ଆଉ କିଛି ଘଣ୍ଟାର ଅପେକ୍ଷା ; କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ବକପ୍ ହକିର ଉଦ୍‌ଘାଟନୀ ଉତ୍ସବ

Published By : Prameya-News7 Bureau | November 27, 2018 IST

ଭୁବନେଶ୍ବର ୨୭|୧୧:  ଆଉ କିଛି ଘଣ୍ଟାର ଅପେକ୍ଷା । ବିଶ୍ବକପ୍ ହକି ପାଇଁ ଐତିହାସିକ ମୁହୂର୍ତ୍ତ। ହକି ଇତିହାସରେ ଯାହା କେବେ ଦେଖିବାକୁ ମିଳିନଥିଲା ମଙ୍ଗଳବାର ତାହାର ସାକ୍ଷୀ ହେବ ସାରା ବିଶ୍ବ। ନୂଆ ଇତିହାସ ସୃଷ୍ଟି କରିବ ଓଡ଼ିଶା। ପ୍ରଥମଥର ଲାଗି ବିଶ୍ବକପ୍ ହକି ପାଇଁ ହେବ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ। ଏଥିପାଇଁ ଭୁ ବନେଶ୍ବର କଳିଙ୍ଗ ଷ୍ଟାଡିୟମ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ଦୁଇ ଘଣ୍ଟା ଧରି ନୃତ୍ୟଗୀତରେ ବିଭୋର କରିବେ ନାମୀଦାମୀ କଳାକାର। ଷ୍ଟାଡିୟମର ମହାମଞ୍ଚରେ ଏକାଠି ଦିଶିବେ ବଲିଉଡର ନାମୀ ତାରକା। କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେବ ବିଶ୍ବକପ୍  ହକିର ୧୪ତମ ସଂସ୍କରଣ । ଏଥିପାଇଁ  ସାରା ରାଜ୍ୟବାସୀଙ୍କ ମନରେ  ଉତ୍ସାହ ଓ ଉଦ୍ଦୀପନା । ରାଜଧାନୀ ଭୁବନେଶ୍ବରକୁ ସଜେଇ ଦିଆଯାଇଛି ।  ବିଶ୍ବକପ୍  ହକି ପାଇଁ ଆଜି ସରକାର ଛୁଟି ଘୋଷଣା କରିଛନ୍ତି । ଭୁବନେଶ୍ବରର ସମସ୍ତ ସ୍କୁଲ କଲେଜ ବନ୍ଦ । ରାଜ୍ୟର ଅନ୍ୟ ଅଞ୍ଚଳର ସ୍କୁଲ କଲେଜ  ଗୁଡିକୁ ଅପରାହ୍ନ ୧ଟା ୩୦ରୁ ଛୁଟି ଘୋଷଣା କରାଯାଇଛି । ବିଶ୍ବକପ୍  ହକିରେ ନିଜର ଯାଦୁ ଦେଖାଇବାକୁ ବିଶିଷ୍ଠ ସଙ୍ଗୀତଜ୍ଞ ଏ.ଆର ରେହେମାନ, ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଗତକାଲିଠାରୁ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ଆଜି ଅପରାହ୍ନରେ ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିବେ କିଙ୍ଗଖାନ୍ ଶାହାରୁଖ । ବିଶେଷ କରି କିଙ୍ଗଖାନ୍ ଶାହାରୁଖଙ୍କ ପରଫରମାନ୍ସ ଦେଖିବାକୁ ଦର୍ଶକ ମାନଙ୍କ ମଧ୍ୟରେ ନାହିଁ ନଥିବା  ଉତ୍ସାହ । ସନ୍ଧ୍ୟା  ସାଢେ ୫ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଭିନ୍ନ ରାଜ୍ୟର କଳାସଂସ୍କୃତିର ଝଲକ ଦେଖାଇବେ କଳାକାର ।  ପଡିଆ ଭିତରକୁ ପାଣିବୋତଲ ନେବାକୁ  ନିଷେଧ  କରାଯାଇଛି । ଷ୍ଟାଡିୟମ  ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା ।  ଏହାସହ ଷ୍ଟାଡିୟମ  ସମେତ  ସାରା ରାଜଧାନୀକୁ ସ୍ବତନ୍ତ୍ର ସୁରକ୍ଷା ବଳୟରେ ରଖାଯାଇଛି ।  କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ୯ଟି ଗେଟ୍  ରହିଛି । ସମସ୍ତ  ଗେଟ୍  ଦେଇ ଦର୍ଶକ  ଭିତରକୁ  ଯାଇ ପାରିବେ ନାହିଁ । କଳିଙ୍ଗ ଷାଡିୟମର ୯ନମ୍ବର ଗେଟ୍  ଦେଇ  ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ମାନେ ଯିବେ । ୨ନମ୍ବର ଗେଟ୍  ଦେଇ  ପାସ୍ ଧାରୀ, ସାମ୍ବାଦିକ ଓ ଖେଳ ଅଫିସିଆଲ ମାନେ ପ୍ରବେଶ କରିବେ । ୪ନମ୍ବର ଗେଟ୍ ଦେଇ  ଖେଳାଳି ମାନେ ଷ୍ଟାଡିୟମ ଭିତରକୁ ଯିବେ ।  ୨,୪ ଓ ୯ନମ୍ବର ଗେଟ୍  କୁ ଛାଡି  ଅନ୍ୟ  ଗେଟ୍  ଗୁଡିକରେ  ଦର୍ଶକ ମାନେ ଯିବା ପାଇଁ ବ୍ୟବସ୍ଥା  ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.