ଗୃହ ମନ୍ତ୍ରଣାଳୟର ଦୃଢ କାର୍ଯ୍ୟାନୁଷ୍ଠାନ, ତବଲିଗି ଜମାତରେ ସାମିଲ ୯୬୦ ବିଦେଶୀ ବ୍ଲାକଲିଷ୍ଟ, ଭିସା ରଦ୍ଦ

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୦୨।୦୪: ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୨୦୦୦ରେ ପହଞ୍ଚିଛି। ସମଗ୍ର ଦେଶରେ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତର ମରକଜରେ ସାମିଲ ଲୋକଙ୍କ ମଧ୍ୟରୁ ୪୦୦ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ଭାଇରସ୍‌ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅଚାନକ ବୃଦ୍ଧି ଘଟିଛି। ଏହି ଅବସ୍ଥାକୁ ଦୃଷ୍ଟିରେ ରଖି  କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ତବଲିଗି ଧାର୍ମିକ ସମାରୋହରେ ସାମିଲ ପ୍ରାୟ ୯୫୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ଯେ, ପର୍ଯ୍ୟଟକ ଭିସାରେ ତବଲିଗି ଗତିବିଧିରେ ଲିପ୍ତ ଥିବା କାରଣରୁ ୯୬୦ ବିଦେଶୀଙ୍କୁ କଳାତାଲିକା ଭୁକ୍ତ କରାଯାଇଛି ଏବଂ ସେମାନଙ୍କର ଭାରତୀୟ ଭିସା ମଧ୍ୟ ରଦ୍ଦ କରାଯାଇଛି।

ଗୃହ ମନ୍ତ୍ରଣାଳୟ ଦ୍ଵାରା ତବଲିଗି ଜମାତ, ନିଜାମୁଦ୍ଦିନର ମାମଲାରେ ଦିଲ୍ଲୀ ପୋଲିସ୍ ଓ ଅନ୍ୟ ସମ୍ବନ୍ଧିତ ରାଜ୍ୟ ପୋଲିସ୍ ମହା ନିର୍ଦ୍ଦେଶକଙ୍କୁ ବିଦେଶୀ ଅଧିନିୟମ, ୧୯୪୬ ଏବଂ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ, ୨୦୦୫ର ପ୍ରାବଧାନ ଉଲ୍ଲଂଘନ କରିଥିବା ୯୬୦ ବିଦେଶୀଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

୧୮୦୪ ଜଣ କ୍ଵାରେଣ୍ଟାଇନରେ

କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପୁଣ୍ୟ ସଲିଲ ଶ୍ରୀବାସ୍ତବ ନିୟମିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦିଲ୍ଲୀରେ ତବଲିଗି ଜମାତର ପ୍ରାୟ ୨୦୦୦ ସଦସ୍ୟ ମଧ୍ୟରୁ ୧୮୦୪ ଜଣଙ୍କୁ କ୍ଵାରେଣ୍ଟାଇନରେ ପଠାଯାଇଛି। କରୋନା ଲକ୍ଷଣ ଥିବା ୩୩୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ତବଲିଗି ଜମାତର ସଦସ୍ୟ ଏବଂ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ପ୍ରାୟ ୯୦୦୦ ଲୋକଙ୍କୁ ଚିହ୍ନଟ କରି ବିଭିନ୍ନ ରାଜ୍ୟରେ କ୍ଵାରେଣ୍ଟାଇନରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୧୩୦୬ ବିଦେଶୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.