ସାରା ଦୁନିଆ ଲକଡାଉନ, କିନ୍ତୁ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳରେ ଚାଲିଛି କାରଖାନା, ଫେରୁଛି ସାଧାରଣ ଜୀବନ

Published By : Prameya-News7 Bureau | March 26, 2020 IST

ଚୀନ୍‌୨୬/୩: ଚୀନ୍‌ର ବୁହାନରୁ ଭୟଙ୍କର କରୋନା ଭାଇରସ ଉତ୍ପର୍ଣ୍ଣ ହୋଇଥିଲା | ପରବର୍ତ୍ତୀ ସମୟରେ ଏହି  ଭାଇରସ୍‌ ପୁରା ଦୁନିଆରେ ବ୍ୟାପି ଯାଇଛି। କରୋନାରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଲେଣି | ଭାଇରସକୁ ରୋକିବା ପାଇଁ ଅନେକ ଦେଶରେ ଲକଡାଉନ୍ କରି ଦିଆଯାଇଛି। କିଛି ଦିନ ପାଇଁ ଚୀନ୍‌ରେ ମଧ୍ୟ ଲକଡାଉନ ଥିଲା | କିନ୍ତୁ ଚୀନରେ ଏବେ ସାଧାରଣ ଜୀବନ ସ୍ଥିର ରହିଛି | ଲୋକମାନେ ହୁବେଇ ପ୍ରଦେଶର ଘରୁ ବାହାରକୁ ବାହାରିବା ଆରମ୍ଭ କଲେଣି |

ଚୀନରେ ଲୋକମାନେ କାମ କରିବା ଆରମ୍ଭ କଲେଣି । ବଜାର, ମଲ ମଧ୍ୟ ପୂର୍ବପରି ଖୋଲା ହେଲାଣି| ଲୋକମାନେ ବଜାର, ମଲ୍, ଡାକ୍ତରଖାନା ଯିବା ଆରମ୍ଭ କରିଛନ୍ତି | ହୁବେଇରେ ଯାତାୟାତ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଲୋକମାନେ ବସ୍ ଏବଂ ଟ୍ରେନ୍ ଯୋଗେ ଯାତ୍ରା କରିବା ଆରମ୍ଭ କଲେଣି | କମ୍ପାନୀଗୁଡିକ ଖୋଲିଗଲାଣି ଏବଂ ଲୋକମାନେ କରୋନା ସହିତ ଲଢ଼ିବା ପାଇଁ ମାସ୍କ, ଜିପର୍ ବ୍ୟାଗ୍ ତିଆରି କରିବା ଆରମ୍ଭ କରି ଦେଇଛନ୍ତି।ମଙ୍ଗଳବାର ଚୀନରେ ମୋଟ ୪୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଗତ ସପ୍ତାହରେ ଏହି ସଂଖ୍ୟା ୭୮ ଥିଲା। ଯାହା ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି।

 କିନ୍ତୁ ଅନ୍ୟପଟେ ବୁହାନ ସହରରେ ଏପ୍ରିଲ ୮ ତାରିଖ ଯାଏଁ ଲକଡାଉନ ରହିବ | ଲୋକମାନେ ରେସ୍ତୋରାଁକୁ ମଧ୍ୟ ଖାଇବାକୁ ଯାଉଛନ୍ତି | ଅନେକ ରେସ୍ତୋରାଁ ବର୍ତ୍ତମାନ ଗୋଟେରେ ଗୋଟେ ଫ୍ରି ଅଫର ଦେଉଛନ୍ତି | କିନ୍ତୁ ଲୋକଙ୍କ ମୁହଁରୁ ମାସ୍କ ହଟିନାହିଁ | ଯେଉଁମାନେ ବାହାରକୁ ଯାଉଛନ୍ତି, ସେମାନେ ସରକାର ଜାରି କରିଥିବା ନିୟମ ପାଳନ କରୁଛନ୍ତି|

ସେହିପରି କମ୍ପାନୀକୁ ଯାଉଥିବା ଲୋକଙ୍କୁ ପ୍ରତିଦିନ ୩୦ ମିନିଟ୍ ଲେଖାଏଁ ଯାଞ୍ଚ କରାଯାଉଛି | ଗତ ୧୪ ଦିନ ହେଲା ସେମାନେ ବିପଦ ଜୋନକୁ ନଯାଇ ସୁରକ୍ଷିତ ଥିବା ସ୍ପଷ୍ଟ କଲାପରେ ତାଙ୍କୁ କମ୍ପାନୀକୁ ଯିବାକୁ ଅନୁମତି ଦିଆଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.