ଘରର ବିଜୁଳି ଉପକରଣ ପାଇଁ ମଧ୍ୟ ବାସ୍ତୁ ନିର୍ଣ୍ଣୟ ଜରୁରି, ନଚେତ ହୋଇପାରେ ସମସ୍ୟା
21/06/2019 at 7:03 PM

କୌଣସି ଘର ବାସ୍ତୁ ସମ୍ମତ ହେବା ସେହି ଘରର ପ୍ରତ୍ୟେକ ଅନ୍ତେବାସୀଙ୍କ ପାଇଁ ସୁଖ ସମୃଦ୍ଧିର କାରକ ହୋଇଥାଏ। ଏଣୁ ଗୃହ ନିର୍ମାଣ ଭଳି ଏହାର ସାଜସଜ୍ଜା ଓ ବିଦ୍ୟୁତକରଣ ପ୍ରତି ମଧ୍ୟ ବାସ୍ତୁରେ ଧ୍ୟାନ ଦିଆଯିବା ଜରୁରି। ଯେପରି ଘରର ଶୟନକକ୍ଷ, ମୁଖ୍ୟଦ୍ୱାର ନିର୍ମାଣ ଓ ବୋରୱେଲ ଖନନ ପାଇଁ ଆମେ ବାସ୍ତୁର ସାହାରା ନେଉଛେ ଠିକ ସେହିପରି ଘରକୁ ବିଦ୍ୟୁତ ସଂଯୋଗ ଓ ବିଦ୍ୟୁତ ଉପକରଣ ସ୍ଥାପନାର ଦିଗ ମଧ୍ୟ ବାସ୍ତୁ ମାଧ୍ୟମରେ ନିଆଗଲେ ଜୀବନ ଅଧିକ ସୁଖଦ ହୋଇ ପାରିବ।

ଯେପରି ଘରର ଉତ୍ତର-ପୂର୍ବ ଐଶାନ୍ୟ କୌଣ ଆର୍ଥିକ ସମୃଦ୍ଧି ସହ ସମ୍ପର୍କିତ ସେହିପିର ଦକ୍ଷିଣ-ପୂର୍ବ ଅଗ୍ନେୟ କୋଣର ସମ୍ପର୍କ ପ୍ରାୟତଃ ସ୍ୱାସ୍ଥ୍ୟ ସହ ଜଡିତ ଥାଏ। ଅଗ୍ନି ତତ୍ୱର ପ୍ରତିନିଧିତ୍ୱ କରୁଥିବା ଘରର ଏହି କୋଣ ବିଦ୍ୟୁତ ଓ ବୈଦୁତିକ ଉପକରଣ ନିମନ୍ତେ ସର୍ବୋତ୍କୃଷ୍ଟ ବୋଲି କୁହାଯାଏ। ଘରର ଏହି କୋଣକୁ ବାସ୍ତୁଦୋଷ ମୁକ୍ତ ରଖିବା ଅତ୍ୟନ୍ତ ଜରୁରି। ଏହି କୋଣରେ ଯଦି ଘରର ବୈଦୁତିକ ମିଟର, ମେନସ୍ୱିଚ୍, ଇନଭର୍ଟର ଆଦି ସ୍ଥାପନା କରାଯାଇ ବିଦ୍ୟୁତ ବିତରଣ କରାଯାଏ ତେବେ ଅନେକାଂଶରେ ଘରର ଅଗ୍ନି ତତ୍ୱକୁ ସନ୍ତୁଳିତ ରଖାଯାଇପାରେ।

ଯେଉଁଘରେ ଅଗ୍ନିତତ୍ୱ ଅସନ୍ତୁଳିତ ଥାଏ ତେବେ ସେ ଘରର ସଦସ୍ୟ ପ୍ରାୟତଃ ରୁଗ୍ଣ ରହନ୍ତି। ଘରର ସଦସ୍ୟଙ୍କ ସାଧାରଣ ରୋଗ ବି ଗୁରୁତର ହୋଇଯାଏ ଓ ପରିବାରର ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡିଥାଏ। ଏଣୁ ଘରେ ଯଦି ଏଭଳି ପରିସ୍ଥିତି ଉପୁଜୁଥାଏ ତେବେ ସାମାନ୍ୟ କିଛି ଉପାୟ କଲେ ମଧ୍ୟ ଏହାକୁ ପ୍ରସମିତ କରାଯାଇପାରେ। ଯେପରି ଅଗ୍ନିକୋଣରେ ସୋରିଷତେଲରେ ଦୀପ ଜଳାଇଲେ ଏଭଳି ଦୋଷ ଦୂର ହୋଇଥାଏ ବୋଲି ବାସ୍ତୁବିଦ ମତ ଦିଅନ୍ତି।