ପ୍ରବଳ ଥଣ୍ଡାରେ ରାଜଧାନୀର ଫୁଟପାଥରେ ପରିବାର ସହ କଟୁଛି ଅନେକଙ୍କ ଜୀବନ, ତାଲା ପଡିଛି ବା ଜବରଦଖଲରେ ଅଧିକାଂଶ ରାତ୍ରି ଆଶ୍ରୟସ୍ଥଳ

Published By : Prameya-News7 Bureau | December 29, 2018 IST

ଭୁବନେଶ୍ବର ୨୯|୧୨: ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଜାଡ଼ର ମାଡ଼ରେ ବେହାଲ ହୋଇପଡ଼ୁଛି ଜନଜୀବନ । ସଞ୍ଜ ନଇଁଲେ ଶୂନଶାନ୍‌ ହୋଇଯାଉଛି ରାସ୍ତାଘାଟ । ଘର ଭିତରେ ଘୋଡ଼ାଇ ହୋଇ ବସୁଛନ୍ତି ଲୋକେ । ହେଲେ ଥରେ ଭାବନ୍ତୁ ତ ସହରର ଫୁଟ୍‌ଫାଥରେ ଜୀବନ ବିତାଉଥିବା ଅସହାୟଙ୍କ ଅବସ୍ଥା କ’ଣ ହେଉଥିବ । ଏମିତି ହାଡ଼ଭଙ୍ଗା ଶୀତ ରାତିରେ ରାଜଧାନୀର ରାସ୍ତାକଡ଼ରେ କେମିତି କଟୁଥିଲା ଅସହାୟଙ୍କ ଜୀବନ ପରଖିବାକୁ ବାହାରିଥିଲା ନ୍ୟୁଜ୍‌ ସେଭେନ୍‌ ଟିମ୍‌ । …..

{"id":68549}

ରାତି ୧୨ଟା ବାଜି ସାରିଥିଲା । ଅଫିସ ବାହାରକୁ ବାହାରିଲା ବେଳକୁ ଥଣ୍ଡାରେ ଥରିଉଠୁଥିଲା ଦେହ । ତଥାପି ରାଜଧାନୀର ଶୂନଶାନ ରାସ୍ତାରେ ଆଗକୁ ଗଡ଼ୁଥିଲା ଆମ ଗାଡ଼ି । ହେଲେ ଫୁଟ୍‌ପାଥ୍‌ ଉପରେ କୁନି କୁନି ଛୁଆଙ୍କୁ ଧରି ଶୋଇଥିବା ଗୋଟିଏ ପରିବାର ଉପରେ ନଜର ପଡ଼ିଲା । ହଠାତ୍‌ ଆଖିକୁ ବିଶ୍ବାସ ହେଉନଥିଲା । ମନକୁ ପ୍ରଶ୍ନ ଆସୁଥିଲା ଏତେ ଶୀତ କାକରରେ ପୁଣି ଖୋଲାଆକାଶ ତଳେ କେମିତି ଏମାନେ ଶୋଇଛନ୍ତି ? ଘର ଭିତରେ ଲୋକେ ଥରୁଛନ୍ତି ହେଲେ ଏମାନେ ଏମିତି ଅବସ୍ଥାରେ ପିଲାଛୁଆଙ୍କୁ ଧରି ରାସ୍ତାକଡ଼ରେ ପଡ଼ିଛନ୍ତି । ରାଜଧାନୀର ବରମୁଣ୍ଡା, ନୟାପଲ୍ଲୀ, ମାଷ୍ଟର କ୍ୟାଣ୍ଟିନ୍‌, ଜନପଥ ଜୁଆଡ଼େ ଦେଖ ସିଆଡ଼େ ଏମିତି ରାସ୍ତାକଡ଼ର ଫୁଟ୍‌ପାଥ୍‌ ଉପରେ ଲୋକ ଶୋଇଥିବାର ଦେଖିବାକୁ ମିଳିଥିଲା ।

