ହୋଲିର ରଙ୍ଗରେ ରଙ୍ଗୀନ୍ ସାରା ଦେଶ, ଉତ୍ତର ଭାରତର ଅନେକ ସ୍ଥାନରେ ଆଜି ଜମିଛି ରଙ୍ଗର ଆସର

Published By : Prameya-News7 Bureau | March 21, 2019 IST

ନୂଆଦିଲ୍ଲୀ ୨୧|୩ : ହୋଲିର ରଙ୍ଗରେ ରଙ୍ଗୀନ୍ ସାରା ଦେଶ । ଉତ୍ତର ଭାରତର ଅନେକ ସ୍ଥାନରେ ଆଜି ରଙ୍ଗର ଆସର ଜମିଛି । ବୃନ୍ଦାବନ ଏବଂ ଗୋକୁଳରେ ଜୋରସୋରରେ ହୋଲି ପାଳିଛନ୍ତି ଶ୍ରଦ୍ଧାଳୁ । କିଛି ସ୍ଥାନରେ ରାଜନୀତିର ରଙ୍ଗ ଦେଖିବାକୁ ମିଳିଥିଲା ।

ଏ ଦୃଶ୍ୟ ଥିଲା ବୃନ୍ଦାବନର । ପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଚାଲିଛି ରଙ୍ଗର ପର୍ବ । ପାରମ୍ପରିକ ରୀତି ନୀତିରେ ହୋଲି ଖେଳୁଛନ୍ତି ଶ୍ରଦ୍ଧାଳୁ । ଏଠି ୫ ଦିନ ଧରି ହୋଲି ପାଳନ ହେବାର ପରମ୍ପରା ରହିଛି । ଏଥିପାଇଁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

କାହ୍ନାଙ୍କ ନଗରୀ ମଥୁରାରେ ହୋଲି ଖେଳ । ଏଠି ଗୋପୀ, ନନ୍ଦଲାଲା, ବାଳଗୋପାଳ ହୋଲି ଖେଳିଛନ୍ତି । ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିରରେ ମହାଶିବଙ୍କ ରଙ୍ଗାଭିଷେକ ହୋଇଛି । ଭସ୍ମ ବିଭୂତି ହୋଲିର ରଙ୍ଗରେ ଝଟକିଛନ୍ତି ଜ୍ୟୋତିର୍ଲିଙ୍ଗ ।ଶୈବକ୍ଷେତ୍ର ଉଜ୍ଜୟିନୀର ପବିତ୍ର ବାତାବରଣକୁ ହୋଲିର ରଙ୍ଗ ଆହୁରି ପବିତ୍ର କରିଛି ।ସେହିପରି ଦିଲ୍ଲୀର ଚାନ୍ଦିନୀଚୌକ ମନ୍ଦିରରେ ଭକ୍ତ ଏବଂ ଭଗବାନ ହୋଲିର ମଧୁର ରଙ୍ଗରେ ଏକାକାର ହୋଇ ଯାଇଛନ୍ତି ।

ଗୋରଖପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହୋଲି ଉତ୍ସବରେ ସାମିଲ ହୋଇଥିଲେ । ରଙ୍ଗରେ ମିଶି ଯାଇଛି ରାଜନୀତିର ରଙ୍ଗ । ସମାଜବାଦୀ ପାର୍ଟି ନେତା ଏବଂ କର୍ମୀଙ୍କ ସହ ଅଖିଳେଶ ଯାଦବ ଖେଳିଛନ୍ତି ଫୁଲ ହୋଲି । ମଞ୍ଚରେ ମୁଲାୟମ ସିଂ ଯାଦବଙ୍କ ସହ ଦେଇଛନ୍ତି ମେସେଜ୍ ।

ହୋଲିକୁ କେବଳ ଅବିର, ଫୁଲରେ ରଙ୍ଗେଇ ନାହାନ୍ତି । ଅହମଦାବାଦରେ ଆୟୋଜିତ ଟମାଟିନୋ ଉତ୍ସବରେ ଟମାଟୋ ଫୋଫାଡି ଖେଳା ଯାଇଛି ହୋଲି । ଟମାଟୋରେ ଗଡିଛନ୍ତି, ପଡିଛନ୍ତି, ଘୋଷଡା ହୋଇଛନ୍ତି ।

ଅର୍ଗାନିକ୍ କଲର ବ୍ୟବହାର ସହ ଇକୋ-ଫ୍ରେଣ୍ଡଲି ହୋଲି ନେଇ ସଚେତନଚା ବଢୁଛି । ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପ ମାଧ୍ୟମରେ ଏପରି କିଛି ମେସେଜ୍ ଦେବାକୁ ଚେଷ୍ଟା କରିଛନ୍ତି ବାଲୁକାଶିଲ୍ମୀ ମାନସ ସାହୁ । କୋଣାର୍କରେ ହୋଲି ପାଳନ କରିଛନ୍ତି ବିଦେଶୀ । ହଳଦୀ, ଚନ୍ଦନ ଓ କୁମକୁମରେ ପ୍ରସ୍ତୁତ ହର୍ବାଲ ହୋଲି ଖେଳିଛନ୍ତି ।

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.