ଅନ୍ତଃରାଜ୍ୟ ଗତିବିଧି ଉପରେ ଲାଗିବନି ରୋକ୍, ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ : ସପ୍ଲାଏ ଚେନ୍ ଓ ଅର୍ଥନୀତି ଉପରେ ପଡୁଛି ଗୁରୁତର ପ୍ରଭାବ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୦୮: କରୋନା ସଂକ୍ରମଣ ପାଇଁ ରାଜ୍ୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ କଟକଣା ଲଗାଉଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ବିଶେଷ କରି  ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଯାତାୟାତ ଉପରେ କିଛି ସ୍ଥାନରେ କଟକଣା ଲାଗିଥିବା ଖବର ମିଳିବା ପରେ କେନ୍ଦ୍ର ସରକାର ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଲୋକଙ୍କ ଚଳପ୍ରଚଳ କିମ୍ବା ଗାଡ଼ି ମଟର ଯାତାୟାତ ଉପରେ କୌଣସି କଟକଣା ନ ଲଗାଇବାକୁ କେନ୍ଦ୍ର ଗୃହ ସଚିବ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି।

ଚିଠିରେ କୁହାଯାଇଛି ଯେ, ଏକାଧିକ ରାଜ୍ୟର ଜିଲ୍ଲା ପ୍ରଶାସନମାନେ ନିଜ ଇଚ୍ଛା ଅନୁସାରେ ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଲୋକଙ୍କ ଚଳାଚଳ ଉପରେ ରୋକ ଲଗାଉଥିବା ଖବର ଆସିଛି। ଏଭଳି କଟକଣା ସପ୍ଲାଏ ଚେନ, ଅର୍ଥନୀତି ଓ ନିଯୁକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି। ତେଣୁ ଯେଉଁ ରାଜ୍ୟରେ ଏଭଳି କଟକଣା ଲାଗିଛି, ସେମାନେ କେନ୍ଦ୍ର ଗାଇଡଲାଇନର ଉଲ୍ଲଙ୍ଘନ କରୁଛନ୍ତି ବୋଲି ସଚିବ ଅଜୟ ଭଲ୍ଲା ଚିଠିରେ ଉଲ୍ଲେଖ କରିଛନ୍ତି। କଟକଣାକୁ ରାଜ୍ୟଗୁଡ଼ିକ ତୁରନ୍ତ ଉଚ୍ଛେଦ କରି ଚଳପ୍ରଚଳ ପାଇଁ ଅନୁମତି ଦେବା ଉଚିତ।  ଯାତାୟତ ଉପରେ କୌଣସି କଟକଣା ଜାରି ନକରିବାକୁ ରାଜ୍ୟଗୁଡିକୁ ସେ ଅନୁରୋଧ କରିଛନ୍ତି । ଅଗଷ୍ଟ ମାସ ପାଇଁ ଜାରି କରାଯାଇଥିବା ଅନଲକ୍-୩ ଗାଇଡଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.