ହିରୋସିମା ପରମାଣୁ ବୋମା ଆକ୍ରମଣରେ ବର୍ତ୍ତିଯାଇଥିବା ସୁନାଓ ସୁବୋଇଙ୍କ ୯୬ ବର୍ଷ ବୟସରେ ପରଲୋକ, ସାରା ଦେଶରେ ଶୋକର ଛାୟା

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ ୨୭/୧୦ : ଜାପାନର ହିରୋସିମା ଏବଂ ନାଗାସାକୀ ଉପରେ ଆମେରିକାର ପରମାଣୁ ବୋମା ଆକ୍ରମଣ ଇତିହାସର ଏକ ଭୟଙ୍କର କଳଙ୍କିତ ଅଧ୍ୟାୟ ହୋଇ ରହିଛି । ୧୯୪୫ ମସିହାରେ ହୋଇଥିବା ଏହି ଆକ୍ରମଣ ମାନବ ସଭ୍ୟତାର ସବୁଠାରୁ ଭୟଙ୍କର ଏବଂ ବୃହତ ଆକ୍ରମଣ ବୋଲି ଗଣାଯାଏ । ଆମେରିକା ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ହଜାର ହଜାର ସଂଖ୍ୟାରେ ନିରୀହ ଲୋକଙ୍କର ମୃତ୍ୟୁ ଘଟିଥିଲା । ତଥାପି କିଛି ଲୋକ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପଙ୍ଗୁ ପାଲଟିଯାଇଥିଲେ । ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ସୁନାଓ ସୁବୋଇ । କିନ୍ତୁ ଦୁଃଖର କଥା ହେଉଛି ୯୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସୁବୋଇଙ୍କ ଦେହାନ୍ତରେ ଜାପାନରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯିବା ସହିତ ଅନେକ ଦେଶ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦୀର୍ଘଦିନ ହେଲା ସୁନାଓ ସୁବୋଇ ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡିତ ଥିଲେ । ଜାପାନର ହୀରୋସିମାରେ ରହୁଥିବା ସୁନାଓ ସୁବୋଇଙ୍କ ହୃଦସ୍ପନ୍ଦନ କମିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପରମାଣୁ ବୋମା ବ୍ୟବହାର ନକରିବା ପାଇଁ ସେ ନେଇଥିବା ନେତୃତ୍ବ ଆଜିବି ଜାରି ରହିଛି । ଦୀର୍ଘ ବର୍ଷ ହେବ ସେ ପରମାଣୁ ବୋମା ବ୍ୟବହାର ନକରିବା ପାଇଁ ବିଭିନ୍ ଦେଶର ପ୍ରତିନିଧିଙ୍କୁ ଅପିଲ କରିଆସୁଥି​‌ଲେ ।

{"width":777,"height":565}

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସହ ମଧ୍ୟ ତାଙ୍କର ବେଶ ଘନିଷ୍ଠାତା ଥିଲା । ବ୍ୟକ୍ତିଗତ ଭାବେ ଦେଖିବାକୁ ଗଲେ ସୁନୋଇ ବେଶ ସରