାଯାଇ ପାରିବ ନାହିଁ ଯେ, ଓମିକ୍ରନ କେତେ ସଂକ୍ରାମକ ? ଓମିକ୍ରନକୁ ଧ୍ୟାନରେ ରଖି ବୁଷ୍ଟର ଡୋଜ୍ ଶୀଘ୍ର ପ୍ରସ୍ତୁତ ହୋଇ ପାରିବ। ତେବେ ତାଙ୍କ କହିବା କଥା ବର୍ତ୍ତମାନ ସରକାରଙ୍କ ଲକ୍ଷ୍ୟ ଶହେ ପ୍ରତିଶତ କରୋନା ଟିକାକରଣ ଉପରେ ରହିଛି।

ଲାସେଣ୍ଟର ଅଧ୍ୟୟନ ଅନୁଯାୟୀ, କୋଭିସିଲ୍ଡ ଡେଲ୍‌ଟା ଭାରିଏଣ୍ଟର ପ୍ରକୋପ ସମୟରେ ମଧ୍ୟ ଭାଇରସ୍‌ର ମୁକାବିଲାରେ ପ୍ରଭାବଶାଳୀ  ରହିଥିଲା। ଏଥିରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା କିଛି ମାତ୍ରାରେ ହ୍ରାସ ଘଟିଥିଲା। ଏନଡିଟିଭି ସହ ଆଲୋଚନା ବେଳେ ପୁନାଓ୍ଵାଲା କହିଛନ୍ତି, କୋଭିସିଲ୍ଡର ଓମିକ୍ରନ ଉପରେ ପ୍ରଭାବକୁ ନେଇ ଅକ୍ସଫୋର୍ଡର  ବୈଜ୍ଞାନିକ ଅଧ୍ୟୟନ କରୁଛନ୍ତି। ଆମକୁ ବାସ୍ ଆଉ କିଛି ସପ୍ତାହ ଅପେକ୍ଷା କରିବାକୁ ପଡିବ। ଓମିକ୍ରନକୁ ନେଇ ବିସ୍ତୃତ ତଥ୍ୟ ମିଳିବା ପରେ ସେହି ଆଧାରରେ ଆମେ ନୂତନ ଭ୍ୟାକ୍ସିନ ନେଇକି ଆସି ପାରୁ। ଆଗାମୀ ଛଅ ମାସରେ ବୁଷ୍ଟର ଡୋଜ୍ ମଧ୍ୟ ପ୍ରସ୍ତୁତ ହୋଇପାରେ ବୋଲି ପୁନାଓ୍ଵାଲା କହିଛନ୍ତି।

ସେ କହିଛନ୍ତି, ଆମ ପାଖରେ ବର୍ତ୍ତମାନ ଲକ୍ଷାଧିକ ଭ୍ୟାକ୍ସିନର ଡୋଜ୍ ମହଜୁଦ ରହିଛି। ଆମେ ୨୦ କୋଟି ଭ୍ୟାକ୍ସିନ ଡୋଜ୍ ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟ ପାଇଁ ସୁରକ୍ଷିତ ରଖିଛୁ। ଯଦି ସରକାର ବୁଷ୍ଟର ଡୋଜ୍ ଘୋଷଣା କରନ୍ତି ତେବେ ଆମେ ପର୍ଯ୍ୟାପ୍ତ ଯୋଗାଇ ଦେବାକୁ ସକ୍ଷମ। ଆମ ପାଖରେ କୋଭାଭ୍ୟାକ୍ସର ମଧ୍ୟ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି। ଏହା କୋଭିଡ୍-୧୯ ବିରୋଧରେ ନୂତନ ସ୍ଵଦେଶୀ ଭ୍ୟାକ୍ସିନ। ଏହାକୁ ଆଗାମୀ କିଛି ସପ୍ତାହରେ ମଞ୍ଜୁରୀ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.