ଗଲଓ୍ଵାନ ଘାଟିରେ ସହିଦ ୨୦ ଯବାନଙ୍କୁ ମିଳିଲା ସମ୍ମାନ, ରାଷ୍ଟ୍ରୀୟ ସମର ସ୍ମାରକରେ ଖୋଦେଇ ହେବ ନାମ

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦।୦୭: ପୂର୍ବ ଲଦାଖର ଗଲଓ୍ଵାନ ଘାଟିରେ ଚୀନ ସୈନିକଙ୍କ ସହ ରକ୍ତାକ୍ତ ସଂଘର୍ଷରେ ସହିଦ ୨୦ ଭାରତୀୟ ସୈନ୍ୟକର୍ମୀଙ୍କ ନାମ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସମର ସ୍ମାରକରେ ଲିପିବଦ୍ଧ କରାଯିବ। ଅଧିକାରୀ କହିଛନ୍ତି ସ୍ମାରକରେ ସୈନ୍ୟ କର୍ମୀଙ୍କ ନାମ ଖୋଦେଇ କରାଯିବା ପ୍ରକ୍ରିୟା କିଛି ମାସ ଚାଲିବ।

ଗତ ପାଞ୍ଚ ଦଶନ୍ଧି ପରେ ଜୁନ ୧୫ ରାତ୍ରିରେ ଗଲଓ୍ଵାନ ଉପତ୍ୟକାରେ ଚୀନ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏଥିରେ ୧୬ତମ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ ଅଧିକାରୀ କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ସମେତ ୨୦ ସୈନିକ ସହିଦ ହୋଇଥିଲେ। ଏହି ଘଟଣା ପରେ ପୂର୍ବ ଲଦାଖ ସୀମାରେ ଉତ୍ତେଜନା ବଢି ଯାଇଥିଲା।

ଗଲଓ୍ଵାନ ଘାଟିରେ ପାଟ୍ରୋଲିଂ ପଏଣ୍ଟ ୧୪ ନିକଟରେ ଚୀନ ଦ୍ଵାରା ତମ୍ବୁ କଢାଯିବାକୁ ବିରୋଧ କରିବାରୁ ଚୀନ ସୈନିକ ଭାରତୀୟ ସୈନିକଙ୍କ ଉପରେ ପଥର, ମୁନିଆ ଅସ୍ତ୍ର ଶସ୍ତ୍ର, ଲୁହା ରଡ ଆଦି ଧରି ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୨୦ ଭାରତୀୟ ସୈନିକ ସହିଦ ହୋଇଥିଲେ। ଅନ୍ୟପଟେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ଚୀନର ୪୩ ସୈନିକ ନିହତ  ହୋଇଥିବା କୁହାଯାଇଛି।

କିନ୍ତୁ ଆମେରିକାର ଏକ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଚୀନ ପକ୍ଷର ୩୫ ସୈନିକ ମୃତାହତ ହୋଇଥିଲେ। ପୂର୍ବ ଲଦାଖରେ ଜୁଲାଇ ୧୭ରେ ଲୁକୁଙ୍ଗ ଆଗୁଆ ଘାଟି ଗସ୍ତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ସୈନିକଙ୍କ ସହିତ ଭାରତୀୟ ସୈନିକଙ୍କ ମୁକାବିଲାକୁ ଅଦ୍ଭୁତପୂର୍ବ ଦର୍ଶାଇଥିଲେ। ସେ ବିହାର ରେଜିମେଣ୍ଟ ସୈନିକଙ୍କ ଶୌଯ୍ୟ ଓ ବୀରତ୍ଵର ଖୁବ୍ ପ୍ରଶଂସା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.