ଭୁବନେଶ୍ବର ୧୧|୧୦: ‘ତିତ୍‌ଲି’ ଆଣିଛି ବିପଦ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ହେଲେ ପ୍ରଶ୍ନ ଉଠୁଛି, ବାତ୍ୟାର ନାମକରଣ କେମିତି କରାଯାଏ ?  କିଏ ରଖେ ବାତ୍ୟାର ନାଁ ? ବାତ୍ୟାର ନାମକରଣ ପଛରେ କଣ କରିଛି ରହସ୍ୟ ? ଜାଣିବା

କେମିତି ହୁଏ ବାତ୍ୟାର ନାମକରଣ ?

ବାତ୍ୟା ନାମକରଣ ପଛରେ କଣ ରହିଛି ରହସ୍ୟ?

ଭୟାବହ ବାତ୍ୟାକୁ କେମିତି ମିଳେ ନାଁ?

ବାତ୍ୟାର ନାଁ ନେଇ କେମିତି ନିଆଯାଏ ନିଷ୍ପତ୍ତି?

ନାଁ ‘ତିତ୍‌ଲି’, ହେଲେ ରୂପ ଭୟଙ୍କର। ତିତଲି ଆସିଛି, ଆଣିଛି ପ୍ରଳୟ। ବର୍ଷା ସାଙ୍ଗକୁ ଝଡ଼ ତୋଫାନ ବଢାଇଛି ଚିନ୍ତା। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିତି ସଂଗୀନ୍। ତେବେ ପ୍ରଶ୍ନ ଉଠୁଛି ବାତ୍ୟାର ନାମକରଣ କେମିତି କରାଯାଏ ? ଏଥିପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ରହିଛି କି ?

ପାଣିପାଗ କେନ୍ଦ୍ର ଓ ସାଧାରଣ ଲୋକଙ୍କ ମଧ୍ୟରେ ବାତ୍ୟା ସଂପର୍କରେ ସହଜ ସୂଚନା ଆଦାନପ୍ରଦାନ ପାଇଁ ବାତ୍ୟାର ନାମକରଣ କରାଯାଏ। ୧୯୫୩ରେ ଆଣ୍ଟାର୍କଟିକ୍ କ୍ଷେତ୍ରରେ ବାତ୍ୟା ନାମକରଣ ପରଂପରା  ଆରମ୍ଭ ହୋଇଥିଲା। ୧୯୫୩ରୁ ୨୦୦୪ ପର୍ଯ୍ୟନ୍ତ ମିଆମି ନାସନାଲ ହରିକେନ୍ ସେଣ୍ଟର ଓ ଓ୍ବାର୍ଲଡ ମେଟେରୋଲୋଜିକାଲ ଅର୍ଗାନାଇଜେସନ୍ ବାତ୍ୟାର ନାମକରଣ କରୁଥିଲେ। ତେବେ ଭାରତ ମହାସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ହେଉନଥିଲା। ଜାତୀୟ ବିବିଧତା ଥିବା ଏ କ୍ଷେତ୍ରରେ ନିରପକ୍ଷ ଭାବେ ନାମକରଣ କରିବା ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ। ଲୋକଙ୍କ ଭାବନାକୁ ଆଘାତ ନପହଞ୍ଚାଇ ବାତ୍ୟାର ନାମକରଣ କରିବା ସହଜ ନଥିଲା। ତେଣୁ ୨୦୦୪ରେ ଓ୍ବାର୍ଲଡ ମେଟେରୋଲୋଜିକାଲ  ଅର୍ଗାନାଇଜେସନ୍ ଅନ୍ତର୍ଗତ ଅନ୍ତର୍ଜାତୀୟ ପ୍ୟାନେଲ୍‌କୁ ଭଙ୍ଗାଗଲା। ଏହାପରେ ନିଜ କ୍ଷେତ୍ରରେ ସୃଷ୍ଟି ହେଉଥିବା ଚକ୍ରବାତର ନାମକରଣ କରିବା ପାଇଁ ସଂପୃକ୍ତ ଦେଶକୁ କୁହାଗଲା।

