ଫାଶୀକୁ ଯିବାର ଘଣ୍ଟେ ପୂର୍ବରୁ ଦୋଷୀଙ୍କୁ ନିଦରୁ ଉଠାଯାଏ, ଅନ୍ୟ କଏଦୀ ଉଠିବା ପୂର୍ବରୁ କାର୍ଯ୍ୟକାରୀ ହୁଏ ଫାଶୀଦଣ୍ଡ

Published By : Prameya-News7 Bureau | January 13, 2020 IST

ବାଲେଶ୍ବର ୧୩।୦୧: ଦେଶ ସ୍ବାଧୀନ ହେବା ପରେ ଓଡିଶାରେ ଜଣେ ମାତ୍ର ଦୋଷୀକୁ  ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ୧୯୯୪ ମସିହା ଜୁଲାଇ ୧୬ ତାରିଖ ଦିନ ଲକ୍ଷ୍ମଣ ନାଏକ ନାମକ ଜଣେ ଦୋଷୀକୁ ନିଜ ସଂପର୍କୀୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡା ଦିଆଯାଇଥିଲା । ବ୍ରହ୍ମପୁର ଜେଲ୍‌ରେ ଏହି ଫାଶୀ ଦଣ୍ଡ କାର୍ଯ୍ୟକାରୀ ହୋଇଥିଲା । ସେତେବେଳେ ବ୍ରହ୍ମପୁର ଜେଲ୍‌ର ଅଧିକ୍ଷକ ଥିଲେ ରାମଚନ୍ଦ୍ର ନାଏକ । ଫାଶୀ ଦଣ୍ଡ ପାଇଥିବା ଦୋଷୀ ଓ ଫାଶୀ ଦଣ୍ଡର କାର୍ଯ୍ୟକାରିତା , ପଦ୍ଧତି ଏବଂ ସେହି ଘଟଣାକ୍ରମ ସଂପର୍କରେ ଏବେ ବଖାଣିଛନ୍ତି ତତ୍‌କାଳୀନ ବ୍ରହ୍ମପୁର ଜେଲ୍‌ ଅଧିକ୍ଷକ ରାମଚନ୍ଦ୍ର ନାଏକ । ନ୍ୟୁଜ ସେଭେନ୍‌ର ବାଲେଶ୍ବର ପ୍ରତିନିଧି ସର୍ବେଶ୍ବର ନାଥଙ୍କ ପ୍ରଶ୍ନର ଉତ୍ତର ଦେଇ ଅଭିଜ୍ଞତା ବଖାଣିଛନ୍ତି ଅବସରପ୍ରାପ୍ତ ଜେଲ୍‌ ଅଧିକ୍ଷକ ରାମଚନ୍ଦ୍ର ନାଏକ ।  

ମୟୁରଭଞ୍ଜ ଜିଲ୍ଲାର ଲକ୍ଷ୍ମଣ ନାଏକ ନିଶାସକ୍ତ ଅବସ୍ଥାରେ ନିଜ ସଂପର୍କୀୟ ନାବାଳିକା ଝିଆରୀକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ସେହି ମାମଲାରେ ମୟୁରଭଞ୍ଚ ଜିଲ୍ଲା କୋର୍ଟ ଲକ୍ଷ୍ମଣ ନାଏକକୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡା ନିର୍ଦ୍ଦେଶ ଦେଇଥିଲେ । ପରେ ଦୋଷୀ ଲକ୍ଷ୍ମଣ ନାଏକ ସେହି ନିର୍ଦ୍ଦେଶକୁ  ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ । କିନ୍ତୁ ଉଭୟ କୋର୍ଟରେ ତାଙ୍କର ଆବେଦନ ଖାରଜ ହୋଇଯାଇଥିଲା । ଲକ୍ଷ୍ମଣ ନାଏକ ଶେଷରେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ । କିନ୍ତୁ ରାଷ୍ଟ୍ରପତି ମଧ୍ୟ ତାହାକୁ ନାକଚ କରିଦେଇଥିଲା ।

୧୯୯୦ ମସିହାରେ ଲକ୍ଷ୍ମଣ ନାଏକକୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଫାଶୀ ଦେବା ପାଇଁ ୪ବର୍ଷ ସମୟ ଲାଗିଯାଇଥିଲା । ଶେଷରେ ୧୯୯୪ ମସିହା ଜୁଲାଇ ୧୬ ତାରିଖ ବ୍ରହ୍ମପୁର ଜେଲ୍‌ରେ ଲକ୍ଷ୍ମଣ ନାଏକକୁ ଫାଶୀ ଦିଆଯାଇଥିଲା ।

ତେବେ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବା ପୂର୍ବରୁ ଦୋଷୀ ଓ ଘଟଣା ପରିସ୍ଥିତି ନେଇ ଅନେକ ଆଲୋଚନା ହୁଏ ।

