‘ଫୋନି’ର କରାଳ ଚିତ୍ର ଏବେବି ଥରାଉଛି ଛାତି, କେମିତି ଥିଲା ସେ ‘କାଳ’ ମୁହୂର୍ତ୍ତ ! ଜାଣନ୍ତୁ କେତୋଟି ଲୋମ ଟାଙ୍କୁରା ଘଟଣା

Published By : Prameya-News7 Bureau | May 05, 2019 IST

ଭୁବନେଶ୍ବର ୫|୫: ଫୋନି ଯାଇଛି । ଗତ ଦୁଇ ଦିନ ହେଲା ଖରାଟିଆ ପାଗ ଦେଖିବାକୁ ମିଳିଛି । ଗତକାଲି ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଗରମ ଅନୁଭୂତ ହୋଇଥିଲା । ଗତ ଶୁକ୍ରବାରର କଥା ମନେପକାଇଲା ବେଳକୁ ଦେହ ଶୀତେଇ ଯାଉଥିଲା । ବାତ୍ୟା ଯାଇଛି ସତ, ହେଲେ ଛାଡିଯାଇଛି ଅନେକ ଦାଗ । ଆମ ପ୍ରତିନିଧିମାନେ ପ୍ରଭାବିତ ଅଞ୍ଚଳକୁ ଯାଇଥିଲେ । କ୍ଷତିଗ୍ରସ୍ତ ଅଞ୍ଚଳର କରୁଣ ଚିତ୍ର ସବୁ ଆସିଛି ଆମ ପାଖକୁ । ସେଇ ସବୁ ଲୋମ ଟାଙ୍କୁରା ଦୃଶ୍ୟକୁ ନେଇ ଆମର ଏଇ ରିପୋର୍ଟ ।

ପ୍ରକୃତି ଦେଖାଇଛି ବିକଟାଳ ରୂପ । ଅଧା ଓଡ଼ିଶା ଛାରଖାର । ଫୋନି ତାଣ୍ଡବ ରଚୁଥିବା ବେଳେ କିଛି ଦୃଶ୍ୟକୁ କ୍ୟାମେରାରେ ତୋଳି ଧରିଥିଲେ ଆମ ରିପୋର୍ଟର ଏବଂ ଦର୍ଶକ । ଇଏ ହେଉଛି ରାଜଧାନୀର ଚିତ୍ର । ବଡ଼ ବଡ଼ ଆପାର୍ଟମେଣ୍ଟ ନିର୍ମାଣ କାମରେ ବ୍ୟବହୃତ କ୍ରେନ ପବନ ପାଖରେ ନିଜକୁ ସମର୍ପିତ କରି ତଳେ ଶୋଇଯାଉଛି ।ଭୁବନେଶ୍ବର ପଟିଆର ଏ ଦୃଶ୍ୟ ଅତି ପାଖରୁ ଯିଏ ଦେଖିଛି, ସିଏ ଜାଣିଛି ପ୍ରକୃତି ଉଗ୍ର ହେଲେ କ’ଣ ହୁଏ ।  ସୁନ୍ଦରପଦାରେ ପେଟ୍ରୋଲ ପମ୍ପର ସେଡ୍ ବି ଚାହୁଁ ଚାହୁଁ ଉଡ଼ିଗଲା । ଫୋନି ଯେମିତି ପଣ କରିକି ଆସିଥିଲା ସମସ୍ତଙ୍କୁ ଛୁଇଁବ ବୋଲି । ଧୂଳି ଉଡ଼ିବା ସହ ଘର ଉପରର ଟିଣ ଛପର ସାଏଁ କିନା ଯାଇ ଆଉ ଠାଏ । ଚାହୁଁ ଚାହୁଁ ମୁଣ୍ଡ ଉପରୁ ଛାତ ନେଇଯାଉଥାଏ ବାତ୍ୟା ।

ପୁରୀ ଜିଲ୍ଲାକୁ ଛିନଛତ୍ର କରିଦେଇଛି ଫୋନି । ନିମାପଡ଼ା ବସ୍ ଷ୍ଟାଣ୍ଡ ନିକଟରେ ଥିବା ବଜାରକୁ ତ ସ୍ଥାନୀୟ ଲୋକେ ଚିହ୍ନି ପାରୁନାହାଁନ୍ତି । ପିପିଲି ଏବଂ ଅସ୍ତରଂଗରେ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି ବାତ୍ୟା । ଶହ ଶହ ପାନ ବରଜ ଏଠି ମାଟିରେ ମିଶିଛି ।ଗାଁ ଗଣ୍ଡା କଥା ନକହିବା ଭଲ । ଫୋନି ଫଣା ଟେକିଥିବାରୁ ଲୋକେ ଘରୁ ବାହାରିପାରିନିଥିଲେ । ଭିତରେ ରହି ସୁ…ସୁ ଗର୍ଜନ ଶୁଣୁଥିଲେ …ହେଲେ ପବନ କମିବା ପରେ ଯେତେବେଳେ ଲୋକେ ବାହାରକୁ ବାହାରିଲେ ସେତେବେଳେ ମହାଦ୍ରୁମ ସବୁ ନଇଁପଡ଼ିଥିବାର ଦୃଶ୍ୟ ଦେଖି ହତବାକ୍ ସମସ୍ତେ । ଲୁହା ଏବଂ କଂକ୍ରିଟରେ ତିଆରି ବିଜୁଳି ଖୁଣ୍ଟ ବି ମୋଡ଼ି ମକଚି ହେଇ ଗଛରେ ଲଟକି ଥିଲେ ନହେଲେ ତଳେ ଶୋଇଯାଇଥିଲା ।

ମୁଁ ଯାଇଛି । କିନ୍ତୁ ଏମିତି କରିକି ଯାଇଛି ଯେ ତମେ ସେଥିରୁ ସହଜରେ ମୁକୁଳି ପାରିବନି । ପ୍ରକୃତିର ଉପରେ ନିତି ଦାଉ ସାଧୁଥିବା ମଣିଷକୁ ଏମିତି ଚେତେଇଦେଇଯାଇଛି ଫୋନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.