ହୋମ୍‌ ଡେଲିଭରି ହେବ ମଦ ! ଯୋଜନା ସ୍ଥିର କରୁଛନ୍ତି ସରକାର, ଆସିପାରେ ନିର୍ଦ୍ଦେଶନାମା

Published By : Prameya-News7 Bureau | May 21, 2020 IST

କଟକ ୨୧/୫: କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା ହେବା ପରଠୁ ରାଜ୍ୟରେ ବିଭିନ୍ନ ସରକାରୀ ମଦ ଦୋକାନ ଏବଂ ବାର୍‌ଗୁଡ଼ିକ ବନ୍ଦ ରହିଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଦ ଦୋକାନ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅବଶ୍ୟ ମଦ ଦୋକାନ ଖୋଲିବା ନେଇ ଏବେ ବି ସରକାର ଦୋଛକିରେ ଥିବା କୁହାଯାଉଛି ।

ଅନ୍ୟପକ୍ଷରେ ନକଲି ମଦ କାରବାରକୁ ରୋକିବା ତଥା ମଦ ମୃତ୍ୟୁ ଆଶଙ୍କାକୁ ଏଡ଼ାଇବା ପାଇଁ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ଦିଗରେ ପଦକ୍ଷେପ ନେବାକୁ ନିକଟରେ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଦିଲ୍ଲୀ, କର୍ଣ୍ଣାଟକ ଆଦି ଅନେକ ରାଜ୍ୟରେ ଅନ୍‌ଲାଇନ୍‌ ଜରିଆରେ ମଦର ହୋମ୍‌ ଡେଲିଭରି ହେଉଛି । ଅନ୍ୟପକ୍ଷରେ ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ରାଜ୍ୟରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବା ଦ୍ୱାରା ସରକାରଙ୍କର ବିପୁଳ ରାଜସ୍ୱହାନି ହେଉଛି । ରାଜସ୍ୱ ଭରଣା ଓ ଲକ୍‌ଡାଉନ୍‌ ସମୟରେ ମଦ ଦୋକାନରେ ଗହଳି ଆଦି ସମସ୍ୟାକୁ ଦୃଷ୍ଟିରେ ରଖି ହଠାତ୍‌ ମଦ ଦୋକାନଗୁଡ଼ିକୁ ନଖୋଲି ଅନ୍‌ଲାଇନ୍‌ ଜରିଆରେ ମଦ କାରବାର ପାଇଁ ରାଜ୍ୟ ସରକାର ଏବେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଜିଲ୍ଲା ଅବକାରୀ ଅଧୀକ୍ଷକମାନଙ୍କଠାରୁ ମତାମତ ମଧ୍ୟ ନିଆଯାଇଥିବା ସୂଚନା ମିଳିଛି । ଅନ୍‌ଲାଇନ୍‌ରେ ମଦ ହୋମ୍‌ ଡେଲିଭରି ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତି ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ଶୀଘ୍ର ଏ ସମ୍ପର୍କରେ ସରକାର ଏକ ନିର୍ଦ୍ଦେଶନାମା ଜାରି କରିପାରନ୍ତି ବୋଲି ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଉଲ୍ଲେଖନୀୟ, ମଦର ଚାହିଦା ଓ ବିକ୍ରିକୁ ଲକ୍ଷ୍ୟ ରଖି ସରକାର ଦୋକାନ ଖୋଲିନଥିଲେ ମଧ୍ୟ ଏବେ ମଦ ପ୍ରସ୍ତୁତ ପାଇଁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଦ ପ୍ରସ୍ତୁତ ଚାଲିଥିବାରୁ ଆଗକୁ ରାଜ୍ୟରେ ମଦ କାରବାର ଆରମ୍ଭ ହେବାର ସମ୍ଭାବନା ରହିଛି । ମାତ୍ର ଗହଳି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସରକାର ମଦ ଦୋକାନ ନଖୋଲି ଅନ୍‌ଲାଇନ୍‌ ଜରିଆରେ ଇଚ୍ଛୁକ ଥିବା ଲୋକଙ୍କ ହାତପାଆନ୍ତାରେ ମଦ ପହଞ୍ଚାଇବା ପାଇଁ ଯୋଜନା ରଖିଥିବା ସୂଚନା ମିଳିଛି । ଅନ୍‌ଲାଇନ୍‌ ମଦ ବିକ୍ରିକୁ ରାଜ୍ୟରେ କେତେକ ବ୍ୟବସାୟୀ ପ୍ରଥମେ ଇଚ୍ଛା ପ୍ରକାଶ କରିନଥିଲେ । ମାତ୍ର ଏବେ କେତେକ ବ୍ୟବସାୟୀ ଅନ୍‌ଲାଇନ୍‌ ମଦ ବିକ୍ରି ଉପରେ ସମ୍ମତି ପ୍ରକାଶ କରିଥିବା ଜଣେ ଅବକାରୀ ଅଧିକାରୀ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଅନ୍‌ଲାଇନ୍‌ରେ ମଦ ବିକ୍ରି ହେଲେ ଲାଇସେନ୍ସ ପ୍ରାପ୍ତ ଦୋକାନୀମାନେ ହୋମ୍‌ ଡେଲିଭରି ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ କରିବେ । ଅନ୍‌ଲାଇନ୍‌ରେ ବୁକିଂ ମିଳିବା ପରେ ସମ୍ପୃକ୍ତ କର୍ମଚାରୀମାନେ ମଦ ନେଇ ଲୋକଙ୍କ ଘରେ ପହଞ୍ଚାଇବେ । କଟକ ଜିଲ୍ଲାରେ ଏବେ ୧୧୭ ବିଦେଶୀ ମଦ ଦୋକାନ ରହିଥିବା ବେଳେ ୫୦ଟି ବାର୍‌ ଓ ୫୫ଟି ଦେଶୀ ମଦ ଦୋକାନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.