କଲେଜରୁ ଘରକୁ ଫେରୁଥିବା ଛାତ୍ରୀଙ୍କୁ ହୋମଗାର୍ଡଙ୍କ ଅସଦାଚରଣ ଅଭିଯୋଗ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ FIR

Published By : Prameya-News7 Bureau | March 05, 2020 IST

ଖୋର୍ଦ୍ଧା୫/୩: ରକ୍ଷକ ସାଜିଲା ଭକ୍ଷକ। କାହାର କିଛି ସମସ୍ୟା ହେଲେ ସମାଧାନ ପାଇଁ ପୋଲିସ୍‌ର ଦ୍ବାରସ୍ଥ ହୋଇଥାଆନ୍ତି।ହେଲେ ପୋଲିସ୍‌ ଯଦି ନାରୀମାନଙ୍କୁ ସୁରକ୍ଷା ଦେବା ବଦଳରେ ଅସଦାଚରଣ କରିବ ତା ହେଲେ ଭାବି ନିଆଯିବ ଯେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଲାଣି। ଆଇନ ଯେତେ କଡାକଡି ହେଲେ ମଧ୍ୟ ନାରୀମାନଙ୍କ ପ୍ରତି ଅସଦାଚରଣ କମିବାର ନା ନେଉନାହିଁ ।

କିନ୍ତୁ ନାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ପୋଲିସ କର୍ମଚାରୀ ଯଦି ଛାତ୍ରୀଙ୍କୁ ଅସଦାଚରଣ କରିବେ ତାହେଲେ କାହା ପାଖରେ ଅଭିଯୋଗ କରାଯିବ? ଖୋର୍ଦ୍ଧାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧୀନରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜରେ ଉତ୍ସବ ଚାଲିଥିଲା। ଏହି ଉତ୍ସବ ଶେଷ କରି ବିଳମ୍ବିତ ରାତିରେ ଜଣେ ଛାତ୍ରୀ ଘରକୁ ଫେରୁଥିବା ସମୟରେ ଫାଣ୍ଡି ପକ୍ଷରୁ ନିୟୋଜିତ ଜଣେ ହୋମଗାର୍ଡ ତାଙ୍କୁ ଅସଦାଚରଣ କରିଥିବା ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅଭିଯୋଗ ପରେ ସମ୍ପୃକ୍ତ  ହୋମଗାର୍ଡ ଜଣକ ଫେରାର ଥିବା ଜଣାପଡିଛି । ତେବେ ଏ ନେଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ୍ ତଦନ୍ତ ଜାରି ରଖିଛି।

ଏହି ଘଟଣାକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନାରୀମାନଙ୍କ ସୁରକ୍ଷା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ରାତିରେ ଜଣେ ଛାତ୍ରୀଙ୍କୁ ହୋମଗାର୍ଡଙ୍କ ଅସଦାଚରଣ କରିବା ଘଟଣାରେ ଖୋର୍ଦ୍ଧାରେ ଏକ ଜନ ଅସନ୍ତୋଷ ଦେଖିବା ମିଳିଛି। ଜଣେ କଲେଜ ଛାତ୍ରୀଙ୍କୁ କାର୍ଯ୍ୟରତ ହୋମଗାର୍ଡର ଏଭଳି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.