ଚେହେରାକୁ କେମିତି କରିବେ ଡଉଲ ଡାଉଲ, ଜାଣନ୍ତୁ ଗାଲକୁ ମୋଟା କରିବାର ଉପାୟ
18/08/2019 at 4:36 PM

ଅଧିକାଂଶ ଲୋକ ହାଇ ଚିକ୍ବୋନ୍ସକୁ ସୌନ୍ଦର୍ଯ୍ୟ କୁହନ୍ତି ଓ ଓହଳିପଡିଥିବା ଗାଲ ବୟସ ବଢିବାର ସଂକେତ ଦେଇଥାଏ। ହେଲେ ଗାଲ ଠିକ୍ ଆକାରରେ ଥିଲେ ଓ ଚେହେରା ଭରାପୂରା ଥିଲେ ପ୍ରତ୍ୟେକ ମଣିଷ ଆକର୍ଷଣୀୟ ଲାଗେ। ଏହାକୁ ଚେହେରାର ଏକ ପର୍ଫେକ୍ଟ ଲୁକ ବୋଲି କୁହାଯାଏ। ସୁନ୍ଦର ଡଉଲଡାଉଲ ଗୋଲାପି ଗାଲ ସମସ୍ତେ ପସନ୍ଦ କରନ୍ତି। କାରଣ ଗାଲ ଡଉଲ ଡାଉଲ ନଥିଲେ ଯେତେ ମେକ୍ଅପ୍ କରିଲେ ମଧ୍ୟ ସୁନ୍ଦର ଲାଗିନଥାଏ।
ଏହା ସହ ଶରୀରରେ ପୌଷ୍ଟିକ ତତ୍ତ୍ବ କମ ଥିଲେ ଗାଲରେ ମାଂସ ଲାଗେ ନାହିଁ ଓ ଖରାପ ଦେଖାଯାଏ। ଡଉଲ ଡାଉଲ ଗାଲ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ଆପଣାନ୍ତି। ହେଲେ ଅଧିକାଂଶ ଲୋକଙ୍କୁ ଫାଇଦା ମିଳିନଥାଏ। ତେବେ ଜାଣନ୍ତୁ କିଛି ଘରୋଇ ଉପଚାର ଯାହା ଦ୍ବାରା ଗାଲ ଡଉଲ ଡାଉଲ ଦେଖାଯିବ। ଗାଲକୁ ସୁସ୍ଥ କରିବା ପାଇଁ ମହୁ ଦରକାର।

