ସ୍ବାମୀଙ୍କ ଟିମ୍ ହାରି ଯିବାରୁ ମୁହଁ ଫୁଲାଇଛନ୍ତି ସ୍ତ୍ରୀ ଏଲିସ୍‌ : ସ୍ବାମୀଙ୍କ ସହ ବି ଦେଖା ହୋଇପାରୁନଥିବାରୁ ଡବଲ ହୋଇଛି ଦୁଃଖ, ଜାଣନ୍ତୁ କେଉଁ ହକି ତାରକାଙ୍କ ପତ୍ନୀ ଇଏ…

Published By : Prameya-News7 Bureau | November 30, 2018 IST

ସ୍ବାମୀଙ୍କ ଟିମ୍ ହାରି ଯିବାରୁ ମୁହଁ ଫୁଲାଇଛନ୍ତି ସ୍ତ୍ରୀ । କଟକଣା ଯୋଗୁଁ ସ୍ବାମୀଙ୍କ ସହ ଦେଖା ବି ହୋଇପାରୁନି । ରାଗରେ ଗର ଗର ହୋଇ ମନ ଦୁଃଖରେ ରାଜଧାନୀରେ ବୁଲୁଛନ୍ତି । ତେବେ କିଏ ଏ ମହିଳା, ତାଙ୍କ ସ୍ବାମୀ କେଉଁ ଟିମ୍‌ର ମେମ୍ବର । ପଢନ୍ତୁ ଏହି ରିପୋର୍ଟ । ଫ୍ରାନ୍ସ ହକି ଟିମ୍ ର ଜଣେ ବଡ଼ ସମର୍ଥକ ହେଉଛନ୍ତି- ଏଲିସ୍ । ଖେଳ ଦେଖିବାକୁ ଫ୍ରାନ୍ସରୁ ଛୁଟି ଆସିଛନ୍ତି ଭୁବନେଶ୍ବର । ମନରେ କିନ୍ତୁ ହରସ ନାହିଁ । ମୁହଁ ଫୁଲେଇ ରାଜଧାନୀରେ ବୁଲୁଛନ୍ତି । କ’ଣ ପାଇଁ ଏଲିସ୍ ମୁହଁ ଫୁଲେଇଛନ୍ତି ? ବୁଝୁ ବୁଝୁ ଜଣାପଡିଲା ଏଲିସ୍‌ ହେଉଛନ୍ତି ଫ୍ରାନ୍ସ ହକି ଦଳର କ୍ୟାପଟେନ୍ ଭିକ୍ଟର ସାର୍ଲେଟ୍ଙ୍କ ପତ୍ନୀ । ଗୁରୁବାର ନ୍ୟୁଜିଲାଣ୍ଡଠାରୁ ୨-୧ ଗୋଲରେ ହାରି ଯାଇଛି ଫ୍ରାନ୍ସ । ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଏଲିସ୍ । ଏଇଥିପାଇଁ ଯେ, ତାଙ୍କ ଦଳ ନିଶ୍ଚୟ ମ୍ୟାଚ ଜିତିବ ବୋଲି ଭିକ୍ଟର କହିଥିଲେ । ଫ୍ରାନ୍ସ ମ୍ୟାଚ ହାରି ଯାଇଥିବାରୁ ଭିକ୍ଟର ସାର୍ଲେଟ୍ ଙ୍କ ସହ ସେ ଦୁଃଖୀ ବୋଲି ଏଲିସ୍ କହିଛନ୍ତି । ତେବେ ହାରିବା ଦୁଃଖକୁ ବଳି ପଡିଛି ବିରହ ବେଦନା । ଏତେ ବାଟରୁ ମ୍ୟାଚ ଦେଖିବାକୁ ଧାଇଁ ଆସିଛନ୍ତି, ହେଲେ ଗୋଟିଏ ସହରରେ ରହୁଥିଲେ ବି ସ୍ବାମୀଙ୍କ ସହ ଭେଟ ହୋଇପାରୁନି । ଫ୍ରାନ୍ସ ଟିମ୍ ହୋଟେଲ ସ୍ବସ୍ତି ପ୍ରିମିୟମରେ ରହୁଥିବା ବେଳେ ଏଲିସ୍ ରହୁଛନ୍ତି ପାଲ ହାଇଟସ୍ ରେ । ଖେଳାଳି ପରିବାରବର୍ଗଙ୍କ ସହ ବୁଲାବୁଲି କି ଡାଇରେକ୍ଟ କଥା ହେବାକୁ ଅନୁମତି ନାହିଁ । ତେଣୁ ଏଲିସଙ୍କ ମନ ପାଣିଚିଆ ହୋଇଯାଇଛି । ତେବେ ଭୁବନେଶ୍ବର ଖୁବ ଭଲ ଲାଗୁଛି ବୋଲି ଏଲିସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.