Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିବସେନାର ହୋଟେଲ୍ ପଲିଟିକ୍ସ

ମୁମ୍ବଇ – ୦୭।୧୧ – ମହାରାଷ୍ଟ୍ରରେ ଶିବସେନାର ହୋଟେଲ୍ ପଲିଟିକ୍ସ । ଅର୍ଥାତ୍ କାଳେ କୁଆଡେ ନିଜ ଦଳର ନବ ନିର୍ବାଚିତ ବିଧାୟକ ବିଜେପି ଆଢକୁ ଢଳିବେ । କିମ୍ବା ଶିବସେନାରେ ବିଜେପି ଘଳିଆ ସୃଷ୍ଟି କରିବ ସେହି ଭୟ ଘାରିଛି ଶିବସେନା ସୁପ୍ରିମୋଙ୍କୁ । ସେଥିପାଇଁ ଆଜି ସମସ୍ତ ନବ ନିର୍ବାଚିତ ବିଧାୟକଙ୍କୁ ଡାକି ନିଜ ଘରେ ଘଣ୍ଟାଏ କାଳ ଆଲୋଚନା କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଥାକରେ ।

 ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସବୁ ବିଧାୟକଙ୍କୁ ନିଜ ଘରପାଖ ହୋଟେଲ୍ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଫଳ ବାହାରିବାର ୧୫ ଦିନ ବିତିଯାଇଥିଲେ ବି ଏଯାଏଁ ମହାରାଷ୍ଟରେ ସରକାର ଗଠନ ନେଇ ବାଟ ଫିଟିନି । ନିଜନିଜ ଜିଦ୍ରେ ଅଟଳ ଅଛନ୍ତି ଶିବସେନା ଓ ବିଜେପି । ମୁଖ୍ୟମନ୍ତ୍ରୀ କିଏ ହେବ ତାକୁନେଇ ଚାଲିଛି ଟଣା ଓଟରା । ନିର୍ବାଚନ ଆଗରୁ ବିଜେପି କହିଥିବା ୫୦-୫୦ ବୁଝାମଣା ଦ୍ବାହି ଦେଇ ଜିଦ୍‌ରେ ଅଟଳ ଅଛି ଶିବସେନା । ହେଲେ ଏହି ସର୍ତ୍ତରେ ରାଜି ହେଉନି ବିଜେପି । ଶିବସେନା କହିଛି ତାଙ୍କର ସବୁ ବିଧାୟକ ଏକାଠି ଅଛନ୍ତି ଏବଂ ଦଳ ସରକାର କରିବାକୁ ପୂର୍ଣ୍ଣ ବହୁମତ ରହିଛି । ଦଳକୁ ଏହା ଦେଖାଇବାର ଆବଶ୍ୟକତା ନାହିଁ । ଶିବସେନା ତାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିବ ନାହିଁ ।

ଶିବସେନା ଏକଥା କେଉଁ ଦମ୍ରେ କହୁଛି ତାହା ଜଣା ପଡିନି । ତେବେ ଶିବସେନାକୁ ଏନ୍‌ସିପି ଓ କଂଗ୍ରେସ ସମର୍ଥନ ଦେବାର ସମ୍ଭାବନାକୁ ଏଡାଇ ଦିଆଯାଉନାହିଁ । ସେପଟେ  ଆଜି ବିଜେପି ନେତାମାନେ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ସାକ୍ଷାତ କରିଥିଲେ । ହେଲେ  ସରକାର  ଗଠନ ନେଇ କୌଣସି ଦାବି ଜଣାଇନାହାନ୍ତି । ବରଂ କାହିଁକି ସରକାର ଗଠନରେ ଡେରି ହେଉଛି ସେନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ବିଜେପି ସଭାପତି କହିଛନ୍ତି ଲୋକେ ବିଜେପି ଓ ଶିବସେନା ମେଣ୍ଟକୁ ଭୋଟ୍ ଦେଇଛନ୍ତି । ଏବେ ଯାହା କେନ୍ଦ୍ରୀୟ ନେତୃତ୍ବ ହିଁ ନିଷ୍ପତ୍ତି ନେବ ।

୯ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରୁଛି । ତାଆଗରୁ ସରକାର ଗଠନ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଶିବସେନା ତାର ସ୍ଥିତି ସ୍ପଷ୍ଟ କରୁନଥିବାରୁ ବିଜେପି ବି ଅଗକୁ ବଢିପାରୁନି । ସେପଟେ କଂଗ୍ରେସ-ଏନସିପି ଚତୁରତାର ସହିତ ନିଜର ଗୋଟି ଚାଳନା କରୁଛନ୍ତି । ଏଥର ନିର୍ବାଚନରେ ବିଜେପି ୧୦୫ ସିଟ୍ , ଶିବ ସେନା ୫୬, ଏନ୍ସିପି ୫୪ ଏବଂ କଂଗ୍ରେସ ୪୪ ସିଟ୍ରେ ବିଜୟୀ ହୋଇଛନ୍ତି ।

396 Views

   ସମ୍ବନ୍ଧିତ ଖବର