ଡାକ୍ତରଖାନା କର୍ତ୍ତୃପକ୍ଷ ଦେଲେନି ଗାଡ଼ି, ଭଣଜାର ମୃତ ଦେହକୁ କାନ୍ଧରେ ବୋହି ଚାଲିଲା ମାମୁଁ...

Published By : Prameya-News7 Bureau | April 26, 2021 IST

ଢେଙ୍କାନାଳ, ୨୬/୦୪ : ଡାକ୍ତରଖାନାରେ ମିଳିଲାନି  ଗାଡି । ଶେଷରେ କାନ୍ଧରେ ବୋହି ଚାଲିଚାଲି ଶବକୁ ନେଲେ ପରିବାର ଲୋକେ । ଏପରି ଅଭାବନୀୟ ଦୃଶ୍ୟ ପୁଣି ଦେଖିବାକୁ ମିଳିଛି ଢେଙ୍କାନାଳରେ ।

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଏକ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ପରେ  କାନ୍ଧରେ କାନ୍ଧେଇ ସମ୍ପର୍କୀୟ ପାଦରେ ଚାଲି ଚାଲି ଗାଁକୁ ନେଉଥିଲେ ମୃତଦେହ । ହେଲେ ଏକ କିଲୋମିଟର ଚାଲି ଚାଲି ଯିବା ପରେ ଲୋକଙ୍କ ହସ୍ତକ୍ଷେପରେ ମରୁଆଡି ଯୁବ ମଞ୍ଚ ସହାୟତାରେ  ଗାଡ଼ିରେ ମୃତଦେହଟିକୁ ତାର ଗ୍ରାମକୁ ନିଆଯାଇଥିବା ଜଣାପଡିଛି ।

ମୃତ ଶିଶୁ ଜଣଙ୍କ ସଦର ଥାନା ଭାପୁର ନିକଟସ୍ଥ ଭାଗିରଥୀପୁରର ସ୍ବର୍ଗତ ସନ୍ତୋଷ ଦେହୁରୀଙ୍କ ପାଞ୍ଚ ବର୍ଷର ପୁଅ ସଂଜୟ ବୋଲି ଜଣାପଡିଛି । ପରିବାର ଅତ୍ୟନ୍ତ ଗରିବ ହୋଇଥିବାବେଳେ ମା କମଳି ଦେହୁରୀ ପୁଅର କଫ ଓ ଟିବି ଜନିତ ରୋଗ କାରଣରୁ ଆଜି ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରକୁ ନେଇଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ  ପୁଅର ମୃତ୍ୟୁ ଘଟିଥିଲା । ପରେ ପୁଅର ମୃତଦେହ ନେବା ପାଇଁ ଡାକ୍ତରଖାନା ପକ୍ଷରୁ ଶବ ବୁହା ଗାଡ଼ି ବା ସ୍ଵର୍ଗାରୋହଣ ରଥ ଯୋଗାଇ ଦେବା ପାଇଁ କେହି ଗୁରୁତ୍ୱ ଦେଇନଥିଲେ । ଫଳରେ ମୃତ ଶିଶୁକୁ କାନ୍ଧରେ ବୋହି ତାର ମାମୁଁ ୧୫କିଲୋମିଟର ଦୂର ଗାଁକୁ ନେବା ପାଇଁ ପାଦରେ ଚାଲି ଚାଲି ବାହାରିଥିଲେ ।

ତେବେ ଡାକ୍ତରଖାନା ଠାରୁ ଏକ କିଲୋମିଟର ଦୂର ଯିବାପରେ ଦକ୍ଷିଣକାଳୀ ଟେଲିଫୋନ ଭବନ ନିକଟରେ ଥକା ମାରିବା ସମୟରେ ସ୍ଥାନୀୟ ଲୋକ ଦେଖିବାରୁ ଘଟଣା ବେଶ ଆଲୋଡନ ସୃଷ୍ଟି କରିଥିଲା । ପରେ ସ୍ଥାନୀୟ ଲୋକ ମାରୁଆଡି  ଯୁବ ମଂଚର ସ୍ଵର୍ଗାରୋହଣ ରଥ ବା ଶବ ବୁହାଗାଡି ସହାୟତାରେ ମୃତ ଶିଶୁ ସହ ତାର ପରିବାରକୁ ଭାଗିରଥୀପୁରକୁ ପଠାଇଦେଇଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.