ବୟସ ୫ରୁ ୧୪ ବର୍ଷ, ସମସ୍ତେ ମା ପେଟରୁ ଏଚ୍ଆଇଭି ସଂକ୍ରମିତ, ଜୀଉଁଛନ୍ତି ଅଭିଶପ୍ତ ଜୀବନ ; ‘ପ୍ରାୟାସ’ କରୁଛି ନୂଆ ଜୀବନ ପାଇଁ ପ୍ରୟାସ
1/12/2018 at 4:05 PM

କଳାହାଣ୍ଡି ୦୧|୧୨: ଆମ ରାଜ୍ୟରେ ମଧ୍ୟ ଶହଶହ ଶିଶୁ ଜୀବନ କ’ଣ ଜାଣିବା ପୂର୍ବରୁ ଏଚଆଇଭି ଆକ୍ରାନ୍ତ ହୋଇ ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି। ଏଡସ ଆକ୍ରାନ୍ତ ବାପା ମାଆଙ୍କ ମୃତ୍ୟୁ ପରେ ଅନେକ ଶିଶୁ ମଧ୍ୟ ଅନାଥ ହୋଇଯାଉଛନ୍ତି । ପଢନ୍ତୁ ଏସଂପର୍କରେ ଏକ ବିଶେଷ ରିପୋର୍ଟ ।
ବହି ଖାତା ଧରି ପାଠ ପଢ଼ାରେ ମଜିଯାଇଛନ୍ତି ପିଲାମାନେ । ଏ ସମସ୍ତଙ୍କ ବୟସ ୫ରୁ ୧୪ ବର୍ଷ ମଧ୍ୟରେ । ଜୀବନ କଣ ବୁଝିବା ଆଗରୁ ଏମାନେ ମାରାତ୍ମକ ଏଡ୍ ସରେ ପୀଡ଼ିତ, ସମସ୍ତଙ୍କ ଦେହରେ ଏଚଆଇଭି ଭୂତାଣୁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପ୍ରୟାସ ଅନୁଷ୍ଠାନରେ ବଚିଂବାର ନୂଆ ରାହା ଖୋଜୁଛନ୍ତି ୧୨ ଜଣ ଶିଶୁ । ଏମାନଙ୍କ ଘର କଳାହାଣ୍ଡି, ନବରଂଗପୁର, ଖୋର୍ଦ୍ଧା, ବଲାଗିଂର, ସୁନ୍ଦରଗଡ ଜିଲ୍ଲାରେ । ଏମାନଙ୍କ ମଧ୍ୟରୁ ୮ ଜଣ ଅନାଥ। ଏଡସରେ ସେମାନଙ୍କ ବାପା, ମାଆ ପ୍ରାଣ ହରାଇସାରିଛନ୍ତି । ଅନ୍ୟ ୪ ଜଣଙ୍କ ବାପାମାନେ ଏଡସରେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ମାନେ ଆକ୍ରାନ୍ତ। ଏହି ଶିଶୁ ମାନଙ୍କୁ ନା ସମାଜ ଗ୍ରହଣ କରୁଛି ନା ସଂପର୍କୀୟ ।
୨୦୧୫ରୁ ସ୍ଥାପନ ହୋଇଥିବା ଏହି ପ୍ରୟାସ ସଂସ୍ଥାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣ ଶିଶୁଙ୍କୁ ଆଶ୍ରୟ ଦିଆଯାଇଛି। ଯେଉଁମାନଙ୍କ ମଧ୍ୟରୁ ୨ ଭାଇ ଆଖିବୁଜି ସାରିଛନ୍ତି, ଜଣେ ମାଟ୍ରିକ ପାସ କଲା ପରେ ଘରକୁ ଫେରିଛି।
ଏଚଆଇଭି ଆକ୍ରାନ୍ତ ଏହି ସମସ୍ତ ଶିଶୁଙ୍କର ରହିଛି କରୁଣ କାହାଣୀ । ଏମାନେ ସମସ୍ତେ ମାତୃ ଗର୍ଭରୁ ଏଚଆଇଭି ସଂକ୍ରମିତ। କାହାର ବାପା ଦାଦନ ଖଟିବାକୁ ଯାଇ ତ ଆଉ କାହାର ବାପା ଡ୍ରାଇଭର ଭାବେ ବାହାରକୁ ଯାଇ ଏଡସ କବଳରେ ପଡ଼ିଥିଲେ । ଆଉ ଦୁନିଆଁକୁ ଆସିବା ପୂର୍ବରୁ ଏଇ ନିଷ୍ପାପ ଶିଶୁମାନଙ୍କୁ ସେମାନଙ୍କର ଭୁଲର ଦଶା ଭୋଗିବାକୁ ପଡୁଛି ।