ହକି ବିଶ୍ବକପର ବିଭିନ୍ନ ଲିଗ୍ ପର୍ଯ୍ୟାୟରେ ଖେଳାଳିଙ୍କୁ ଦିଆଯିବ କଟକ ତାରକସୀ ଟ୍ରଫି : କାଫଲା ବଜାରରେ ୨୭୫ ଟି ଟ୍ରଫି ତିଆରିରେ ଲାଗିଛନ୍ତି କାରିଗର ପଙ୍କଜ ସାହୁ

Published By : Prameya-News7 Bureau | November 09, 2018 IST

କଟକ ୯|୧୧: ହକି ବିଶ୍ବକପ୍ ମାଧ୍ୟମରେ କଟକ ତାରକସୀ କାମ ପହଞ୍ଚିବ ବିଶ୍ବ ଦରବାରରେ । ବିଶ୍ବକପ୍ ହକିର ବିଭିନ୍ନ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ରେ ଖେଳାଳୀଙ୍କୁ ଦିଆଯିବ ତାରକସି ଟ୍ରଫି । ଯାହାକୁ ତିଆରି କରୁଛନ୍ତି କଟକରେ ଖ୍ୟାତନାମା ତାରକସୀ କାରିଗର ପଙ୍କଜ କୁମାର ସାହୁ ଓ ତାଙ୍କର ୧୫ ଜଣ ସହଯୋଗୀ । ଆସନ୍ତା ୨୦ ତାରିଖ ସୁଦ୍ଧା ୨୭୫ ଟି ଚାନ୍ଦି ଚ୍ରଫି ହସ୍ତକଳା ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିବେ ପଙ୍କଜ । ହକି ବିଶ୍ବକପର ବିଭିନ୍ନ ଲିଗ୍ ପର୍ଯ୍ୟାୟରେ ଖେଳାଳିଙ୍କୁ ଦିଆଯିବ ଟ୍ରଫି । ସେ ପୁଣି ତାରକସିର । ଟ୍ରଫି ତିଆରି ଦାୟିତ୍ବ ନେଇଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କାରିଗର ପଙ୍କଜ ସାହୁ । ତାଙ୍କୁ ସହଯୋଗ କରୁଛନ୍ତି ୧୫ ଜଣ ସହଯୋଗୀ । କଟକ କାଫଲା ବଜାରରେ ଥିବା ଏକ ନୁଆଁଣିଆ ଚାଳ ଘରେ ଚାଲିଛି ଟ୍ରଫି ତିଆରି । ହକି ବିଶ୍ବକପ୍ ପାଇଁ ଆବଶ୍ୟକ ୨୭୫ ଟି ଟ୍ରଫି । ଆଉ ଏଗୁଡିକରେ ଦେଖିବାକୁ ମିଳିବ ପଙ୍କଜଙ୍କ ନିଖୁଣ କାରିଗରି । ଏଥିପାଇଁ ବେଶ୍ ଗର୍ବ ଅନୁଭବ କରନ୍ତି ପଙ୍କଜ । ଗୋଟିଏ ହାତ ନଥାଇ ବି ହସ୍ତକଳାରେ ମାହିର୍ ପଙ୍କଜ । କଟକର ତାରକସୀ କାମକୁ ହକି ବିଶ୍ବକପ୍ ମାଧ୍ୟମରେ ବିଶ୍ବ ବଜାରରେ ପହଞ୍ଚାଇବାକୁ ଏକ ସୁନ୍ଦର ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଦେଶର ଖେଳାଳୀ ଓ ଅଫିସିଆଲ୍ ଦେଖିବେ କଟକ ତାରକସୀ କାମର ଝଲକ୍ । ଆଉ ଏହି କାରୁକାର୍ଯ୍ୟ ଶୋଭା ପାଇବ ବିଦେଶୀ ଖେଳାଳୀଙ୍କ ଡ୍ରଇଙ୍ଗ ରୁମ୍‌ରେ । ଏଥିସହ ଦରିଆପାରିରେ ପହଞ୍ଚିବ ତାରକସୀ । ବିଶ୍ବ ବଜାରରେ ତାରକସିକୁ ନୂଆ ପସରା ମଧ୍ୟ ମିଳିଯିବ । ବର୍ତ୍ତମାନ ସୁଦ୍ଧା ପଙ୍କଜ ଓ ତାଙ୍କ ସହଯୋଗୀମାନେ ୧୭୫ ଟି ଟ୍ରଫି ତିଆରି କରି ହସ୍ତକଳା ବିଭାଗକୁ ଦେଇ ସାରିଲେଣି ।ଆସନ୍ତା ୨୦ ତାରିଖ ସୁଦ୍ଧା ସବୁ ଟ୍ରଫି ଦିଆଯିବ । ତେବେ ୨୭୫ ଟି ଟ୍ରଫି ତିଆରି ପାଇଁ ପ୍ରାୟ ୨୦ କେଜି ଚାନ୍ଦି ଆବଶ୍ୟକ ପଡିବ । ଗୋଟିଏ ଟ୍ରଫିରେ ହାରାହାରି ୩ଶହ ଗ୍ରାମ ଚାନ୍ଦି ବ୍ୟବହାର ହେଉଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.