ସମଲିଙ୍ଗୀ ଯୁବତୀଙ୍କ ସୁରକ୍ଷା ମାମଲା : ଭିଡିଓ କନଫରେନ୍ସିଂରେ ହାଇକୋର୍ଟରେ ହାଜର ହେଲେ ବାନ୍ଧବୀ, ବୁଧବାର ଫଇସଲା

Published By : Prameya-News7 Bureau | August 18, 2020 IST

କଟକ ୧୮।୮: ଜଣେ ଯୁବତୀ ହାଇକୋର୍ଟରେ ରୁଜୁ କରିଥିବା ହେବିଅସ୍‌ କର୍ପସ ମାମଲାର ଶୁଣାଣି ବେଳେ ସୋମବାର ଯାଜପୁର ଏସ୍‌ପି ଆବେଦନକାରିଣୀଙ୍କ ସମଲିଙ୍ଗୀ ସାଥୀଙ୍କୁ ହାଇକୋର୍ଟରେ ଭିଡିଓ କନ୍‌ଫରେନ୍ସିଂ (ଭିସି) ଜରିଆରେ ହାଜର କରିଛନ୍ତି । ପୀଡ଼ିତା ଯୁବତୀ ଖଣ୍ଡପୀଠଙ୍କ ସହ ସିଧାସଳଖ କଥା ହୋଇ ନିଜ ମତ ରଖିଥିଲେ । ପୀଡ଼ିତାଙ୍କ ସହ କଥା ହେବା ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌. କେ. ମିଶ୍ର ଏବଂ ବିଚାରପତି ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ବୁଧବାରକୁ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ପ୍ରଥମ ଥର ଲାଗି ପୀଡ଼ିତାଙ୍କ ମା’ ଓ ମାମୁଙ୍କ ପକ୍ଷରୁ ଆଇନଜୀବୀ ଅରୁଣ କୁମାର ବୁଧିଆ ପକ୍ଷ ରଖିଥିଲେ। ପୀଡ଼ିତାଙ୍କର ଇଛା ବିରୋଧରେ ପୁଲିସ୍‌ ତାଙ୍କଠାରୁ ଲେଖା ଲେଖେଇ ନେଇଛି ବୋଲି ସେ ଅଭିଯୋଗ ବାଢ଼ିଥିଲେ। ଆବେଦନକାରିଣୀ ଯୁବତୀ ଚିନ୍ମୟୀ ଜେନା ଓରଫ ସୋନୁ କ୍ରିଷ୍ଣା ଜେନାଙ୍କ ଅଭିଯୋଗ ଅନୁଯାୟୀ ପୀଡ଼ିତା ଯୁବତୀ ଏବଂ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ତାଙ୍କ ସମଲିଙ୍ଗୀ ସାଥୀଙ୍କୁ ତାଙ୍କ ମା’ ଏବଂ ମାମୁ ଜବରଦସ୍ତ ଉଠାଇ ନେବାରୁ ସେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ପୁଲିସ୍‌ କୌଣସି ପଦକ୍ଷେପ ନନେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ଯାଜପୁର ଏସ୍‌ପିଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଯାଜପୁର ଏସ୍‌ପିଙ୍କ ପକ୍ଷରୁ ଗତ ଶୁଣାଣିରେ ଲିଖିତ ରିପୋର୍ଟ ଅଦାଲତରେ ଦାଖଲ ହୋଇଥିଲା । ପୀଡ଼ିତା, ଯୁବତୀଙ୍କ ସହ ରହିବାକୁ ଚାହୁଁଥିବା ଏଥିରୁ ଜଣାପଡ଼ିଥିଲା । ପୁଲିସ୍‌ର ଏହି ରିପୋର୍ଟ ପରେ ହାଇକୋର୍ଟ ଯୁବତୀଙ୍କ ସହ ସିଧାସଳଖ କଥା ହୋଇ ତାଙ୍କ ମତାମତ ଜାଣିବାକୁ ଚାହିଁଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯାଜପୁର ଏସ୍‌ପି ତାଙ୍କୁ ହାଜର କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.