ହକି ବିଶ୍ବକପ୍ : ଆଜି ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ୍-କାନାଡା ଏବଂ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର

Published By : Prameya-News7 Bureau | November 28, 2018 IST

ଭୁବନେଶ୍ବର ୨୮|୧୧:  ଆଉ କେଇଟା ମୁହୁର୍ତ୍ତ ପରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଟାଇଟଲ ପାଇଁ ଲଢେଇ। ଉଦଘାଟନୀ ମ୍ୟାଚରେ ଖେଳାଯିବ ଗ୍ରୁପ ସିର ଦୁଇଟି ମ୍ୟାଚ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ତିନି ନମ୍ବର ମାନ୍ୟତାପ୍ରାପ୍ତ ରେଡ୍ ଲାଏନ୍ସ ବେଲଜିୟମକୁ ଟକ୍କର ଦେବ ଏକାଦଶ ରାଙ୍କଡ ଟିମ୍ ରେଡ୍ କାରିବୁ କାନାଡା। ସେପଟେ ଦ୍ବିତୀୟ ମୁକାବିଲାରେ ଆୟୋଜକ ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା। ଏଫଆଇଏଚ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ଭାରତ ଘରୋଇ ପରିବେଶରେ ଚମତ୍କାର ହକି ଷ୍ଟିକ୍ ଚାଳନା କରି ପଞ୍ଚଦଶ ତାଲିକାରେ ଥିବା ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ବିଶ୍ବକପ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ୧୯୭୫ରେ ପରେ ବିଶ୍ବକପ ଜିତିନଥିବା ଭାରତ ୪୩ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି। ସେପଟେ ଭାରତକୁ କଡା ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା। ଟିମ୍ ଡ୍ରୁମୋଣ୍ଡଙ୍କ ନେତୃତ୍ବରେ ଦଳ ଭାରତର ବାଟ ଓଗାଳିବାକୁ ଚେଷ୍ଟା କରିବ।  ଅଷ୍ଟିନ ସ୍ମିଥ୍, ରେଟ୍ ହଲକେଟ୍, ଜୁଲିୟାନ ହାଇକ୍ସ ଏବଂ ଗୋଲକପିର ରାଶି ପିଟର୍ସେଙ୍କ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କ ନଜର। ସେପଟେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଟପ୍ ରାଙ୍କଡ ଟିମ୍ ବେଲଜିୟମକୁ ହରାଇବା କାନାଡା ପାଇଁ ବଡ ଆହ୍ବାନ। ରେଡ୍ କାରିବୁ ଦଳ ତିନି ଜଣ ଖେଳାଳି ଭେଟେରାନ ସ୍କଟ ଟୁପର, ମାର୍କ ପିୟରସନ ଏବଂ ଡେଭିଡ କାର୍ଟର ଉପରେ ବେଶୀ ନିର୍ଭର କରିବ। ଏହି ତିନି ଜଣ ଖେଳାଳିଙ୍କ ପାଖରେ ପାଞ୍ଚ ଶହ ଅନ୍ତର୍ଜାତୀୟ ମ୍ୟାଚର ଅଭିଜ୍ଞତା ରହିଛି। ଖାସ୍ କରି ରକ୍ଷଣଭାଗରେ ଅଧିନାୟକ ସ୍କଟ୍ ଟୁପ୍ପର ଏବଂ ଗର୍ଡନ ଜନଷ୍ଟନଙ୍କ ଅଭିଜ୍ଞତା ଦଳ ପାଇଁ ପ୍ଲସ ପଏଣ୍ଟ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବେଲଜିୟମ ସହ ମୁକାବିଲାକୁ BLESSING IN DISGUISE କହିଛନ୍ତି ଦଳର କୋଚ ପଲ ବଣ୍ଡି। ବିଶ୍ବମାନ୍ୟତା ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଲଜିୟମକୁ ଟୁର୍ଣ୍ଣାମେଣ୍ଟର ଫେଭରାଇଟ ବୋଲି ଆକଳନ କରୁଛନ୍ତି ଏକ୍ସପର୍ଟ। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ରେଡ ଲାୟନ୍ସ ପ୍ରଥମ ମ୍ୟାଚକୁ ଜିତି  ବିଜୟ ସହିତ  ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ଭିନସେଣ୍ଟ, ଆର୍ଥୁର ଭ୍ୟାନ ଡୋରେନ, ଗୌଥିର ବୋକାର୍ଡ, ଲୌକ୍ ପରି ଖେଳାଳିଙ୍କୁ ନେଇ ଗଠିତ ବେଲଜିୟମର ଡିଫେନ୍ସକୁ ଭେଦ କରିବା କାନାଡା ପାଇଁ କାଠିକର ପାଠ ହେବ। ସେପଟେ  ମିଡଫିଲ୍ଡରେ ଜନ ଜନ ଡମେନ-ଫେଲିକ୍ସ ଖେଳକୁ ନିୟନ୍ତ୍ରଣ କରିବାସହ ସେଡ୍ରିକ, ଟମ ବୁନ୍ ଏବଂ ଅଧିନାୟକ ଥୋମାସଙ୍କ ପ୍ରତିପକ୍ଷ ଗୋଲପୋଷ୍ଟ ଉପରେ ଘନ ଘନ ଆକ୍ରମଣକୁ କାନାଡା କେତେ ପ୍ରତିହତ କରିପାରିବ ତାରି ଉପରେ ରହିବ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.