ଆବାସ ଯୋଜନା ଷ୍ଟିକରିଙ୍ଗ ବିବାଦ, ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣଙ୍କ ନାମରେ ଏତଲା ଦେବ ବିଜେପି, ଫାଡିଲେ ଷ୍ଟିକର
23/12/2020 at 11:07 PM

ଭଦ୍ରକ ୨୩।୧୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ଲୋଗୋ ଷ୍ଟିକରିଙ୍ଗ ଉଦ୍ୟମ କରାଯାଇଛି। ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ ନିଜ ଦଳର ପ୍ରଚାର ଓ ହୀନ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଲାଗି ପଡିଥିବା ବିଜେପି କହିଛି। ସଂପୃକ୍ତ ଅଧିକାରୀଙ୍କୁ ଭୁଲ ଲୋଗୋ କରେଇ ନଦେବାକୁ ହିତାଧିକାରୀଙ୍କୁ ନିବେଦନ କରିବା ସହ ଷ୍ଟିକରକୁ ଚିରିଛି ବିଜେପି। ଏଥିସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ ମଧ୍ୟ କରିଛି। ଏମିତି କି ମୁଖ୍ୟମନ୍ତ୍ରୀଙ୍କ ସମେତ ୬ଜ ଣଙ୍କ ନାମରେ ଥାନାରେ ଏତଲା ଦେବ ବୋଲି କହିଛି ବିଜେପି ।
ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଜେପି ତରଫରୁ ଷ୍ଟିକରିଙ୍ଗ ବିବାଦକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ବିଜେପିର ଅଭିଯୋଗ ଅନୁଯାୟୀ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ନିଜ ଦଳର ପ୍ରଚାର ଓ ହୀନ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଲାଗି ପଡି ବିଭିନ୍ନ ସମୟରେ ଅତୀତରେ ଧରା ପଡ଼ିଛନ୍ତି । କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କାକିଆ ଚାଉଳ ବା ଗହମ ପ୍ରଦାନ, ରୋଗୀମାନଙ୍କ ସେବା ପାଇଁ ୧୦୮ ଆମ୍ବୁଲାନ୍ସ ପ୍ରଦାନ ଭଳି ଯୋଜନାକୁ ମଧ୍ୟ ନିଜସ୍ଵ ଯୋଜନା କହି ଲୋକଙ୍କୁ ହାତେଇବାକୁ ଚେଷ୍ଟା କରିଛି ବିଜେଡି । ଏବେ କରୋନା ମହାମାରୀ ସମୟରେ ଲୋକଙ୍କୁ ଭୂଆଁ ବୁଲାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି ବୋଲି କହିଛି ବିଜେପି ।
୨୦୨୨ ମସିହା ସୁଦ୍ଧା ଦେଶର ସବୁ ଗରିବ ପରିବାରକୁ ପକ୍କାଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସ୍ତୁତ କରି ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇ ଆସୁଛନ୍ତି । ହେଲେ ଓଡ଼ିଶା ସରକାର ଏହି ଯୋଜନାରେ ହିତାଧିକାରୀ ଚୟନରେ ବହୁ ଗରିବ ତଥା ବାସହୀନ ଲୋକଙ୍କୁ ବଞ୍ଚିତ କରି ନିଜ ଦଳୀୟକର୍ମୀ ଓ ଧନୀ ଲୋକମାନଙ୍କୁ ଏକାଧିକ ଘର ମଧ୍ୟ ଯୋଗାଇଦେବାର ନଜିର ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଓ ଏନ. ଏସ୍.ପି.କି.ୱାଇ. ଯୋଜନାରେ ଗତ ୨୦୧୪-୨୦୧୫ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ଯାଏଁ ଦିଆଯାଇଥିବା ଗୃହ ଗୁଡ଼ିକରେ ଲୋଗ କରିଙ୍ଗ କରିବା ପାଇଁ ଏବେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତତ୍ପରତା ପ୍ରକାଶ କରି ଆସନ୍ତା ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ସରକାରଙ୍କ ପକ୍ଷରୁ ଯେଉଁ ଉଦ୍ଦେଶ୍ୟରେ ଲୋଗୋ ଷ୍ଟିକରିଙ୍ଗ ପ୍ରସ୍ତୁତ କରାଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନ କୁ ସଂକ୍ଷିପ୍ତରେ ପୁଣି ଛୋଟ ଆକାରରେ ‘ପ୍ର.ଆ.ଯୋ., ଇନ୍ଦିରାଆବାସ ଯୋଜନାକୁ ‘ଇ.ଆ.ଯୋ. ଲେଖାଯାଇଛି । ତେଣୁ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ସେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ – ଅରିନ୍ଦମ ଡାକୁଆ, ଜିଲ୍ଲାପାଳ – ଭଦ୍ରକ, ପ୍ରକଳ୍ପ ନିର୍ଦ୍ଦେଶକ ଡ଼ିଆରଡ଼ିଏ – ଭଦ୍ରକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ – ଭଣ୍ଡାରିପୋଖରୀଙ୍କ ନାମରେ ସାଧାରଣ ଜନତାଙ୍କୁ ପ୍ରତାରଣା ଓ ଠକେଇ ମାମଲାରେ ବିଜେପି ଭଣ୍ଡାରୀପୋଖରୀ ଥାନା ରେ ଏତଲା ଦେବ ବୋଲି ସୂଚନା ଦେଇଛି ।