ହଷ୍ଟନ: କୋଭିଡ ଟିକା ନ ନେବା ଯୋଗୁ ହସ୍ପିଟାଲରୁ ଛଟେଇ ହେଲେ ଦେଢଶହରୁ ଅଧିକ କର୍ମଚାରୀ

Published By : Prameya-News7 Bureau | June 23, 2021 IST

ଫାନ୍ନିନ୍‌: କୋଭିଡ-୧୯ ଟିକାକୁ ମନା କରିବା ଯୋଗୁ ହଷ୍ଟନର ଏକ ହସ୍ପିଟାଲରୁ ୧୫୦ରୁ ଅଧିକ କର୍ମଚାରୀ ହୁଏତ ଇସ୍ତଫା ଦେଇଛନ୍ତି ଅଥବା ସେମାନଙ୍କୁ ଚାକିରୀରୁ ବାହାର କରିଦିଆଯାଇଛି। ହଷ୍ଟନ ମେଥଡିଷ୍ଟ ବେ ଟାଉନ ହସ୍ପିଟାଲର ଏହି ଘଟଣା ଏବେ ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଏପ୍ରିଲରେ ହଷ୍ଟନ ମେଥଡିଷ୍ଟ ତାର କର୍ମଚାରୀଙ୍କୁ ଜୁନ୍ ୭ ତାରିଖ ସୁଧା ଟିକାକରଣ କରାଇନେବାକୁ ନୋଟିସ୍‌ ଜାରି କରିଥିଲେ। ଦେଶର ପ୍ରମୁଖ ସ୍ୱାସ୍ଥ୍ୟସେବା ସଂସ୍ଥା ପ୍ରଥମ ଥର ଅନୁଷ୍ଠାନରେ ଟିକାକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ୧୭୮ ଜଣ କର୍ମଚାରୀ ଟିକା ନେବାକୁ ମନା କରିଥିଲେ।

ଏଥିଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ଚାକିରୀରୁ ୨ ସପ୍ତାହ ଲାଗି ଅବୈତନିକ ନିଲମ୍ବନ କରିଥିଲେ।  ଏହା ସତ୍ତ୍ୱେ ସେମାନେ ଟିକାକରଣ କରାଇ ନଥିଲେ। ତେବେ ୧୫୩ ଜଣ ବିଲକୁଲ ଟିକାକରଣ କରିବେନି ବୋଲି କର୍ତ୍ତୃପକ୍ଷଙ୍କୁ ସଫାସଫା କହିଦେଇଥିଲେ। ଏଣୁ ସେମାନେ ହୁଏତ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଅଥବା ସେମାନଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିବା ଜଣାପଡିଛି। ତେବେ ଛଟେଇ ପୂର୍ବରୁ ଏମାନଙ୍କ ମଧ୍ୟରୁ ୧୧୭ ଜଣ ହସ୍ପିଟାଲକୁ କୋର୍ଟ ପର୍ଯ୍ୟନ୍ତ ଭିଡାଇଥିଲେ। ଏଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳରେ ନାଜିମାନେ କନସେନଟ୍ରେସନ କ୍ୟାମ୍ପରେ କରୁଥିବା ଅତ୍ୟାଚାର ଭଳି ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରିଥିଲେ।

{"id":470169,"sizeSlug":"large","linkDestination":"none"}

ଜୁନ ୧୨ ତାରିଖରେ ଯୁକ୍ତରାଷ୍ଟ୍ର ଜିଲ୍ଲା ଜଜ୍ ଲିନ୍‌ ହ୍ୟୁଜେସ୍‌ ସେମାନଙ୍କ ଆବେଦନ ଅଗ୍ରାହ୍ୟ କରିଦେବା ସହ ସେମାନଙ୍କ ଅଭିଯୋଗକୁ କନସେନଟ୍ରେସନ କ୍ୟାମ୍ପ ସହ ତୁଳନା କରିବା ନିନ୍ଦନୀୟ ବୋଲି କହିଥିଲେ। ଯଦି ସେମାନେ ହସ୍ପିଟାଲଙ୍କ ଟିକାକରଣ ନିୟମରେ ଅରାଜି ସେମାନେ ହୁଏତ ଅନ୍ୟ କେଉଁଠାରେ କାମ କରିପାରନ୍ତି ବୋଲି କୋର୍ଟ କହିଥିଲେ। ଆମେରିକାରେ ମେରିଲ୍ୟାଣ୍ଡ, ପେନସିଲଭାନିଆ ଓ ନ୍ୟୁୟର୍କ ହସ୍ପିଟାଲ ବ୍ୟବସ୍ଥା ହଷ୍ଟନ ମେଥଡିଷ୍ଟକୁ ଏବେ ଅନୁକରଣ କରୁଛନ୍ତି। ପ୍ରତ୍ୟେକ କର୍ମଚାରୀଙ୍କ ଟିକା ବାଧ୍ୟତାମୂଳକ କରିଛନ୍ତି।

ଆମେରିକା ହଷ୍ଟନ ମେଥଡିଷ୍ଟ ଅଧ୍ୟକ୍ଷ ତଥା ସିଇଓ ମାର୍କ ବୁମ୍‌ ତାଙ୍କ ବ୍ୟବସ୍ଥାରେ ପ୍ରାୟ ୨୬ ହଜାର କର୍ମଚାରୀଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା କହିଛନ୍ତି। ଏ ନେଇ ସେ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ନୋଟ୍‌ରେ ‘ଏହାଦ୍ୱାରା ଆପଣମାନେ ନିଜ ସହ ଆମ ରୋଗୀ ଆମ ସାଥୀ, ପରିବାର ଓ ସମୂଦାୟଙ୍କ ନିମନ୍ତେ ଉଚିତ ପଦକ୍ଷେପ ନେଇଛନ୍ତି’ ବୋଲି ଉଲ୍ଲେଖ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.