ପ୍ରେମ ହେଲା କାଳ : ପ୍ରେମିକ ସହ ଏକାଠି ରହିଥିବାରୁ ଝିଅକୁ ହତ୍ୟା କଲେ ପରିବାର ଲୋକେ

Published By : Prameya-News7 Bureau | May 11, 2020 IST

ହିସାର ୧୧/୫: ହିସାରର ନିକଟବର୍ତ୍ତୀ ଗାଁ ଭୈରୀଆକବରରେ ଅନର କିଲିଂର ମାମଲା ସାମନାକୁ ଆସିଛି। ଏହି ଗାଁର ଜଣେ ୨୩ବର୍ଷ ବୟସ୍କା ଯୁବତୀଙ୍କୁ ତାଙ୍କ ପରିବାରଲୋକେ ହତ୍ୟା କରି ଗୁପଚୁପ ଭାବେ ଶବର ଅନ୍ତିମ ସଂସ୍କାର କରି ଦେଇଛନ୍ତି। ଉକଲାନା ପୋଲିସ୍ ଯୁବତୀଙ୍କ ପ୍ରେମିକଙ୍କ ଅଭିଯୋଗରେ ଯୁବତୀଙ୍କ ବାପା-ମାଆଙ୍କ ସହ ୬ଜଣଙ୍କ ବିରୋଧରେ ହତ୍ୟା ଏବଂ ଶବ ଅନ୍ତିମ ସଂସ୍କାର କରିବା ମାମଲା ରୁଜୁ କରିଛି। ପ୍ରେମିକଙ୍କ ଜୀବନକୁ ବିପଦ ରହିଥିବାରୁ ପୋଲିସ୍ ସୁରକ୍ଷା ବ୍ୟବସ୍ଥା କରିଛି।

ଏହି ମାମଲାରେ ମୃତ ଯୁବତୀଙ୍କ ଏକ ଭିଡିଓ ମଧ୍ୟ ଆସିଛି ଯାହା ଯୁବତୀଙ୍କ ହତ୍ୟା ପୂର୍ବର। ଭିଡିଓରେ ଯୁବତୀ କହିଛନ୍ତି ଯେ ସେ ରାକେଶ ସହ ନିଜ ଇଚ୍ଛାରେ ରହୁଛନ୍ତି। କୋର୍ଟରୁ ଲିଭିଂ ରିଲେସନର ସାର୍ଟିଫିକେଟ ମଧ୍ୟ ଆଣିଛନ୍ତି,କିନ୍ତୁ ତାଙ୍କ ଘର ଲୋକ ଏହି ସମ୍ପର୍କରେ ଖୁସି ନାହାନ୍ତି। ତେଣୁ ଏଥିପାଇଁ ଯଦି ତାଙ୍କ,ରାକେଶ କିମ୍ବା ରାକେଶଙ୍କ ଘରଲୋକଙ୍କ ସହ କିଛି ହେଉଛି ତେବେ ଏହା ପାଇଁ ତାଙ୍କ ଘର ଲୋକେ ଦାୟୀ ହେବେ।

ସୂଚନା ଅନୁଯାୟୀ ଧାୟସୁ ଗାଁ ବାସିନ୍ଦା ରାକେଶଙ୍କ ବିଠମଡ଼ାର ଯୁବତୀ ମମତାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେମାନେ ଭିନ୍ନ ଭିନ୍ନ ଜାତିର ହୋଇଥିବା ସତ୍ବେ ପରସ୍ପରକୁ ବିବାହ କରୁଥିଲେ। ଏହା ବିଷୟରେ ଯୁବତୀଙ୍କ ପରିବାର ଲୋକେ ଜାଣିଥିଲେ। ଏଥିପାଇଁ ମମତାଙ୍କ ପରିବାର ଲୋକେ ଏହି ସମ୍ପର୍କକୁ ନେଇ ରାଜି ନଥିଲେ।

ରାକେଶଙ୍କ କହିବା ଅନୁସାରେ ମମତା ମାର୍ଚ୍ଚ ୧୩ତାରିଖରେ ଘରୁ ବାହାରି ତାଙ୍କ ପାଖକୁ ଆସିବାରୁ ସେ ମମତାଙ୍କୁ ନେଇ ସଦର ଥାନାରେ ପହଞ୍ଚିଥିଲେ। ସେଠାରେ ମମତା ତାଙ୍କ ଜୀବନ ପ୍ରତି ବିପଦ ଥିବାର କହି ତାଙ୍କ ଘରକୁ ଯିବାକୁ ମନା କରି ଦେଇଥିଲେ। ଏହା ପରେ ମମତା ଏବଂ ରାକେଶ ଏକାଠି ଫେରି ଆସିଥିଲେ। ମାର୍ଚ୍ଚ ୧୪ତାରିଖରେ ସେମାନେ କୋର୍ଟରୁ ଲିଭିଂ ରିଲେସର ସାର୍ଟିଫିକେଟ କରିଥିଲେ। ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଘରୁ ବାହାରି ଅନ୍ୟ ସ୍ଥାନରେ ରହିବାକୁ ଲାଗିଥିଲେ। କିଛି ଦିନ ତଳେ ମମତାଙ୍କ ବାପା ଫୋନ୍ କରି କହିଥିଲେ ଯେ ସେମାନେ ପରସ୍ପର ସହ ବସି କଥା ହେବାକୁ ଚାହୁଁଛନ୍ତି।

ଏହା ପରେ ରାକେଶ ଏବଂ ମମତା ଏକ ସଂସ୍ଥା ସହ ଯୋଗାଯୋଗ କରିବା ପରେ ମମତାଙ୍କ ପରିବାର ଲୋକଙ୍କ ସହ କଥା ହେବାକୁ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଆଶ୍ବାସନା ଦିଆଯାଇଥିଲା ଯେ ମମତାଙ୍କ ଜଣେ ବଡ଼ ଭଉଣୀଙ୍କ ବିବାହ ହେବା ପରେ ସେମାନଙ୍କ ବିବାହ କରି ଦିଆଯିବ। ଏହା ପରେ ମମତା ନିଜ ପରିବାର ଲୋକଙ୍କ ସହ ଚାଲି ଯାଇଥିଲେ। ଅପ୍ରେଲ୍ ୪ତାରିଖ ଯାଏଁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଏହା ପରେ ତାଙ୍କୁ ଖବର ମିଳିଥିଲା ଯେ ମମତାଙ୍କୁ ହତ୍ୟା କରି ଦିଆଯାଇଛି। ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.