ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮।୧୧: ବିବାଦୀୟ କୃଷି ଆଇନ୍‌ ବିରୋଧରେ ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହା ମଧ୍ୟରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଶନିବାର କହିଛନ୍ତି, ସରକାର କୃଷକଙ୍କ ସମସ୍ତ ଦାବି ଓ ସମସ୍ୟା ଉପରେ ବିଚାର କରିବାକୁ ପ୍ରସ୍ତୁତ। ଅମିତ୍ ଶାହା କୃଷକଙ୍କୁ ଆଲୋଚନା ଲାଗି ଆମନ୍ତ୍ରିତ କରିଛନ୍ତି।

ଗୃହ ମନ୍ତ୍ରୀ କହିଛନ୍ତି, ମୁଁ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଅପିଲ୍ କରୁଛି ଯେ, ଭାରତ ସରକାର ଆପଣଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ। କୃଷକଙ୍କୁ ଆଲୋଚନା ପାଇଁ କୃଷି ମନ୍ତ୍ରୀ ଡିସେମ୍ବର ୩ରେ ଡକାଇଛନ୍ତି। ସରକାର କୃଷକଙ୍କ ଦାବି ଓ ସମସ୍ତ ସମସ୍ୟା ଉପରେ ବିଚାର କରିବାକୁ ପ୍ରସ୍ତୁତ ଥିବା କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି।

ସେ କହିଛନ୍ତି, ଅନେକ ସ୍ଥାନରେ କୃଷକଙ୍କୁ ଏହି ପରି ଥଣ୍ଡାରେ ନିଜର ଟ୍ରାକ୍ଟର ଓ ଟ୍ରଲି ସହିତ ରହିବାକୁ ପଡୁଛି। ମୁଁ ସେମାନଙ୍କୁ ଅପିଲ୍ କରୁଛି, ଦିଲ୍ଲୀ ପୁଲିସ ଆପଣଙ୍କୁ ବଡ ପଡିଆକୁ ନେଇ ଯିବାକୁ ପ୍ରସ୍ତୁତ। ଦୟାକରି ସେଠାକୁ ଚାଲି ଆସନ୍ତୁ। ସେଠାରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦିଆଯିବ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି, ଯଦି କୃଷକ ସଂଘ  ଡିସେମ୍ବର ୩ ପୂର୍ବରୁ ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ମୁଁ ସେମାନଙ୍କୁ ଆଶ୍ଵସ୍ତି କରିବାକୁ ଚାହୁଁଛି ଏବଂ ଯେମିତି ଆପଣଙ୍କୁ ପ୍ରଦର୍ଶନ କରିବାକୁ ଅନୁମତି ମିଳିଛି  ସେହି ପରି ଆପଣଙ୍କ ଚିନ୍ତାକୁ ଦୂର କରିବା ଲାଗି ଆଲୋଚନା କରାଯିବ।

ଉଲ୍ଲେଖଯୋଗ୍ୟ, କୃଷକ ସରକାରଙ୍କୁ  କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛି। ରାଜରାସ୍ତାକୁ ଓହ୍ଲାଇ ଦାବି କରୁଛନ୍ତି। ପଞ୍ଜାବ ସୀମାଠୁ ନେଇ ଦିଲ୍ଲୀ-ହରିୟାଣା ବର୍ଡରରେ ସେମାନଙ୍କ ଆନ୍ଦୋଳନ ଜାରି ରହିଛି। କୃଷକ ଦାବି କରୁଛନ୍ତି ଯେ, ସେମାନଙ୍କୁ ଜନ୍ତର ମନ୍ତରରେ ପ୍ରଦର୍ଶନ କରିବାକୁ ଅନୁମତି  ଦିଆଯାଉ। ମାତ୍ର ସରକାର ସେମାନଙ୍କୁ ଦିଲ୍ଲୀର ବୁରାଡି ସ୍ଥିତ ନିରଙ୍କାରୀ ଗ୍ରାଉଣ୍ଡରେ ପ୍ରଦର୍ଶନ କରିବାକୁ ଅନୁମତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.