ରେଡ୍ ଜୋନ୍‌ରୁ ଆସି କ୍ବାରେଣ୍ଟାଇନ୍‌ରେ : ହୋମ୍ କ୍ବାରେଣ୍ଟାଇନ୍‌ରେ ଘୋଡା, ଛୁଇଁବେନି ଘରଲୋକ, ମାଲିକଙ୍କ ସ୍ବାବ୍ ରିପୋର୍ଟକୁ ଅପେକ୍ଷା

Published By : Prameya-News7 Bureau | May 27, 2020 IST

ରାଜୌରୀ ୨୭।୫: କରୋନା ଭାଇରସ୍ କୁ ନେଇ ସାରା ଦେଶରେ ଭୟର ବାତାବରଣ ଖେଳିଯାଇଛି । ଏହି ମହାମାରୀକୁ ସମସ୍ତେ ସତର୍କ ଅଛନ୍ତି । କାହାକୁ ମଧ୍ୟ ଛଡାଯାଉନାହିଁ । ଏହି କାରଣରୁ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ପ୍ରଶାସନ ଏକ ଘୋଡାକୁ ହୋମ୍ କ୍ବାରେଣ୍ଟାଇନ୍ କରିଛି ।

ଏହା ହେଉଛି ପ୍ରଥମ ଘଟଣା ଯାହା ରାଜୌରୀ ଜିଲ୍ଲାର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଅଧିକାରୀମାନେ ଘୋଡାକୁ ହୋମ୍ କ୍ବାରେଣ୍ଟାଇନ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କାଶ୍ମୀର ଘାଟିରୁ ମୋଗଲ ରାସ୍ତାରେ ଘୋଡା ସହ ଆସୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା ପାଇଁ ଅଟକାଇଥିଲା । ଏହି ବ୍ୟକ୍ତି ଜଣଙ୍କ କରୋନା ଭାଇରସ୍ ପାଇଁ ଯୋଗୁଁ ରେଡ୍ ଜୋନ୍ ଘୋଷିତ ଅଞ୍ଚଳରୁ ଆସିଥିଲେ । ତେଣୁ ତାଙ୍କୁ ତୁରନ୍ତ ପ୍ରଶାସନିକ କ୍ବାରେଣ୍ଟାଇନ୍ ପାଇଁ ପଠାଇଦିଆଯାଇଥିଲା । ଏହାସହ ତାଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ଘୋଡାକୁ ତାଙ୍କ ମାଲିକଙ୍କ ଘରକୁ ନିଆଯାଇଥିଲା । ସେଠାରେ ତାକୁ ଆଇସୋଲେସନରେ ରଖାଯାଇଛି । ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍ ମଙ୍ଗଳବାର ଘୋଡାର ପରୀକ୍ଷା କରିଥିଲେ । ଏଥିରେ କୌଣସି ପ୍ରକାରର ରୋଗର ଲକ୍ଷଣ ମିଳିଲା ନାହିଁ ।

ତେବେ ଘୋଡା ମାଲିକଙ୍କ ପରିବାର ସଦସ୍ୟଙ୍କୁ ଦୂରେଇ ରହିବାକୁ କୁହାଯାଇଛି । ଘୋଡାର ନମୁନା ନିଆଯାଇ ନାହିଁ । ଅଧିକାରୀମାନେ ବର୍ତ୍ତମାନ ଘୋଡା ମାଲିକଙ୍କ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.