ଅମ୍ବାଲା ଜେଲରୁ ମୁକୁଳିଲେ ହନିପ୍ରୀତ, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମଙ୍କର ଥିଲେ ନିକଟତମ ସହଯୋଗୀ
6/11/2019 at 9:25 PM

ଅମ୍ବାଲା : ଡେରା ସଚ୍ଚା ସୌଦା ମୁଖିଆ ଗୁରମିତ ସିଂହ ରାମ ରହିମଙ୍କ ନିକଟତମ ସହଯୋଗୀ ହିନିପ୍ରୀତ ବୁଧବାର ଅମ୍ବାଲା ଜେଲରୁ ମୁକ୍ତ ହୋଇଛନ୍ତି। ପଞ୍ଚକୁଲା କୋର୍ଟରୁ ଜାମିନ ମିଳିବାମାତ୍ରେ ହନିପ୍ରୀତ ଜେଲରୁ ପଦାକୁ ଆସିଥିଲେ। ତାଙ୍କୁ ଅପେକ୍ଷା କରି ରହିଥିବା ଡେରା ପରିବାର ଲୋକଙ୍କ ସହ ସେ ଯାଇଛନ୍ତି। ୨୦୧୭ ମସିହା ଅଗଷ୍ଟ ୨୫ ତାରିଖ ଦଙ୍ଗା ମାମଲାରେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଗତ ୨ ତାରିଖରେ କୋର୍ଟ ହନିପ୍ରୀତ ଓ ଅନ୍ୟ ୧୫ ଜଣଙ୍କ ବିରୋଧରେ ଆଗତ ରାଜଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରିଥିଲେ। ଏଣୁ ବୁଧବାର ତାଙ୍କୁ ଜାମିନ ମିଳିଯାଇଛି। ଅମ୍ବାଲା ଜେଲରେ ବନ୍ଦୀ ହନିପ୍ରୀତଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା।

ଦଙ୍ଗାରେ ପ୍ରାଣ ହରାଇଥିଲେ ୩୬ ଜଣ
ସାଧ୍ୱୀ ଯୌନ ଶୋଷଣ ମାମଲାରେ କୋର୍ଟ ୨୫ ଅଗଷ୍ଟ ୨୦୧୭ରେ ସଜା ସୁଣାଇଥିଲେ। ଫଳରେ ପଞ୍ଚକୁଲାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଡେରା ସମର୍ଥକମାନେ ଦଙ୍ଗାକୁ ଓହ୍ଲାଇ ଆସିଥିଲେ। ଦଙ୍ଗାକାରୀମାନେ ରାସ୍ତାରେ ଆତଯାତ କରୁଥିବା ଅନେକ ଯାନବାହନ ସମେତ ସରକାରୀ କାର୍ଯ୍ୟାଳୟ ଓ ପେଟ୍ରୋଲ ପମ୍ପ ଆଦିରେ ନିଆଁ ଲଗାଇ ଦେଇଥିଲେ। ଦଙ୍ଗା ଓ ଅଗ୍ନିକାଣ୍ଡରେ ସେଦିନ ୩୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ପୋଲିସ ଦଙ୍ଗା ଉସକାଇବା ଅଭିଯୋଗରେ ହନିପ୍ରୀତକୁ ଗିରଫ କରିଥିଲା। ତାଙ୍କ ବିରୋଧରେ ରାଜଦ୍ରୋହ ଓ ଅନ୍ୟ ମାମଲାରେ ମୋକଦ୍ଦମା ରୁଜୁ କରାଯାଇଥିଲା।

୩୮ ଦିନ ପରେ ଧରାପଡିଥିଲେ ହନିପ୍ରୀତ
ପଞ୍ଚକୁଲା ହିଂସା ପରେ ପୋଲିସ ହନିପ୍ରୀତକୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ କରିଥିଲା ତେବେ ଦଙ୍ଗା ବେଳେ ହନିପ୍ରୀତ ଆଶ୍ରମରୁ ଖସି ପଳାଇଥିଲେ। ଦୀର୍ଘ ୩୮ ଦିନ ପର୍ଯ୍ୟନ୍ତ ଫେରାର ରହିବା ପରେ ପଞ୍ଜାବରୁ ପୋଲିସ ଗିରଫ କରିଥିବା ଦାବି କରିଥିଲା। ତେବେ ପରେ ଜେଲରେ ଭିଡିଓ କନଫରେନସିଂ ମାଧ୍ୟମରେ ତାଙ୍କର ଶୁଣାଣି କରାଯାଇଥିଲା।

୧୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ
ପଞ୍ଚକୁଲା ହିଂସା ଓ ଅନ୍ୟ ମାମଲାରେ ପୋଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁମାନଙ୍କ ବିରୋଧରେ ପୋଲିସ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା ସେମାନଙ୍କ ମଧ୍ୟରେ ହନିପ୍ରୀତ, ସୁଖଦୀପ କୌର, ରାକେଶ କୁମାର ଆରୋରା, ସୁରେନ୍ଦ୍ର ଧିମାନ, ଚମକୌର ସିଂହ, ଦାନ ସିଂହ, ଗୋବିନ୍ଦ ରାମ, ପ୍ରଦୀପ ଗୋୟଲ ଓ ଖୈରାତି ଲାଲ ପ୍ରମୁଖ ଥିଲେ। ସେମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ ହୋଇଥିଲା।