ଫାଶୀ ଦଣ୍ଡାଦେଶ ଶୁଣାଯିବା ଦିନ ଠାରୁ ଦୋଷୀଙ୍କୁ କଡା ନଜର ଭିତରେ ରଖିଥାଏ ଜେଲ୍‌ ପ୍ରଶାସନ। ଜେଲ୍‌ର ଏକ ସ୍ବତନ୍ତ୍ର କୋଠରୀରେ ଫାଶୀ ପାଇବାକୁ ଥିବା ଦୋଷୀକୁ ରଖାଯାଏ । ଫାଶୀ ଦଣ୍ଡାଦେଶ ପୂର୍ବରୁ ଯେପରି ଦୋଷୀର ମାନସିକ ସ୍ଥିର ନବିଗିଡେ , ସେଥିପାଇଁ ତାଙ୍କୁ ଏକ ସ୍ବତନ୍ତ୍ର କୋଠରୀରେ  ଓ କଡା ପହରା ମଧ୍ୟ ରଖାଯାଏ ।  ଫାଶୀ ଦଣ୍ଡାଦେଶ ପାଇବାକୁ ଥିବା ଦୋଷୀ କାଳେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିବ, ସେଥିପାଇଁ ମଧ୍ୟ କଡା ନଜରରେ ରଖାଯାଇଥାଏ । ଓଡିଶାରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫାଶୀ ପାଇଥିବା ଲକ୍ଷ୍ମଣକୁ ମଧ୍ୟ ଏହିପରି କଡା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଥିଲା । ଲକ୍ଷ୍ମଣ ଫାଶୀ ଦଣ୍ଡ ଶୁଣି ମାନସିକ ସ୍ତରରେ ଭାଙ୍ଗିପଡିଥିଲେ ଓ ବିଚଳିତ ରହୁଥିଲେ । ଯେତେବେଳେ ଜେଲ୍‌ ପ୍ରଶାସନ ପକ୍ଷରୁ ତାଙ୍କୁ ତାଙ୍କର ଶେଷ ଇଚ୍ଛା ପଚରାଯାଇଥିଲା,  ସେ ପରିବାରଲୋକଙ୍କ ସହିତ ସାକ୍ଷାତ କରିବା ତାର ଶେଷ ଇଚ୍ଛା ବୋଲି କହିଥିଲା । । ଜେଲ୍‌ ପ୍ରଶାସନ ମଧ୍ୟ ତାର ପରିବାରକୁ ଏଥିପାଇଁ ଖବର ଦେଇ , ଲକ୍ଷ୍ମଣର ଶେଷ ଇଚ୍ଛା ସଂପର୍କରେ ଜଣାଇଥିଲେ ।  ତେବେ ପରିବାରଲୋକେ ଲକ୍ଷ୍ମଣ ସହିତ ସାକ୍ଷାତ କରିଥିଲେ ମଧ୍ୟ ତାଙ୍କ ମୃତଦେହ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ପରିବାରଲୋକେ ମୃତଦେହ ନନେବାରୁ ଜେଲ୍‌ ପ୍ରଶାସନର ନିୟମ ଅନୁସାରେ ଲକ୍ଷ୍ମଣର ମୃତଦେହକୁ ଜେଲ୍‌ ପରିସର ମଧ୍ୟରେ ସତ୍କାର କରାଯାଇଥିଲା ।

 ଜେଲ୍‌ ନିୟମ ଅନୁଯାୟୀ ଯେଉଁ ଦିନ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦିଆଯାଏ, ଫାଶୀକୁ ଯିବାର ଘଣ୍ଟେ ପୂର୍ବରୁ ଦୋଷୀଙ୍କୁ ନିଦରୁ ଉଠାଯାଏ, ଜେଲରେ ଥିବା ସମସ୍ତ କଏଦୀଙ୍କ ନିଦ ଭାଙ୍ଗିବା  ପୂର୍ବରୁ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଏ। ଫାଶୀ ଦେବା ପୂର୍ବରୁ ଦୋଷୀକୁ ଫାଶୀଗୃହକୁ ନେବା ପର୍ଯ୍ୟନ୍ତ ମୁହଁରେ କଳାକନା ପୂରାଇ ନିଆଯାଇଥାଏ । ଫାଶୀ ଦଣ୍ଡଦେଶର ସ୍ଥାନ ଓ ବ୍ୟବହୃତ ସାମଗ୍ରୀ ଦେଖି କାଳେ ଦୋଷୀ ମାନସିକ ଭାରସାମ୍ୟ ହରାଇବା କିମ୍ବା ଅଘଟଣ ଘଟିବ, ସେହି ଆଶଙ୍କାରେ ଦୋଷୀ ମୁହଁରେ କଳା କନା ଘୋଡାଇ ନିଆଯାଏ ବୋଲି କହିଛନ୍ତି ତତ୍କାଳୀନ ବ୍ରହ୍ମପୁର ଜେଲ୍‌ ଅଧିକ୍ଷକ ରାମଚନ୍ଦ୍ର ନାଏକ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.