ହକିରେ ବ୍ରୋଞ୍ଜ ଜିତିଥିବା ନିଜ ରାଜ୍ୟର ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା

Published By : Prameya-News7 Bureau | August 05, 2021 IST

ନୂଆଦିଲ୍ଲୀ ୦୫/୦୮ : ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳରେ ରାଜ୍ୟର ପ୍ରତ୍ୟେକ ଖେଳାଳିଙ୍କୁ ପଞ୍ଜାବ ସରକାର ଏକ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବେ। ବ୍ରୋଞ୍ଜ ପଦକ ପ୍ଲେ ଅଫରେ ଭାରତ ଜର୍ମାନୀକୁ ୫-୪ରେ ପରାସ୍ତ କରିବା ପରେ ପଞ୍ଜାବ କ୍ରୀଡା ମନ୍ତ୍ରୀ ରାଣା ଗୁରୁମିତ ସିଂ ସୋଡି ଏହି ଘୋଷଣା କରିଛନ୍ତି। ତୃତୀୟ ସ୍ଥାନ ପାଇଁ ଜର୍ମାନୀକୁ ପରାସ୍ତ କରି ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି। ୧୯୮୦ ପୂର୍ବରୁ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଭାବରେ ଭାରତ ଏହାର ଶେଷ ଅଲିମ୍ପିକ୍ ପଦକ ଜିତିଥିଲା ।

ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ପଞ୍ଜାବର ଆଠ ଜଣ ଖେଳାଳି ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଅଛନ୍ତି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୋଡି ଟ୍ୱିଟ କରି କହିଛନ୍ତି, ଭାରତୀୟ ହକି ପାଇଁ ଐତିହାସିକ ଦିନରେ ମୋତେ ଏହା ଘୋଷଣା କରି ଖୁସି ହେଉଛି ଯେ ପଞ୍ଜାବର ପ୍ରତ୍ୟେକ ଖେଳାଳିଙ୍କୁ (ଦଳରେ) ଏକ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଆମେ ଖେଳାଳିମାନଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବୁ ଏବଂ ଅଲିମ୍ପିକ୍ସରେ ପଦକ ଜିତିବାର ଖୁସି ପାଳନ କରିବୁ।” ପଞ୍ଜାବର ଅନ୍ୟ ଖେଳାଳିମାନେ ହେଉଛନ୍ତି ହରମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ, ହାର୍ଦ୍ଦିକ ସିଂ, ଶମଶେର ସିଂ, ଦିଲପ୍ରୀତ ସିଂ, ଗୁରଞ୍ଜତ ସିଂ ଏବଂ ମନଦୀପ ସିଂ।

ଏହା ପୂର୍ବରୁ ରାଜ୍ୟ କ୍ରୀଡା ମନ୍ତ୍ରୀ ସୋଡି ଘୋଷଣା କରିଥିଲେ ଯେ ଯଦି ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତେ ତାହେଲେ ଦଳରେ ସାମିଲ ରାଜ୍ୟର ପ୍ରତ୍ୟେକ ଖେଳାଳିଙ୍କୁ ଅଢେଇ କୋଟି ଟଙ୍କା ଦିଆଯିବ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରଦର୍ଶନ ପାଇଁ ସେ ଗର୍ବିତ ବୋଲି ସୋଡି କହିଛନ୍ତି। ଅନ୍ୟ ଏକ ଟ୍ୱିଟରେ ସୋଡି କହିଛନ୍ତି, "ଏହା ଐତିହାସିକ ବ୍ରୋଞ୍ଜ ପଦକ ଜିତିବାର ଖୁସି ପାଳନ କରିବା ସମୟ। ପଞ୍ଜାବର କ୍ରୀଡା ମନ୍ତ୍ରୀ ହୋଇ ଜାତୀୟ ଖେଳକୁ ପ୍ରୋତ୍ସାହିତ କରିବା ତଥା ଉତ୍ସାହିତ କରିବା ମୋର କାମ ଏବଂ ଗର୍ବର ବିଷୟ।"

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍ କରି କହିଛନ୍ତି ଯେ ଦେଶ ପାଇଁ ଗର୍ବିତ ଏବଂ ଐତିହାସିକ ମୁହୂର୍ତ୍ତ। ଭାରତର ପୁରୁଷ ହକି ଦଳ ଏକ ରୋମାଞ୍ଚକର ମ୍ୟାଚରେ ଜର୍ମାନୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ୪୧ ବର୍ଷ ପରେ ପୋଡିୟମରେ ସ୍ଥାନ ପାଇବା ଏକ ବଡ଼ ସଫଳତା ଏବଂ ହକିରେ ବ୍ରୋଞ୍ଜ ପଦକ ସ୍ୱର୍ଣ୍ଣ ପଦକ ପରି, ଅଭିନନ୍ଦନ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଭାରତୀୟ ପୁରୁଷ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.