{"id":68545,"width":592,"height":315}

ଏମିତି ଚିତ୍ର ନଜରକୁ ଆସିଲା ବେଳକୁ ରାତ୍ରୀ ଆଶ୍ରୟସ୍ଥଳୀ କଥା ମନକୁ ଆସିଥିଲା । ସହରାଞ୍ଚଳରେ ନିରାଶ୍ରୟ ଲୋକଙ୍କ ପାଇଁ ବିଏମସି ପକ୍ଷରୁ କୁଆଡ଼େ ରାଜଧାନୀରେ ଗୁଡ଼ାଏ ରାତ୍ରି ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିବା କୁହାଯାଇଥିଲା । ଯଦି ନିରାଶ୍ରୟଙ୍କ ପାଇଁ ରାତ୍ରୀ ଆଶ୍ରୟ ସ୍ଥଳୀ ଅଛି, ତାହେଲେ  ଥଣ୍ଡା ରାତିରେ ଏତେ ଲୋକ ଏମିତି ଅସହାୟ ହୋଇ ରାସ୍ତାକଡ଼ରେ ଶୋଇବାକୁ ବାଧ୍ୟ ହେଉଛନ୍ତି କାହିଁକି ? ଏ ପ୍ରଶ୍ନର ଉତ୍ତର ଖୋଜବାକୁ ଆମେ ରାଜଧାନୀର ଗୋଟାକ ପରେ ଗୋଟିଏ ଆଶ୍ରୟସ୍ଥଳୀରେ ପହଞ୍ଚିଥିଲୁ । କିଛି ଛକ, ବଜାର ପାଖ ଆଶ୍ରୟ ସ୍ଥଳୀକୁ ଛାଡ଼ିଦେଲେ  ଅନେକ ଆଶ୍ରୟସ୍ଥଳୀରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ମନରେ ପ୍ରଶ୍ନ ଆସୁଥିଲା ସରକାର କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏସବୁ ରାତ୍ରୀ ଆଶ୍ରୟସ୍ଥଳୀ ତିଆରି କରିଥିଲେ । ଯଦି ଶୀତ ରାତିରେ ଅସହାୟଙ୍କୁ ଏମିତି ଥରି ଥରି ଫୁଟପାଥ୍‌ରେ ଶୋଇବାକୁ ପଡ଼ୁଛି ତାହେଲେ ଏଭଳି ଆଶ୍ରୟସ୍ଥଳୀ ନିର୍ମାଣରେ କେଉଁ ଉଦେଶ୍ୟ ସଫଳ ହୋଇଛି । ୟା ଭିତରେ  ଟେନ୍‌ସନ୍‌ ଟିକେ ହାଲକା କରିବାକୁ ଆମେ ଚା’ ଟିକେ ପାଇଁ ରେଲଓ୍ବେ ଷ୍ଟେସନ ପାଖରେ ପହଞ୍ଚିଲୁ । ସେଠି କିନ୍ତୁ ଟିକେ ଗହଳି ଚହଳି ଥିଲା । ଜାଡ଼ ମାଡ଼ରେ ବି ନିଜ ପେଟ ପାଟଣା ପାଇଁ ଅଟୋ ଚାଳକମାନେ ବିଳମ୍ବିତ ରାତିରେ ଆସୁଥିବା ଟ୍ରେନ୍‌ଯାତ୍ରୀଙ୍କ ଆସିବା ବାଟକୁ ଅନେଇ ବସିଥିଲେ ।

{"id":68546,"width":590,"height":339}

ସ୍ମାର୍ଟ ସିଟି ଭୁବନେଶ୍ବରରେ ଇଏ ଥିଲା ଶୀତ ରାତିର ଚିତ୍ର । ଏହାକୁ  ଦେଖିବା ପରେ ଅନ୍ତତଃ ଫୁଟ୍‌ପାଥରେ ପିଲା ପରିବାରଙ୍କୁ ନେଇ ଶୋଉଥିବା ଏଇ ଅସହାୟଙ୍କ ପାଇଁ  ତିଆରି ହୋଇଥିବା ଆଶ୍ରୟସ୍ଥଳୀଗୁଡ଼ିକର ତାଲା ଖୋଲିବ ବୋଲି ଆଶା କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.