ଭାରତ ମହାସାଗର କ୍ଷେତ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ୨୦୦୪ରୁ ଆରମ୍ଭ ହେଲା। ଭାରତ ନେତୃତ୍ବରେ ଆରମ୍ଭ ହେଲା ପ୍ରକ୍ରିୟା। ଭାରତ, ପାକିସ୍ତାନ, ବାଂଲାଦେଶ, ମାଳଦ୍ବୀପ, ମିଆଁମାର, ଓମାନ୍, ଶ୍ରୀଲଙ୍କା, ଥାଇଲାଣ୍ଡକୁ ମିଶାଇ ମୋଟ୍ ୮ଟି ଦେଶ ବାତ୍ୟା ନାମକରଣ ପାଇଁ ଏକାଠି ହେଲେ। ଆଉ ଏଥିପାଇଁ ଏକ ବୈଠକରେ ପ୍ରତି ଦେଶ ୮ଟି ଲେଖାଏଁ ନାଁ ପ୍ରସ୍ତାବ ରଖିଲେ। ଏଥିସହ ମୋଟ ୬୪ଟି ନାଁର ସୂଚୀ ପ୍ରସ୍ତୁତ କରାଗଲା। ୨୦୦୪ ଜୁନ୍ ମାସରୁ ଆସିଥିବା ବାତ୍ୟା ନାନୁକର ନାଁ ମିଆଁମାର ରଖିଥିଲା। ସେହିପରି ୨୦୧୩ରେ ଭାରତର ଦକ୍ଷିଣ ପୂର୍ବ  ଉପକୂଳରେ ଆସିଥିବା ଫାଇଲିନ୍ ବାତ୍ୟାର ନାମକରଣ ଥାଇଲାଣ୍ଡ କରିଥିଲା।୨୦୧୪ରେ ଆସିଥିବା ବାତ୍ୟା ହୁଡ୍‌ହୁଡ୍ ଏହି ସୂଚୀର ୩୪ତମ ନାଁ। ଏହାର ନାମକରଣ କରିଥିଲା ଓମାନ୍। ହୁଡ୍‌ହୁଡ୍ ଏକ ପକ୍ଷୀର ନାଁ। ପ୍ରତିବର୍ଷ ବାତ୍ୟା ବିଶେଷଜ୍ଞ ପ୍ୟାନେଲ୍ର ବୈଠକ ଅନୁଷ୍ଠିତ ହୁଏ। ଏଥିରେ ବାତ୍ୟା ନାମକରଣ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଏ। ଆବଶ୍ୟକ ପଡ଼ିଲେ ସୂଚୀରେ ନୂଆ ନାଁ ମଧ୍ୟ  ସାମିଲ କରାଯାଏ।

ସଦସ୍ୟ ଦେଶମାନଙ୍କ ଦ୍ବାରା ପ୍ରସ୍ତାବ ରଖାଯାଇଥିବା ନାଁ ମଧ୍ୟରୁ ବାତ୍ୟାର ନାମକରଣ କରାଯାଏ। ଇଂରାଜୀ ବର୍ଣ୍ଣମାଳା ଅନୁସାରେ ଦେଶର କ୍ରମ ନିର୍ଣ୍ଣୟ କରାଯାଏ। ପ୍ରତି ଦେଶ ନିଜ କ୍ରମ ଆସିଲେ ବାତ୍ୟାର ନାମକରଣ କରନ୍ତି।

ଏଥର ବାତ୍ୟାର ନାମକରଣ କରିଛି ପାକିସ୍ତାନ। ତିତଲି ଏକ ହିନ୍ଦୀ ଶବ୍ଦ, ଯାହାର ଅର୍ଥ ପ୍ରଜାପତି। ତେବେ ବାତ୍ୟା ତିତ୍‌ଲିର ରୂପ ଭୟଙ୍କର। ବର୍ଷା, ପବନ, ଝଡ଼ ସହ ବିପଦ ଆଣିଛି ତିତ୍‌ଲି। ଏହାଦ୍ବାରା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ପ୍ରଭାବିତ ହୋଇଛି।