ବିଧାନସଭାରେ ‘ଅନାସ୍ଥା ପ୍ରସ୍ତାବ’ ଆଗତର ଉଦ୍ଦେଶ୍ୟ ସଫଳ ହୋଇଛି ! ଦୃଢତାର ସହ ଉପସ୍ଥାପନ କରିଛୁ ଚାଷୀଙ୍କ ପ୍ରସଙ୍ଗ: ହୁଡ୍ଡା

Published By : Prameya-News7 Bureau | March 10, 2021 IST

ଚଣ୍ଡିଗଡ଼ ୧୦।୩: ହରିୟାଣା ବିଧାନସଭାରେ ବୁଧବାର ବିଜେପି-ଜେଜେପି ମେଣ୍ଟ ବିରୋଧରେ କଂଗ୍ରେସ ଆଗତ କରିଥିବା ନୋ କନଫିଡେନ୍ସ ମୋସନ (ଅନାସ୍ଥା ପ୍ରସ୍ତାବ) କାଟ୍ ଖାଇ ଯାଇଛି। ତେବେ ପ୍ରସ୍ତାବ ଆଗତର ଉଦ୍ଦେଶ୍ୟ ପୂରଣ ହୋଇଥିବା କହିଛନ୍ତି ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା।

ହୁଡ୍ଡା କହିଛନ୍ତି ଯେ ସରକାର ସଦନରେ ନିଜସଂଖ୍ୟାଗରିଷ୍ଠତା ପ୍ରମାଣିତ କରିଛନ୍ତି। ହେଲେ ଜନତାଙ୍କ ନଜରରେ ଏବେ ବାମନ ହୋଇଯାଇଛନ୍ତି। ବିଧାନସଭାରେ ସରକାରଙ୍କ ସହଯୋଗୀ ଜନନାୟକ ଜନତା ପାର୍ଟି (ଜେଜେପି) ଓ ନିର୍ଦ୍ଦଳୀୟ ବିଧାୟକଙ୍କ ଲାଗି ଲୋକପ୍ରତିନିଧି ଭାବେ ନିଜ ଦାୟିତ୍ୱ ନିର୍ବାହ ନିମନ୍ତେ ଆମର ପ୍ରସ୍ତାବ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। ହେଲେ କ୍ଷମତା ଲୋଭ ସେମାନଙ୍କ ଆଖିରେ ଅନ୍ଧପୁଟିଳି ବାନ୍ଧି ଦେଇଥିବା ଜନତାଙ୍କ ନଜରରେ ପ୍ରମାଣିତ ହୋଇପାରିଛି ବୋଲି ହୁଡ୍ଡା କହିଛନ୍ତି।  

ତେବେ ସଂଖ୍ୟମତରେ କମ ଥିବା ସତ୍ତ୍ୱେ କଂଗ୍ରେସ ଗୃହରେ ଚାଷୀଙ୍କ ପକ୍ଷ ଦୃଢତାର ସହ ଉପସ୍ଥାପନ କରିବା ସହ ବିରୋଧୀ ଦଳ ଭାବେ ନିଜ ରାଜନୈତିକ କର୍ତ୍ତବ୍ୟ ପାଳନ କରିଛି। ଆମେ ଚାଷୀଙ୍କ ଉପରେ ଲାଢିମାଡ, ଲୁହବୁହା ବାସ୍ପ ପ୍ରୟୋଗ, ପାଣିମାଡ ଓ ମିଥ୍ୟା ମୋକଦ୍ଦମା କରିଥିବା ସରକାରଙ୍କ ବିରୋଧରେ ଭୋଟ ଦେଇଛୁ। ଭବିଷ୍ୟତରେ ମଧ୍ୟ କଂଗ୍ରେସ ରାଜ୍ୟରେ ଚାଷୀଙ୍କ ସ୍ୱାର୍ଥପକ୍ଷରେ ଛିଡା ହେବ ଓ ସଡକରୁ ଆରମ୍ଭ କରି  ବିଧାନସଭା ସଦନ ପର୍ଯ୍ୟନ୍ତ କୃଷକଙ୍କ ହୀତ ରକ୍ଷା ଲାଗି ଶ୍ୱର ଉତ୍ତୋଳନ କରିବ ବୋଲି ହୁଡ୍ଡା କହିଛନ୍ତି।

{"id":420959,"width":577,"height":417,"sizeSlug":"large","linkDestination":"none"}

ସେହିପରି ସଂଖ୍ୟାମତ ନଥିଲେ ବି ଆମେ ମେଣ୍ଟ ସରକାରଙ୍କ ବିରୋଧରେ ଆମେ ଅନାସ୍ଥା ପ୍ରସ୍ତାବ ଆଣିଥିଲୁ। ଏଥିଲାଗି ଆମେ ବାଚସ୍ପତିଙ୍କୁ ଗୁପ୍ତ ଭୋଟ କରିବାକୁ ନିବେଦନ ମଧ୍ୟ କରିଥିଲୁ। ହେଲେ ସରକାରଙ୍କ ସଲା ସୁତୁରାରେ ବାଚସ୍ପତି ଏଥିଲାଗି ଗୃହରେ ଅନୁମତି ଦେଇ ନଥିଲେ। ଏଥିରୁ ରାଜ୍ୟର ବିଫଳ ସରକାର ନିଜର ଦଳର ବିଧାୟକ ଧୋକା କରିପାରନ୍ତି ବୋଲି ସନ୍ଦେହରେ ଥିବା ପ୍ରମାଣିତ ହୋଇଛି ବୋଲି କହିଛନ୍ତି ହୁଡ୍ଡା।

ତେବେ ରାଜ୍ୟରେ ଚାଲିଥିବା ବିଜେପି-ଜେଜେପି ସରକାର ଜନତାଙ୍କ ବହୁମତ ଆଧାରରେ ଅବସ୍ଥାପିତ ନାହିଁ। ଏଣୁ ବୈଶାଖୀ ସାହାରାରେ ଚାଲିଥିବା ସରକାର କେଉଁ ମୂହୂର୍ତ୍ତରେ ଭାଙ୍ଗିପଡିବ ସେ ନିଜେ ମଧ୍ୟ ଜାଣନ୍ତିନି। ଏପରି ସରକାରଙ୍କ ଚରମ ପରିସ୍ଥିତି ମଧ୍ୟ ସେଇଆ ହୋଇଥାଏ। ଏହି ସରକାର ମଧ୍ୟ ଶେଷରେ ନିଜ ବିଫଳତାର ବୋଝ ତଳେ ଚପି ଖୁବ୍ ଶୀଘ୍ର ଭୂଷୁଡିବ। ଯେତେବେଳେ ଜନତାଙ୍କୁ ସୁଯୋଗ ମିଳିବ ସେତେବେଳେ ବିଜେପି ଓ ଜେଜେପି ରାଜ୍ୟରେ ନିଜର ସ୍ଥିତି ସାଉଣ୍ଟୁଥିବେ ବୋଲି ହୁଡ୍ଡା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.