ପାଣିରେ ପଡିଲା କୋଟି କୋଟି ଟଙ୍କା ; ହର୍ଟିକଲଚର ଟ୍ରେନିଂ ସେଣ୍ଟର ବନ୍ଦ
3/12/2018 at 10:43 AM

କନ୍ଧମାଳ ୦୩|୧୨: କନ୍ଧମାଳର ଗରିବ ଆଦିବାସୀ ଯୁବକ ଯୁବତୀ ସ୍ବାବଲମ୍ବୀ ହେବେ । ଏଥିପାଇଁ ଜି.ଉଦୟଗିରିର କଳିଙ୍ଗା ଠାରେ ୨୦୧୦-୧୧ ରେ ହର୍ଟିକଲଚର ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେଲା । ୨-୩ ବର୍ଷ ଯେମିତି ସେମିତି ଚାଲିବା ପରେ ଏବେ ଟ୍ରେନିଂ ସେଣ୍ଟର ବନ୍ଦ । ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା । ସେପଟେ ବିଭାଗୀୟ ଅଧିକାରୀ ନାନା ବାହାନା କରି ନିଜ ଉପରୁ ଦୋଷ ଖସାଇବାରେ ବ୍ୟସ୍ତ ।
କନ୍ଧମାଳର କଳିଙ୍ଗା ଠାରେ ରହିଛି ହର୍ଟିକଲଚର ଟ୍ରେନିଂ ସେଣ୍ଟର । ସେଣ୍ଟର ଭିତରର ଦୃଶ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଚେୟାର ଟେବୁଲ୍ , ର୍ୟାକ୍ ଇତସ୍ତତ ହୋଇ ପଡ଼ିଛି । ରୁମ୍ ସାରା ଖେଳେଇ ହୋଇ ପଡ଼ିଛି ଅନ୍ୟାନ୍ୟ ଆସବାବପତ୍ର । ପାଣି ଖାଇ ଖାଇ କାନ୍ଥର ହାଲ୍ କିଛି ଏମିତି । ଇଲେକ୍ଟ୍ରିଂ ୱେୟାରିଂ କେଉଁଠି ଝୁଲି ପଡ଼ିଛି ତ କେଉଁଠି ଚଉକାଠ ଭାଙ୍ଗିଗଲାଣି । ଗରିବ ଆଦିବାସୀ ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବାକୁ ୭ କୋଟି ଟଙ୍କା ବ୍ୟୟରେ ହର୍ଟିଂ କଲଚର ଟ୍ରେନିଂ ସେଣ୍ଟର ଏବଂ ହଷ୍ଟେଲ ନିର୍ମାଣ ହୋଇଥିଲା ୨୦୧୦-୧୧ରେ । ଉଦଘାଟନର ୨-୩ ବର୍ଷ କେମିତି କଣ ଚାଲିଲା । ଆଉ ୨୦୧୬ରୁ ହର୍ଟିକଲଚର ଟ୍ରେନିଂ ସେଣ୍ଟର ବନ୍ଦ ।
ଟ୍ରେନିଂ ଦେବା ପାଇଁ ୩ ବର୍ଷ ହେଲା ଅଫିସର ନାହାଁନ୍ତି । ପିଇବା ପାଣିର ସମସ୍ୟା ବି ଲାଗିରହିଛି । ହଷ୍ଟେଲ ସାରା ଅନାବନା ଗଛରେ ଭର୍ତ୍ତି । ଜଣେ କିରାଣୀ ଏବଂ ଜଣେ ପିଅନ ଦୁଇ ଜଣ ଜଗି ରହୁଛନ୍ତି କାର୍ଯ୍ୟାଳୟକୁ । ଏନେଇ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କୁ କହିବା କଥା ସରକାରଙ୍କୁ ଚିଠି ଲେଖାଯାଇଛି । ଟ୍ରେନିଂ ଅଫିସର ନିଯୁକ୍ତ ହେଲେ, ପାଣି ସମସ୍ୟା ଦୂର ହେଲେ ପୁଣି ଥରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହେବ । ଉଦ୍ୟାନ କୃଷି ପ୍ରତି ଆଗ୍ରହ ସୃଷ୍ଟି କରି ଆଦିବାସୀ ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟ ଥିଲା । ହେଲେ ସବୁ ଯୋଜନା ଅଧାରେ ଅଟକିଗଲା, ଆଉ ପାଣିର ପଡ଼ିଲା କୋଟି କୋଟି ଟଙ୍କା ।