Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଂସଦୀୟ କମିଟି ସାମ୍ନାରେ ହାଜର ହେବାକୁ ଟ୍ବିଟରକୁ ସମନ ଜାରି, ନୂଆ IT ନିୟମ ଏବଂ ଅନ୍ୟାନ୍ୟ ଅଭିଯୋଗକୁ ନେଇ ହେବ ଚର୍ଚ୍ଚା

15/06/2021 at 8:35 PM

ନୂଆଦିଲ୍ଲୀ ୧୫/ ୦୬ : କେନ୍ଦ୍ର ସରକାର ଏବଂ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ନୂଆ ଗାଇଡଲାଇନ ପାଳନ କରିବାକୁ ସୋସିଆଲ ମିଡିଆ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ କିଛି ଗାଇଡଲାଇନ ମାନୁଥିଲେ ସୁଦ୍ଧା ଆଉ କିଛି ନିୟମକୁ ଲାଗୁକରିବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଏହି କ୍ରମରେ ସଂସଦର ପ୍ୟାନେଲ ଟ୍ବିଟରକୁ ସମନ ପଠାଇଛନ୍ତି । ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାକୁ ନେଇ ତିଆରି ହୋଇଥିବା ସଂସଦୀୟ ସମିତି ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରକୁ ଜୁନ ୧୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଅଧିକାରୀମାନଙ୍କୁ ମଧ୍ୟ ସେମାନଙ୍କ ପକ୍ଷ ରଖିବା ପାଇଁ କୁହାଯାଇଛି । ନୂଆ ଆଇଟି ନିୟମକୁ ଟ୍ବିଟର ମାନୁନଥିବା ଅଭିଯୋଗରେ ଏଭଳି ପଦକ୍ଷେପ ନେଇଛି ଭାରତ ସରକାରଙ୍କ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ । ଆଇଟି ରେଗୁଲେସନ ରୁଲ୍ସ ଏବଂ କେନ୍ଦ୍ର ସରକାରଙ୍କ ସହିତ ଲାଗି ରହିଥିବା ବିବାଦକୁ ନେଇ ଟ୍ବିଟର ସହିତ ଆଲୋଚନା କରିବେ ସଂସଦର ଏହି ସ୍ବତନ୍ତ୍ର ପ୍ୟାନେଲ ।

ବିଜେପି ନେତାଙ୍କ ମ୍ୟାନୁପୁଲେଟେଡ୍‌ ମିଡିଆ ବିବାଦ ବିଷୟରେ ମଧ୍ୟ ଚର୍ଚ୍ଚା ହେବ । ଏହା ସହିତ ଟ୍ବିଟର ଇଣ୍ଡିଆର ଅଧିକାରୀମାନଙ୍କୁ ଦିଲ୍ଲୀ ପୋଲିସର ପଚରାଉଚରା ଏବଂ ବର୍ତ୍ତମାନ ଲାଗୁ ହୋଇଥିବା ନୂଆ ଗାଇଡଲାଇନ ପାଳନ ଉପରେ ମଧ୍ୟ ପ୍ରଶ୍ନ କରାଯିବ । ଆଇଟି ପ୍ୟାନେଲର ଅଧ୍ୟକ୍ଷତା କଂଗ୍ରେସ ନେତା ତଥା ତିରୁବନନ୍ତପୁରମ ସାଂସଦ ଶଶି ଥରୁର କରୁଛନ୍ତି ।

ସୂଚନାଯୋଗ୍ୟ, ମୋଦି ସରକାର ଏବଂ ଟ୍ବିଟର ମଧ୍ୟରେ ଚଳିତ ବର୍ଷ ଫେବୃଆରୀ ମାସରୁ ହିଁ ବିବାଦ ଆରମ୍ଭ ହୋଇଛି । ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ଆକାଉଣ୍ଟ ବ୍ଲକ୍‌ କରିବା, ଆଇଟି ମନ୍ତ୍ରାଳୟ ଦ୍ବାରା ଜାରି ଗାଇଡଲାଇନକୁ ପାଳନ ନକରିବା ଏବଂ କେନ୍ଦ୍ର ସରକାରଙ୍କ ତାଗିଦ ସତ୍ତ୍ବେ ଭୁଲ ଦୋହରାଉଥିବାରୁ ସଂସଦ ପ୍ୟାନେଲରେ ଏହି ପ୍ରସଙ୍ଗକୁ ଉତ୍ଥାନ କରାଯିବ । ପୂର୍ବରୁ ମଧ୍ୟ ଅନେକ ଥର ଟ୍ବିଟରକୁ ଚେତାବନୀ ଦିଆଯାଇଥିଲା । କିନ୍ତୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ବାରମ୍ବାର ଗାଇଡଲାଇନ ଉଲ୍ଲଂଘନ କରାଯାଇଥିଲା ।

   Related Posts