ଆଜି ବିଧାନସଭାରେ ଉପସ୍ଥାପିତ ହେବ ଅଭିଜିତ ଆୟାର ମିତ୍ର ସଂପର୍କୀତ ଚୂଡାନ୍ତ ରିପୋର୍ଟ

Published By : Prameya-News7 Bureau | November 16, 2018 IST

ଭୁବନେଶ୍ବର ୧୬|୧୧: ଅଭିଜିତ ଆୟାର ମିତ୍ର ପ୍ରସଙ୍ଗରେ ଉପସ୍ଥାପନ ହେବ ରିପୋର୍ଟ । ଗୃହ କମିଟି ଏହି ରିପୋର୍ଟ ଉପସ୍ଥାପନ କରିବ । ଗତକାଲି ସ୍ବାଧୀକାର ଭଙ୍ଗ ନେଇ ଗୃହ କମିଟି ବୈଠକ ବସିଥିଲା । ସତ୍ୟପାଠ ଓ ବୟାନ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି । ଆଜି ଗୃହରେ ଚୁଡ଼ାନ୍ତ ରିପୋର୍ଟ ଉପସ୍ଥାପନ କରାଯିବ । ପରେ ଏନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସେପ୍ଟେମ୍ବର ୧୫ ତାରିଖରେ କୋଣାର୍କ ମନ୍ଦିର ପରିସରରେ ଠିଆ ହୋଇ କୋଣାର୍କ ମନ୍ଦିର ସମ୍ପର୍କରେ ଏକ ଅରୁଚିକର ମନ୍ତବ୍ୟ ସୁଟ୍‌ କରି ଟ୍ବିଟରରେ ଅପଲୋଡ କରିଥିଲେ ଅଭିଜିତ ଆୟାର ମିତ୍ର । ଏହାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ହୋଇଥିଲା । ପରେ ପରେ ଅଭିଜିତଙ୍କ ଏକ ବର୍ଷେ ତଳର ଟ୍ବିଟ୍ ନେଇ ପୁଣି ଉଠିଥିଲା ଝଡ । ବର୍ଷେ ତଳର ଏହି ଟ୍ବିଟରେ ଅଭିଜିତ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଦର୍ଶାଇବା ସହ ତାଙ୍କୁ ଓଡିଆମାନେ ଚୋରୀ କରିଆଣିଛନ୍ତି ବୋଲି ଲେଖିଥିଲେ । ସେହିଭଳି ଓରି ଶାଲା ବୋଲି ବଂଗାଳୀମାନଙ୍କ ଗାଳିରୁ ଓଡିଶା ରାଜ୍ୟର ନାମ ହୋଇଛି ବୋଲି ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ । ପରେ ନୂଆଦିଲ୍ଲୀଠାରେ ନ୍ୟୁଜ୍ -୭କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବାବେଳେ ଅଭିଜିତ ଓଡିଶା ବିଧାନସଭା ସଦସ୍ୟଙ୍କୁ ବୁଦ୍ଦୁ ବୋଲି କହି ଅଧିକ ବିବାଦୀୟ ହୋଇପଡିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାରେ ଏକ ଗୃହ କମିଟି ଗଠନ ହୋଇଥିଲା । କମିଟିରେ ହାଜର ହେବା ପାଇଁ ଅଭିଜିତଙ୍କୁ ସମନ ଜାରି କରାଯାଇଥିଲା । ଅକ୍ଟୋବର ୨୩ ତାରିଖରେ ଅଭିଜିତ ଗୃହ କମିଟିରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ସେ ହାଉସକମିଟିରୁ ପଦାକୁ ଆସିବାମାତ୍ରେ କୋଣାର୍କ ପୋଲିସ ତାଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ଆଗୁଆ ଆବେଦନକୁ ଖାରଜ କରି କୋଣାର୍କ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଏଭଳି ମନ୍ତବ୍ୟ ପାଇଁ ଅଭିଜିତଙ୍କୁ ସୁପ୍ରମିକୋର୍ଟ ଭତ୍ସନା ମଧ୍ୟ କରିଥିଲେ । ଅଭିଜିତଙ୍କ ପାଇଁ ଜେଲ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.