କରୋନା ସଂକ୍ରମଣ ଚିନ୍ତା : ରାସ୍ତା କଡରେ ଶୋଉଥିବା ଲୋକଙ୍କୁ ପଞ୍ଚ ତାରକା ହୋଟେଲରେ ରଖିବ ଏହି ଦେଶ
31/03/2020 at 6:12 PM

କାନବେରା ୩୧।୩: ସାରା ବିଶ୍ବରେ କରୋନା ଭାଇରସ୍ ସଙ୍କଟ ଦେଖାଦେଇଛି । ପ୍ରତ୍ୟେକ ଦେଶ ନିଜ ନିଜ ପଦ୍ଧତିରେ କରୋନା ଭାଇରସ୍ ସଂକ୍ରମଣକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ଏକ ଦେଶ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ରାସ୍ତା କଡରେ ଶୋଉଥିବା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ପଞ୍ଚ ତାରକା ହୋଟେଲରେ ରଖାଯିବ ।

ଏହା ଅଷ୍ଟ୍ରେଲିଆର ପର୍ଥରେ ହେବାକୁ ଯାଉଛି । ରାସ୍ତା କଡରେ ଶୋଉଥିବା ଲୋକଙ୍କୁ ପ୍ରତି ରାତିକୁ ପ୍ରାୟ ୨୦,୦୦୦ ଟଙ୍କା ଭଡା ଥିବା ଏକ ହୋଟେଲକୁ ସ୍ଥାନାନ୍ତର କରାଯିବ । ପଶ୍ଚିମ ଅଷ୍ଟ୍ରେଲିଆ ସରକାର ଏହି ପ୍ରୋଜେକ୍ଟ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।
ପ୍ରୋଜେକ୍ଟ ଅନୁଯାୟୀ ପ୍ରାୟ ମାସେ ପର୍ଯ୍ୟନ୍ତ ରାସ୍ତାରେ ଶୋଉଥିବା ଲୋକଙ୍କୁ ହୋଟେଲରେ ରଖାଯିବ । ପ୍ରାରମ୍ଭରେ ୨୦ ବାସହୀନ ଲୋକଙ୍କୁ ପ୍ୟାନ୍ ପାସିଫିକ୍ ହୋଟେଲରେ ରଖାଯିବା ପାଇଁ ବ୍ୟବସ୍ଥା କରାଯିବ ।

ଏହି ପ୍ରକଳ୍ପର ନାମ ‘ହୋଟେଲ୍ସ ଓ୍ବିଥ୍ ହାର୍ଟ’ ରଖାଯାଇଛି । ସରକାର ଏଭଳି ବାସହୀନ ଲୋକଙ୍କୁ ଚୟନ କରିବେ ଯେଉଁମାନେ ଏପର୍ଯ୍ୟନ୍ତ ନିଜକୁ ଆଇସୋଲେଟ୍ କରିବାରେ ବିଫଳ ହୋଇଛନ୍ତି । ପରେ ଏହି ପ୍ରୋଜେକ୍ଟରେ ଘରୋଇ ହିଂସାର ଶିକାର ହୋଇଥିବା ମହିଳା ଏବଂ ମାନସିକ ସ୍ବାସ୍ଥ୍ୟ ସହ ସଂଘର୍ଷ କରୁଥିବା ମହିଳାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରିବ | ଯଦି ପ୍ରକଳ୍ପ ସଫଳ ହୁଏ, ତେବେ ହୋଟେଲର ୧୨୦ ରୁମ୍ ବ୍ୟବହାର କରାଯାଇପାରିବ ।

ନୂଆ ପ୍ରୋଜେକ୍ଟ କଥା ସେତେବେଳେ ଉଠିଥିଲା ଯେତେବେଳେ ବାସହୀନ ଲୋକଙ୍କୁ କରୋନାରୁ ରକ୍ଷାକରିବା ପାଇଁ ଗତ ସପ୍ତାହରେ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା । ସମ୍ପ୍ରଦାୟ ସେବା ମନ୍ତ୍ରୀ ସିମୋନ୍ ମେଗର୍କ କହିଛନ୍ତି ଯେ, ଏହି ପ୍ରୟାସ ଦ୍ବାରା ଆମେ ସ୍ବାସ୍ଥ୍ୟ ସେବା ଉପରେ ପଡିବାକୁ ଥିବା ଚାପକୁ ହ୍ରାସ କରିପାରିବା ।