ମହୁ ଚେହେରାକୁ ମୟଶ୍ଚରାଇଜ୍ କରେ ଓ ତ୍ବଚାକୁ ସୁସ୍ଥ ରଖେ। କାରଣ ମହୁରେ ଆଣ୍ଟିଅକ୍ସିଡେଣ୍ଟ ଥାଏ ଯାହା ଚେହେରାରେ ଜମିଥିବା ବିଷାକ୍ତ ପଦାର୍ଥକୁ ଦୂର କରେ। ଏହା ବ୍ୟତୀତ ପାଚିଲା ଅମୃତଭଣ୍ଡା ପେଶି ଗୋଟେ ଚାମୁଚ ମହୁ ମିଶାଇ ଚେହେରାରେ ଲଗାଇଲେ ଫାଇଦା ହୁଏ। ଏହି ପେଷ୍ଟକୁ ୧୦ ମିନିଟ୍ ଯାଏଁ ଲଗାଇ ରଖିବା ପରେ ଥଣ୍ଡା ପାଣିରରେ ମୁହଁ ଧୋଇଲେ ଫରକ ନଜର ଆସିବ। ପ୍ରତିଦିନ ସକାଳେ ଏହି ପେଷ୍ଟ ଲଗାଇଲେ ଚେହେରା ଫେଟି ଓ ଡଉଲ ଡାଉଲ ହୋଇଯିବ।
ଚେହେରାର ସୌନ୍ଦର୍ଯ୍ୟ ପାଇଁ ଅଧିକ ଖାଇବା ଓ ଶୋଇବା ଜରୁରୀ। ପ୍ରତିଦିନ ୮ ଗ୍ଲାସ ପାଖାପାଖି ପାଣି ପିଇବା ଉଚିତ୍। ୮ ଘଣ୍ଟା ଶୋଇବା ଓ ୮ ଗ୍ଲାସ ପାଣି ପିଇବାର ପ୍ରଭାବ ଧିରେ ଧିରେ ଚେହେରାରେ ପରିବର୍ତ୍ତନ ଦେଖାଯିବ। ଗାଲ ଡଉଲ ଡାଉଲ କରିବା ପାଇଁ ପ୍ରତିଦିନ ଗାଲକୁ ବେଲୁନ ଭଳିଆ ଫୁଲାଇବା ଉଚିତ୍। ଏହି ପ୍ରକ୍ରିୟା ଦିନକୁ ୩ ଥର କରିଲେ କିଛି ମାସ ଭିତରେ ଗାଲ ସୁସ୍ଥ ହୋଇଯିବ।
ମେଥି ପେଷ୍ଟ ଗାଲକୁ ନରମ ଓ ଫୁଲାଇବାରେ ସାହାଯ୍ୟ କରେ। ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ ଚେହେରାକୁ ସୁସ୍ଥ ରଖେ। ମେଥି ଦାନାକୁ ରାତିରେ ଭିଜାଇ ସକାଳେ ଏହାର ପେଷ୍ଟ କରି ଗାଲରେ ଲଗାଇଲେ ତ୍ବଚାର ଅନେକ ପରିବର୍ତ୍ତନ ହେବ। ଚେହେରାରେ ଲଗାଇଥିବା ପେଷ୍ଟ ଶୁଖିବା ପରେ ପାଣିରେ ଧୋଇଦେବା ଉଚିତ୍। କିଛି ଦିନ ଯାଏଁ ଏହି ପ୍ରକ୍ରିୟା କରିଲେ ଚେହେରାରେ ଫରକ ନଜର ଆସିବ।
ସେଓ ଏକ ଏମିତି ଫଳ ଯେଉଁଥିରେ ଭରପୁର ମାତ୍ରାର ପୌଷ୍ଟିକ ତତ୍ତ୍ବ ରହିଛି। ସେଓ ପେଷ୍ଟ କରି ପ୍ରତିଦିନ ଗାଲରେ ଲଗାଇଲେ ଏହା ଗାଲକୁ ଡଉଲ ଡାଉଲ କରିବାରେ ସାହାଯ୍ୟ କରିବ। ଏହି ପେଷ୍ଟକୁ ଚେହେରାରେ ୨୦ ମିନିଟ୍ ଯାଏଁ ଲଗାଇଲେ କିଛି ଦିନ ଭିତରେ ଗାଲ ସୁସ୍ଥ ହୋଇଯିବ। ଫଳରେ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ବଢିବ।

ସୋରିଷ ତେଲ ଗାଲକୁ ଆକର୍ଷଣୀୟ କରିବାରେ ସାହାଯ୍ୟ କରେ। ପ୍ରତିଦିନ ବାଦାମ ବା ସୋରିଷ ତେଲ ଲଗାଇ ୫ ମିନିଟ୍ ଚେହେରା ମାଲିଶ କଲେ ଏହା ଗାଲକୁ ଡଉଲ ଡାଉଲ କରିଦେବ। ଏହି ତେଲ ମାଲିଶ କଲେ ଗାଲ ଫୁଲିବ ଓ ସୁସ୍ଥ ରହିବ। ଚେହେରାକୁ ପ୍ରାକୃତିକ ଉପାୟରେ ଟାଇଟ୍ ରଖିବା ପାଇଁ ଗ୍ଲିସରୀନ ବ୍ୟବହାର କରିବା ଉଚିତ୍।
ଗୋଲାପ ଜଳ ଓ ଗ୍ଲିସରିନ୍ ମିଶାଇ ଚେହେରାରେ ଲଗାଇ ମାଲିଶ କରିଲେ ଗାଲର ଆକାରରେ ପରିବର୍ତ୍ତନ ଆସିବ। ଏହା ବ୍ୟତୀତ ପ୍ରତିଦିନ କ୍ଷୀର ପିଇବା ଉଚିତ୍। କାରଣ କ୍ଷୀରରେ ପ୍ରୋଟିନ, ଭିଟାମିନ ଭରପୁର ମାତ୍ରାରେ ଥାଏ ଯାହା କେବଳ ସ୍ବାସ୍ଥ୍ୟ ନୁହେଁ ବରଂ ଚେହେରାକୁ ମୟଶ୍ଚରାଇଜ୍ କରେ ଓ ଗାଲରେ ଫ୍ୟାଟ୍ ଜମା କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରତିଦିନ ୨ ଥର କ୍ଷୀର ପିଇବା ଆବଶ୍ୟକ।