ଗୃହ ବିଭାଗର ଶ୍ବେତପତ୍ର ଜାରି :କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ଚିନ୍ତାର କାରଣ ପାଲଟିଛି ନକ୍ସଲ

Published By : Prameya-News7 Bureau | July 28, 2019 IST

କନ୍ଧମାଳ ୨୮/୭: ଗୃହ ବିଭାଗ ପକ୍ଷରୁ ଶ୍ବେତପତ୍ର ଜାରି ହୋଇଛି ।  ୨୦୧୮ ମସିହାରେ ୧ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ମାତ୍ର ୭୯ ହଜାର ୩୪୧ଟି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଛି। ୧୩୭୮ଟି ହତ୍ୟା ଘଟଣା ମଧ୍ୟରୁ ଅଧା ଗୁରୁତ୍ବପୂର୍ଣ୍ଣ ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି।  ମାତ୍ର ୬୪୫ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିପାରିଛି ପୋଲିସ ।

  ଲୁଣ୍ଠନ ଚିତ୍ର ତା ଠାରୁ ଆହୁରି ସାଂଘାତିକ।  ଅପରାଧୀମାନେ ୧୨୧ ଜଣଙ୍କ ଘରେ ଲୁଟ୍ ତରାଜ କରିଛନ୍ତି। ରାସ୍ତାଘାଟରେ ୫୨୯ ଜଣଙ୍କ ଠାରୁ ଲୁଟି ନେଇଛନ୍ତି। ଟ୍ରେନରେ ୨୨ଟି ଘଟଣା ଘଟିଛି। । ପୁଲିସ ଏସବୁ ମାମଲାରେ ୧୯୪୬ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେପଟେ  ଯଦିଓ କୌଣସି ବଡ଼ ଧରଣର ଛାତ୍ର ଆନ୍ଦୋଳନ ବା ଅଶାନ୍ତି ରାଜ୍ୟରେ ଦେଖାଯାଇ ନଥିଲା ତଥାପି ଛାତ୍ର ସଂସଦ ନିର୍ବାଚନ ବାତିଲ କାରଣରୁ କିଛି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ହୋଇଥିଲା। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ନବ ନିର୍ମାଣ କୃଷକ ସଂଗଠନ ପ୍ରମୁଖ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ। ୨୦୧୮ରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଯାଇ ନାହିଁ, କିନ୍ତୁ କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ନକ୍ସଲମାନେ ଚିନ୍ତାର କାରଣ ହୋଇଥିଲେ। ୨୦୧୮ ମସିହାରେ ୫୪ଟି ନକ୍ସଲ ଆକ୍ରମଣ ଘଟଣା ଘଟିଥିଲା ଯେଉଁଥିରେ ୨୬ଟି ଘଟଣାରେ ପୁଲିସ ନକ୍ସଲ ମୁହାଁମୁହିଁ ହୋଇଥିଲେ। ୧୯ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଗିରଫ ହୋଇଥିଲେ।

୨୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ୪୦ଟି ବନ୍ଧୁକ, ୨୪ଟି ବିସ୍ଫୋରକ ଓ ବହୁ ଗୁଳିଗୋଳ ଜବତ ହୋଇଥିଲା। ତେବେ ରାଜ୍ୟର ୬ଟି ଜିଲ୍ଲା ତଥା ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ନକ୍ସଲ ଆକ୍ରମଣ ଘଟଣା ପରିଦୃଷ୍ଟ ହୋଇନାହିଁ। ୨୦୧୮ ମସିହାରେ ୩୪ ଥର ହିନ୍ଦୁ-ମୁସଲମାନ  ବିଦ୍ବେଷ ଦେଖାଦେଇଥିଲା। ୫ ଥର ହିନ୍ଦୁ-ଖ୍ରୀଷ୍ଟିଆନ ମୁହାଁମୁହିଁ ହୋଇଥିଲେ। ୨୦୧୮ ମସିହାରେ ମୋଟ ୨୮ଟି ଅର୍ଥନୈତିକ ଅପରାଧ ରୁଜୁ ହୋଇଥିଲା। ସେହିଭଳି ସେହି ବର୍ଷ ୧୪୪୯ ଜଣ ବାଳ ଅପରାଧୀଙ୍କ ବିରୋଧରେ ୧୧୫୫ଟି ମାମଲା ରୁଜୁ କରାଯାଇଥିଲା। ୨୦୦୦-୦୧ରୁ ୨୦୧୭-୧୮ ମଧ୍ୟରେ ୮୯୧ କୋଟି ୪୧ ଲକ୍ଷ ଟଙ୍କା ପୁଲିସ ବିଭାଗର ଆଧୁନିକୀକରଣ ନିମନ୍ତେ ମିଳିଥିଲା। ସେଥିରୁ ୮୭୫.୨୧ କୋଟି ଅର୍ଥାତ୍ ପାଖାପାଖି ୯୫.୧୮ ପ୍ରତିଶତ ବ୍ୟୟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.