ଜମାତ ଓ ରୋହିଙ୍ଗା ସଂପର୍କରେ ବଡ ଖୁଲାସା: ତବଲିଗି କାର୍ଯ୍ୟକ୍ରମରେ ଥିଲେ ସାମିଲ, ରାଜ୍ୟ ସରକାରଙ୍କୁ ଯାଞ୍ଚର ନିର୍ଦ୍ଦେଶ ଦେଲେ ଗୃହ ମନ୍ତ୍ରଣାଳୟ
17/04/2020 at 9:48 PM

ନୂଆଦିଲ୍ଲୀ ୧୭।୦୪: ଭାରତରେ କରୋନା ଭାଇରସ୍ ମହାମାରୀ ବ୍ୟାପିବାରେ ସବୁଠୁ ବଡ ସ୍ରୋତ ତବଲିଗି ଜମାତ ହୋଇଛି। ଜମାତି ମାନଙ୍କୁ ଖୋଜି କ୍ଵାରେଣ୍ଟାଇନ୍ କରିବାରେ ପ୍ରଶାସନକୁ ନାକେଦମ ହେବାକୁ ପଡିଛି। ଏହା ମଧ୍ୟରେ ତବଲିଗି ଜମାତି ଓ ରୋହିଙ୍ଗ୍ୟାଙ୍କ ମଧ୍ୟରେ ସଂପର୍କ ଥିବା ଖବର ସାମ୍ନାକୁ ଆସିଛି। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ଚିଠି ଲେଖି ରୋହିଙ୍ଗ୍ୟା ଓ ତବଲିଗି ଜମାତଙ୍କ ମଧ୍ୟରେ ସଂପର୍କକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୋହିଙ୍ଗ୍ୟା ମୁସଲିମ ଓ ସେମାନଙ୍କ ପରିଚିତଙ୍କ ମଧ୍ୟ କୋଭିଡ୍-୧୯ ଟେଷ୍ଟ ହେବା ଉଚିତ୍। ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛନ୍ତି ଯେ, ସେମାନଙ୍କ ସମ୍ବନ୍ଧ ନେଇ ପଦକ୍ଷେପ ନିଆଯାଉ।
ଚିଠିରେ ଉଲ୍ଲେଖ କରଯାଇଛି ଯେ, ଏମିତି ରିପୋର୍ଟ ଆସିଛି, ରୋହିଙ୍ଗ୍ୟା ମୁସଲମାନ ତବଲିଗି ଜମାତର ଇଜତିମା ଓ ଅନ୍ୟ ଧାର୍ମିକ ଆୟୋଜନରେ ସାମିଲ ହୋଇଥିଲେ। ତେଣୁ ଆଶଙ୍କା କରାଯାଉଛି ଯେ, ସେମାନେ ମଧ୍ୟ କରୋନା ଭାଇରସ୍ ସଂକ୍ରମିତ ହୋଇ ଥାଇ ପାରନ୍ତି। ରୋହିଙ୍ଗ୍ୟା କ୍ୟାମ୍ପ ହାଇଦ୍ରାବାଦରେ ମଧ୍ୟ ରହିଛି।
ତେଲେଙ୍ଗାନାରେ ରହୁଥିବା ରୋହିଙ୍ଗ୍ୟା ସମୁଦାୟର ଲୋକ ହରିୟାଣାର ମେବାତରେ ଆୟୋଜିତ ତବଲିଗି ଜମାତର ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଲୋକ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ମଧ୍ୟ ସାମିଲ ହୋଇଥିଲେ। ରୋହିଙ୍ଗ୍ୟା ସମୁଦାୟର ସମ୍ବନ୍ଧିତ ଲୋକ ଶ୍ରମ ବିହାର ଓ ସାହିନବାଗରେ ମଧ୍ୟ ଥିଲେ।
ନିଜ କ୍ୟାମ୍ପରେ ନାହାନ୍ତି ରୋହିଙ୍ଗ୍ୟା
ଗୃହ ମନ୍ତ୍ରଣାଳୟ ରାଜ୍ୟସରକାରଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ଲୋକ ଏହି ସବୁ ଜାଗାକୁ ଯାଇଛନ୍ତି ସେମାନେ ଏ ପର୍ଯ୍ୟନ୍ତ କ୍ୟାମ୍ପକୁ ଫେରି ନାହାନ୍ତି। ରୋହିଙ୍ଗ୍ୟା ସମୁଦାୟର ଲୋକ ପଞ୍ଜାବ, ଜାମ୍ମୁ ଓ କାଶ୍ମୀରରେ ଆୟୋଜିତ ତବଲିଗି ଜମାତଙ୍କ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ।
ତବଲିଗି ଜମାତ ସହ ଲିଙ୍କ୍ ହେବା କାରଣରୁ ରୋହିଙ୍ଗ୍ୟା ମୁସଲମାନ ଓ ସେମାନଙ୍କର ପରିଚିତଙ୍କ କୋଭିଡ୍-୧୯ ପରୀକ୍ଷା କରାଇବା ବହୁତ ଜରୁରୀ। ଏହି ପତ୍ର ଡେପୁଟୀ ସଚିବ, ଆଭ୍ୟନ୍ତରୀଣ ସିକ୍ୟୁରିଟି ଡିଭିଜନ ୧ ଶ୍ରୀନିବାସୁ କେ ଲେଖିଛନ୍ତି। ଏହି ଚିଠିକୁ ମୁଖ୍ୟ ସଚିବ ଓ ପରାମର୍ଶଦାତାଙ୍କ ସହିତ ଡିଜିପି ଓ ଦିଲ୍ଲୀ କମିଶନରଙ୍କୁ ମଧ୍ୟ ପଠା ଯାଇଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ନିଜାମୁଦ୍ଦିନ ଇଲାକାରେ ସ୍ଥିତ ମରକଜରେ ତବଲିଗି ଜମାତର ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ଜମାତର ଅନେକ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ଯେଉଁ ଯେଉଁ ରାଜ୍ୟକୁ ଗଲେ ସେମାନଙ୍କ ସଂସ୍ପର୍ଶରେ ଆସି ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ହେଲେ। ଫଳରେ ଦେଶରେ ଏବେ ଯେତେ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେଥିରେ ତବଲିଗି ଜମାତଙ୍କ ମୁଖ୍ୟ ଭୂମିକା ରହିଛି।