୧୦ ବର୍ଷ ହେଲା ରାସ୍ତାରେ ଜୀବନ ବିତାଉଥିଲେ: ଚୁଟି କାଟିବା ପରେ ଭାଇରାଲ ହେଲା ଫଟୋ, ପୁଣି ନିଜ ପରିବାରକୁ ଫେରି ପାଇଲେ ନିଖୋଜ ବ୍ୟକ୍ତି
22/12/2020 at 12:28 PM

ନୂଆଦିଲ୍ଲୀ ୨୨/୧୨ : ଆପଣ ଅଧିକାଂଶ ସମୟରେ ଶୁଣିଥିବେ କୁମ୍ଭ ମେଳାରେ ଭାଇ ଭାଇ ବିଛିନ୍ନ ହୋଇଯାଇଥାନ୍ତି ଏବଂ କିଛି ବର୍ଷ ପରେ ମିଳିଥାନ୍ତି। ଦୁନିଆରେ ଏମିତି ବହୁତ ଲୋକ ନିଖୋଜ ହୋଇଯାଆନ୍ତି ଏବଂ ନିଆରା ତରିକାରେ ମିଳିଥାନ୍ତି। ଏମିତି ଅନେକ କାହାଣୀ ରହିଛି ଯେତେବେଳେ ଜଣେ ନିଖୋଜ ହୋଇ ଏବଂ ଭିନ୍ନ ଏକ ଉପାୟରେ ନିଜ ପରିବାରକୁ ମିଳିଥାଏ। ତେବେ ଏହିଭଳି ନିଖୋଜ ଲୋକଙ୍କୁ ପାଇବାରେ ସୋସିଆଲ ମିଡ଼ିଆ ବହୁତ ସହାୟକ ପ୍ରମାଣିତ ହୋଇଛି। ସୋସିଆଲ ମିଡ଼ିଆ ଜରିଆରେ ଅନେକ ନିଖୋଜ ଲୋକ ନିଜ ପରିବାରକୁ ପାଇପାରିଛନ୍ତି। ଏମିତି ଜଣେ ବ୍ୟକ୍ତି ବ୍ରାଜିଲରେ ଅଛନ୍ତି। ସେ ପାଖାପାଖି ୧୦ ବର୍ଷ ହେଲା ନିଖୋଜ ଥିଲେ। ତାଙ୍କର ଚୁଟି ଓ ଦାଢ଼ି କଟାଗଲା ପରେ ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ ଭାଇରାଲ ହେଲା। ସୋସିଆଲ ମିଡ଼ିଆରେ ଭାଇରାଲ ଫଟୋ ତାଙ୍କ ପରିବାର ଯାଏଁ ପହଞ୍ଚିଗଲା। ବାସ୍…ତାପରେ ଯାହା ହୋଇଥିବ ଆପଣ ଜାଣିପାରୁଥିବେ। ୧୦ ବର୍ଷ ପରେ ତାଙ୍କ ପରିବାର ତାଙ୍କୁ ପାଇଥିଲେ।

ଏହି ବ୍ୟକ୍ତିଙ୍କ ନାଁ ହେଲା ମୁଗେରସ। ସେ ଗତ ୧୦ ବର୍ଷ ହେଲା ନିଖୋଜ ଥିଲେ। ସେ ଅନାଥ ଭଳି ରାସ୍ତାରେ ଜୀବନ ବିତାଉଥିଲେ। ତାଙ୍କର ଚୁଟି ଓ ଦାଢ଼ି ବହୁତ ବଢି ଯାଇଥିଲା। ତାଙ୍କୁ ଚିହ୍ନିବା ସମ୍ଭବ ନଥିଲା। ପରିବାର ଲୋକେ ବି ତାଙ୍କୁ ମୃତ ବୋଲି ଭାବି ନେଇଥିଲେ।
ବିଦେଶୀ ଗଣମାଧ୍ୟମ ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ବ୍ରାଜିଲର ଜଣେ ବ୍ୟବସାୟୀ ତାଙ୍କୁ ରାସ୍ତାରେ ବସିଥିବାର ଦେଖିଥିଲେ। ବ୍ୟବସାୟୀ ଜଣକ ହେଲେ ଏଲେସୌଣ୍ଡରୋ ଲୋବୋ। ସେ ମୁଗେରସଙ୍କୁ ସାହାଯ୍ୟ କରିବାକୁ ମନସ୍ଥ କଲେ। ସେ ମୁଗେରସଙ୍କ ପାଖକୁ ଯାଇ ତାଙ୍କୁ ଖାଇବା ପାଇଁ ପଚାରିଥିଲେ। କିନ୍ତୁ ମୁଗେରସ୍ ଖାଇବାକୁ ମନା କରିଦେଇଥିଲେ। ସେ ଲୋବୋଙ୍କୁ ଏକ ବ୍ଲେଡ ମାଗିଥିଲେ। ବ୍ଲେଡରେ ସେ ନିଜ ଚୁଟି ଓ ଦାଢ଼ି କାଟିବେ ବୋଲି କହିଥିଲେ।

ମୁଗେରସଙ୍କ କଥା ଶୁଣି ଲୋବୋ ତାଙ୍କୁ ଏକ ସେଲୁନକୁ ନେଇଯାଇଥିଲେ। ସେଠାରେ ସେ ତାଙ୍କର ଚୁଟି ଓ ଦାଢ଼ି କଟାଇ ସେଟ କରିଦେଇଥିଲେ। ଲୋବୋ ମୁଗେରସଙ୍କୁ ନୂଆ ଡ୍ରେସ୍ ମଧ୍ୟ ଉପହାର ଦେଲେ। ମୁଗେରସ ଚୁଟି କାଟିବା ପୂର୍ବରୁ ଲୋବୋ ତାଙ୍କର ଏକ ଫଟୋ ଉଠାଇଥିଲେ। ପୁଣି ଚୁଟି କାଟି ସାରିବା ପରେ ଆଉ ଏକ ଫଟୋ ଉଠାଇଥିଲେ। ଏହାପରେ ଦୁଇଟି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ।
https://www.instagram.com/p/CI1Sx_Pjlu2/?utm_source=ig_embed
ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଲା। ମୁଗେରସଙ୍କ ପରିବାର ଲୋକ ମଧ୍ୟ ତାଙ୍କ ଫଟୋ ଦେଖିଲେ। ମୁଗେରସ ଜୀବିତ ଥିବା ଜାଣି ପରିବାର ଲୋକେ ବହୁତ ଖୁସି ହୋଇଥିଲେ। ତାପରେ ପରିବାର ଲୋକ ଲୋବୋଙ୍କୁ ଯୋଗାଯୋଗ କରିଥିଲେ ଏବଂ ମୁଗେରସଙ୍କୁ ପାଇଥିଲେ। ଜଣେ ସାଧାରଣ ବ୍ୟକ୍ତିଙ୍କ ଏକ ଛୋଟ ପଦକ୍ଷେପ ପାଇଁ ମୁଗେରସଙ୍କୁ ନିଜ ପରିବାର ମିଳିଥିଲା। ସେଥିପାଇଁ ଜୀବନରେ କେବେ କାହାକୁ ସାହାଯ୍ୟ କରିବାକୁ ମଉକା ମିଳିଲେ ସେହି ମଉକାକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ। ଆମର ଏକ ଛୋଟ ପଦକ୍ଷେପ ଜଣକ ଜୀବନ ରକ୍ଷା କରିପାରେ।