ଟିକା ନେଲେ ଜିତିପାରିବେ ଘର, ମିଳିବ ୧୦ କୋଟି ଟଙ୍କାର ଆପାର୍ଟମେଣ୍ଟ !

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଳୀ ୦୧/୦୬: କରୋନା ଟିକା ନିଅନ୍ତୁ, ୧୦ କୋଟିର ଘର ଜିତନ୍ତୁ । ଏହା ଗୁଜବ ନୁହେଁ, ସତ । ହଂକଂରେ ଲୋକଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିବାକୁ ଏହି ଅଫର୍‌ ଦିଆଯାଉଛି । ଏହି ଅଫର୍‌ ଅନ୍ତର୍ଗତ ଲକି ଡ୍ରରେ ଲଟେରି ଜିତିଥିବା ବ୍ୟକ୍ତିଙ୍କୁ ଘର ଜିତିବାର ମଉକା ମିଳିବ ।

ହଂକଂରେ ଅଧିକାଂଶ ଲୋକ ଟିକା ନେବାକୁ ଉତ୍ସୁକ ନୁହନ୍ତି । ସେଥିପାଇଁ ଡେଭ୍‌ଲପର୍‌ଙ୍କ ଦ୍ୱାରା ଏହି ଅଫର୍‌ ଦିଆଯାଉଛି। ଏଥିରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଉପହାର ସ୍ୱରୂପ ୧୪ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୧୦ କୋଟି ଟଙ୍କାର ଆପାର୍ଟମେଣ୍ଟ ଦିଆଯାଉଛି । ଦ ସିନୋ ଗ୍ରୁପ୍‌, ଏନ୍‌ଜି ତେଙ୍ଗ ଫୋଙ୍ଗ ଦାତବ୍ୟ ସଂସ୍ଥା ଓ ଚୀନ୍‌ର ଇଷ୍ଟେଟ୍‌ ହୋଲ୍ଡିଂସ ଏ ବିଷୟରେ ଘୋଷଣା କରିଛନ୍ତି । ସେମାନେ ପ୍ରଦାନ କରୁଥିବା ଉପହାରରେ କୁନ୍‌ ଟୋଙ୍ଗ ସ୍ଥିତ ଗ୍ରାଣ୍ଡ ସେଣ୍ଟ୍ରାଲ ପ୍ରୋଜେକ୍ଟରେ ଗୋଟିଏ ଶୟନକକ୍ଷବିଶିଷ୍ଟ ୪୪୯ ସ୍କେ୍ୱୟାର ଫୁଟର ଏକ ଫ୍ଲାଟ୍‌ ମିଳିବ । କରୋନା ଟିକାର ଦୁଇଟିଯାକ ଡୋଜ୍‌ ନେଇଥିବା ଲୋକେ ଏହି ସ୍କିମ୍‌ର ଲାଭ ଉଠାଇ ପାରିବେ ।

ହଂକଂ ସରକାରଙ୍କ ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରୁ କିଛି ଟିକାର ବ୍ୟବହାର ସମୟସୀମା ଶେଷ ହୋଇଯାଇଛି । ଏଥିପାଇଁ ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରାଯାଉଛି । କରୋନା ଟିକା ବଦଳରେ ଦିଆଯାଉଥିବା ଏହି ଅଫର୍‌ ଲୋକଙ୍କୁ ଖୁବ୍‌ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ହଂକଂରେ ସମ୍ପତ୍ତିର ମୂଲ୍ୟ ଢେର ଅଧିକ । ଏହା ପୂର୍ବରୁ ଆମେରିକାର ନ୍ୟୁୟର୍କ, ଓହିଓ, ମେରିଲ୍ୟାଣ୍ଡ, କେଣ୍ଟକି ଓ ଓରେଗନ୍‌ ଭଳି ସ୍ଥାନରେ ଟିକା ନେଉଥିବା ଲୋକଙ୍କ ପାଇଁ ଲକି ଡ୍ର ମାଧ୍ୟମରେ ଉପହାର ଅଫର୍‌ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.