ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନେକ ଥର ଛିଡା ହୋଇଛି ସମୟ , ୪୫୨ ବର୍ଷରେ ୩୨ ଥର ବନ୍ଦ ହୋଇଛି ରଥଯାତ୍ରା

Published By : Prameya-News7 Bureau | June 19, 2020 IST

ପୁରୀ ୧୯।୦୬: ଆଶା ଥିଲା, ଗମ୍ଭୀରା ଭିତରେ ଥିବା ପ୍ରଭୁ ଜଗନ୍ନାଥ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାହାରକୁ ଆସିବେ। ଜୁନ୍‌ ୨୩ ଘୋଷଯାତ୍ରାରେ ପ୍ରିୟ ଭକ୍ତମାନଙ୍କୂ ଦେଖାଦେବେ। ଏଭଳି ଆଶା ଭିତରେ ଆଶଙ୍କା ମଧ୍ୟ ଥିଲା। କିନ୍ତୁ ଆଶା ସରିଗଲା, ସତ ହେଲା ଆଶଙ୍କା।  ରଥଯାତ୍ରାକୁ ନେଇ ଗୁରୁବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ।  ମହାମାରୀ କରୋନା ଯୋଗୁଁ ଏ ବର୍ଷ ଶ୍ରୀକ୍ଷେତ୍ରରେ ହେବନି  ଘୋଷଯାତ୍ରା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ବସିଥିବା ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଯଦି ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦିଅନ୍ତି, ତାହେଲେ ଭଗବାନ ଆମକୁ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ଜଷ୍ଟିସ୍‌ ବୋବ୍‌ଡ଼େ । କେବଳ ପୁରୀ ନୁହେଁ, ଚଳିତବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଲା । ବଡ଼ଦାଣ୍ଡରେ ଏବର୍ଷ ଗଡ଼ିବନି ତାଳଧ୍ବଜ, ଦେବଦଳନ କି ନନ୍ଦିଘୋଷା।

ତେବେ ବର୍ତ୍ତମାନ ଚଳିତ ବର୍ଷ କେବଳ ରଥାଯାତ୍ରା ବନ୍ଦ ହୋଇନାହିଁ । ପୂର୍ବରୁ ମଧ୍ୟ ଅନେକ ଥର ବନ୍ଦ ହୋଇଛି ରଥଯାତ୍ରା । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନେକ ସମୟରେ ସମୟ ବାଧା ସୃଷ୍ଟି କରିଛି । ମୋଟ ୪୫୨ ବର୍ଷରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା  । ଯାହାଫଳରେ କି ପ୍ରଭୁ ବାହାରକୁ ରଥ ଉପରକୁ ଆଶିନହାନ୍ତି କି ନିଜର ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦେଇନାହାନ୍ତି । ତେବେ ଆସନ୍ତ ଜାଣିବା କେତେ ବେଳେ ଓ କିପରି ବନ୍ଦ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା

୪୫୨ ବର୍ଷର ଇତିହାସରେ ୩୨ ଥର ମହାପ୍ରଭୁଙ୍କ ରଥଯାତ୍ରା ହୋଇଛି । ୧୫୬୮ରୁ ୧୫୭୭ ଖ୍ରୀଷ୍ଟାବ୍ଦ ଯାଏଁ ବନ୍ଦ ଥିଲା ପୁରୀ ରଥଯାତ୍ରା ।  କଳାପାହାଡ଼ ଆକ୍ରମଣ ଯାଗୁଁ ଚିଲିକା ନିକଟରେ ପାତାଳି ଥିଲେ ଶ୍ରୀଜିଉ ।  ସେହିପରି ୧୬୦୧ ଖ୍ରୀଷ୍ଟାବ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ରହିଥିଲା । ମିର୍ଜା ଖୁରୁମ୍‌ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସେହି ସମୟରେ କପିଳେଶ୍ୱର ଶାସନ ଗାଁରେ ଅବସ୍ଥାନ କରୁଥିଲେ ବିଗ୍ରହ ।  ୧୬୦୭ ଖ୍ରୀଷ୍ଟାବ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ରହିଥିଲା । ସୁବେଦାର ହାସିମ ଖାନ୍‌ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ।  ୧୬୦୮ ଖ୍ରୀଷ୍ଟାବ୍ଦ ବାହୁଡ଼ା ବିଜେରେ ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ ଶ୍ରୀଜିଉ ।  ସେହିପରି ୧୬୧୧ ଖ୍ରୀଷ୍ଟାବ୍ଦରେ ହୋଇପାରିନଥିଲା ରଥଯାତ୍ରା । କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଉପରେ ବର୍ବର ଆକ୍ରମଣ କରିଥିଲା । ସେହି ସମୟରେ ଠାକୁରମାନଙ୍କୁ ଜଳପଥରେ ଚିଲିକାର ଚକାନାସି ସ୍ଥାନାନ୍ତର କରାଯାଇଥିଲା ।

 ୧୬୧୭ ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ୍ଲ ୨ୟ ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ସେହିବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା ।  ୧୬୨୧ ଖ୍ରୀଷ୍ଟାବ୍ଦରେ ସୁବେଦାର ଅହମ୍ମଦ ବେଗ୍‌ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ଆଗାମୀ ୨ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା । ସେତେବେଳେ ଶ୍ରୀଜିଉଙ୍କୁ ଅନ୍ଧାରୀ ଘରକୁ ସ୍ଥାନାନ୍ତର କରାଯାଇଥିଲା ।  ୧୬୯୨ ଖ୍ରୀଷ୍ଟାବ୍ଦରେ ସୁବେଦାର ଏକ୍‌ରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ୧୬୯୨ରୁ ୧୭୦୭ ଯାଏଁ ୧୫ ବର୍ଷ ଧରି ଶ୍ରୀଜିଉ ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ । ୧୫ ବର୍ଷରୁ ୧୩ ବର୍ଷ ରଥଯାତ୍ରା ହୋଇନଥିଲା ।  ସେହିପରି ୧୭୭୧ ଖ୍ରୀଷ୍ଟାବ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ହୋଇପାରି ନ ଥିଲା ମହାପ୍ରଭୁଙ୍କ ରଥଯାତ୍ରା । ଏହିପରି ଭାବେ ୪୫୨ ବର୍ଷର ଇତିହାସରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.