ପାକିସ୍ତାନ ବଢଉଛି ତାତି, ଡହକୁଛି ଭାରତ, ପଞ୍ଜାବ ଓ ହିମାଚଳରେ ପାଣିପାଗ ରେଡଆଲର୍ଟ
2/06/2019 at 5:14 PM

ନୂଆଦିଲ୍ଲୀ ୨।୬: ଭାରତରେ ଚଳିତ ବର୍ଷ ଅନୁଭୂତ ହେଉଥିବା ଗ୍ରୀଷ୍ମ ଗତ ବର୍ଷମାନଙ୍କର ରେକର୍ଡ ଭାଙ୍ଗିଛି। ତେବେ ଉପୁଜିଥିବା ପରିସ୍ଥିତି ପାଇଁ ପାଣିପାଗ ବିଜ୍ଞାନୀ ପଡୋସୀ ପାକିସ୍ତାନରୁ ପ୍ରବାହିତ ହେଉଥିବା ତତଲା ପଶ୍ଟିମା ବାୟୁକୁ ଦାୟି କରିଛନ୍ତି। ଏବେ ଏହି ଗରମ ପଶ୍ଟିମା ପବନ ଯୋଗୁ ଉତ୍ତର ଓ ପଶ୍ଟିମ ଭାରତ ସମେତ ଦେଶର ଅନ୍ୟ ଅଞ୍ଚଳମାନଙ୍କର ତାପମାତ୍ରାକୁ ମଧ୍ୟ ବୃଦ୍ଧିକରୁଛି। ହେଲେ ଭାରତୀୟ ପାଣିପାଗର ଏହା ସାଧାରଣ ସ୍ଥିତି ବୋଲି କହିଛନ୍ତି ପାଣିପାଗ ବିଭାଗର ଉତ୍ତରାଞ୍ଚଳ ମୁଖ୍ୟ ବୈଜ୍ଞାନିକ ଡା.କୁଲଭୂଷଣ ଶ୍ରୀବାସ୍ତବ।

ଦେଶକୁ ମୌସୁମୀ ଆଗମନ ହେଲେ ଆଞ୍ଚଳିକ ପାଣିପାଗରେ ଏଭଳି ପରିବର୍ତ୍ତନ ଉପୁଜିଥାଏ। ଦେଶକୁ ପୂର୍ବଉପକୂଳରୁ ମୌସୁମୀ ପ୍ରବେଶ କରୁଥିବାରୁ ପଡୋସୀ ପାକିସ୍ତାନ ଓ ଆଫଗାନିସ୍ତାନ ପଟୁ ଗରମ ପଶ୍ଟିମା ପବନ ବହିବା ସାଧାରଣ କଥା। ଯେଉଁଥି ପାଇଁ ଉତ୍ତର ଭାରତ ସମେତ ରାଜସ୍ଥାନ ଓ ଅନ୍ୟ ଅଞ୍ଚଳର ତାପମାତ୍ରା ବୃଦ୍ଧି ହେଉଛି। ଯାହା ଆଉ ଦିନେ ବା ଦୁଇ ଦିନ ପର୍ଯ୍ୟନ୍ତ ବଢିବ। ଏବେ ହରିୟାଣା ଓ ହିମାଚଳ ମଧ୍ୟ ଏହାର କବଳିତ ହୋଇଛି। ଏଣୁ ପଞ୍ଜାବ ଓ ହିମାଚଳରେ ପାଣିପାଗ ରେଡଆଲର୍ଟ ଜାରି କରାଯାଇଥିବା ଡା. ଶ୍ରୀବାସ୍ତବ କହିଛନ୍ତି।

ଉତ୍ତର ଭାରତ ଓ ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ ସାଧାରଣ କଥା। ତେବେ ପଞ୍ଜାବ ଓ ହିମାଚଳରେ ଗ୍ରୀଷ୍ମ ପାଇଁ ରେଡ ଆଲର୍ଟ ଜାରି ହେବା ବାସ୍ତବିକ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ପର୍ବତାଞ୍ଚଳରେ ତାପମାତ୍ରା ମଧ୍ୟ ବୃଦ୍ଧି ହୋଇଛି। ଗତ ଦଶକମାନଙ୍କରେ ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବା ଦେଶର ପାର୍ବତ୍ୟାଞ୍ଚଳରେ ତାପମାତ୍ରାକୁ ମଧ୍ୟ ବଢାଇ ଦେଇଛି ବୋଲି କହିଛନ୍ତି ଡା.ଶ୍ରୀବାସ୍ତବ। ତେବେ ଏହାକୁ ଜଳବାୟୁ ପରିବର୍ତ୍ତନ ଅଥବା ପାଗରେ ଅଚାନ ପରିବର୍ତ୍ତନ କୁହାଯାଇ ପାରିବ ନାହିଁ ବୋଲି ସେ କହିଥିବା ବେଳେ ଭିଷଣ ଗ୍ରୀଷ୍ମ ପ୍ରବାହ ବେଳେ ପାହାଡିଆ ଅଞ୍ଚଳର ତାପମାତ୍ରା ମଧ୍ୟ ୩୫ରୁ ୪୫ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିବା କିଛି ଅସ୍ବଭାବିକ ନୁହେଁ ବୋଲି କହିଛନ୍ତି। ତେବେ ଜୁନ ୩ ତାରିଖ ପରେ ଉତ୍ତର ଭାରତର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ଆଶଙ୍କା କରାଯାଉଥିବା ବେଳେ ଗ୍ରୀଷ୍ମରୁ ଆଶ୍ବସ୍ତ ମିଳିପାରେ ବୋଲି ଡା.ଶ୍ରୀବାସ୍ତବ କହିଛନ୍ତି।