ବ୍ରିଟେନକୁ ମୁହଁତୋଡ ଜବାବ, ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଗଲା ଭାରତୀୟ ହକି ଦଳ

Published By : Prameya-News7 Bureau | October 05, 2021 IST

ନୂଆଦିଲ୍ଲୀ ୦୫।୧୦: ବ୍ରିଟେନକୁ ପୁଣି ଥରେ ଭାରତର ମୁହଁତୋଡ ଜବାବ। ଭାରତରେ ଆସନ୍ତାବର୍ଷ ହେବାକୁ ଥିବା ଜୁନିୟର ହକି ବିଶ୍ଵ କପ୍‌ରୁ ବ୍ରିଟେନ ହଟିବାକୁ ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ୨୦୨୨ ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ  ହକି ପ୍ରତିଯୋଗିତାରୁ ଭାରତ ଓହରି ଯାଇଛି। କୋଭିଡ୍-୧୯ ଭ୍ୟାକ୍ସିନ ପ୍ରସଙ୍ଗରେ ଭାରତ ଯାତ୍ରୀଙ୍କ ସହ ବ୍ରିଟେନ୍‌ ସରକାରଙ୍କ ଭେଦଭାବପୂର୍ଣ୍ଣ ନୀତି ଜାରି ରହିଛି। ଏହି କାରଣରୁ ମଙ୍ଗଳବାର ହକି ଇଣ୍ଡିଆ ଏମିତି କଠୋର ନିଷ୍ପତ୍ତି ନେଇଥିବା କୁହାଯାଉଛି। ହକି ଇଣ୍ଡିଆର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନିଙ୍ଗୋବମ ମହାସଂଘର ନିଷ୍ପତ୍ତିକୁ ଭାରତୀୟ ଅଲିମ୍ପିକ୍ସ ସଂଘ(ଆଇଓଏ)ର ସଭାପତି ନରିନ୍ଦର ବାତ୍ରାଙ୍କୁ ଅବଗତ କରାଇ ଦେଇଛନ୍ତି। 

ଭାରତ ପ୍ରତି ବ୍ରିଟେନ୍‌ର ଦୋମୁହାଁ ନୀତିକୁ ମଧ୍ୟ ଭାରତର ଏହି ନିର୍ଣ୍ଣୟ ପଛର କାରଣ ଥିବା ମଧ୍ୟ କୁହାଯାଉଛି। ବ୍ରିଟେନ୍‌ ଗୋଟିଏ ଦିନ ପୂର୍ବରୁ ଭାରତରେ ଆସନ୍ତାବର୍ଷ ହେବାକୁ ଥିବା ଜୁନିୟର ହକି ବିଶ୍ଵ କପ୍‌ରୁ ହଟିବାକୁ ନିଷ୍ପତ୍ତି ନେଇଥିଲା। ଏହାର ଜବାବରେ  ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାର ହକି ପ୍ରତିଯୋଗିତାରୁ ହଟି ଯାଇଛି। ଉଭୟ ପୁରୁଷ ଏବଂ ମହିଳା ହକି ଦଳ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବେ ନାହିଁ।

ହକି ଇଣ୍ଡିଆ କହିଛି, ବର୍ମିଂହାମ ରାଜ୍ୟଗୋଷ୍ଟୀ କ୍ରୀଡା (ଜୁଲାଇ ୨୮ରୁ ଅଗଷ୍ଟ ୮) ଓ ହାଙ୍ଗଝୁ ଏସୀୟ କ୍ରୀଡା(ସେପ୍ଟେମ୍ଵର ୧୦ରୁ ୨୫) ମଧ୍ୟରେ କେବଳ ୩୨ ଦିନର ବ୍ୟବଧାନ ରହିଛି। ତେଣୁ ନିଜ ଖେଳାଳିଙ୍କୁ ବ୍ରିଟେନ୍ ପଠାଇବାର ରିସ୍କ ଉଠାଇବାକୁ ହକି ଇଣ୍ଡିଆ ଚାହୁଁନଥିବା କହିଛି। ନିଙ୍ଗୋବମ ଲେଖିଛନ୍ତି, ଏସୀୟ କ୍ରୀଡା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା। ଏସୀୟ କ୍ରୀଡାର ପ୍ରାଥମିକତାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ରାଜ୍ୟଗୋଷ୍ଠୀ କ୍ରୀଡାକୁ ନିଜ ଦଳକୁ ପଠାଇ କୌଣସି ରିସ୍କ ଉଠାଇବାକୁ ଚାହୁଁନଥିବା ନିଙ୍ଗୋବମ କହିଛନ୍ତି।

ବ୍ରିଟେନ୍‌ ନିକଟରେ ଭାରତର କୋଭିଡ୍-୧୯ ଟିକାକରଣ ପ୍ରମାଣ ପତ୍ରକୁ ମାନ୍ୟତା ଦେବାକୁ ମନା କରି ଦେଇଥିଲା। ଦେଶକୁ ଆସୁଥିବା ଭାରତୀୟ ଯାତ୍ରୀଙ୍କ ପୂର୍ଣ୍ଣକାଳୀନ ଟିକାକରଣ ପରେ ମଧ୍ୟ ବ୍ରିଟେନ୍ ସରକାର ୧୦ ଦିନିଆ କ୍ଵାରେଣ୍ଟାଇନ୍‌ ବାଧ୍ୟତାମୂଳକ କରିଛି। ଯେସାକୁ ତେସା ନୀତିରେ ଭାରତ ସରକାର ଇଂଲଣ୍ଡରୁ ଆସୁଥିବା ଲୋକଙ୍କୁ ଦେଶରେ ୧୦ ଦିନିଆ କ୍ଵାରେଣ୍ଟାଇନ୍ ବାଧ୍ୟତାମୂଳକ କରିଛି। ଏହା ପରଠୁ ଉଭୟ ଦେଶର ସଂପର୍କରେ ତିକ୍ତତା ଆସିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.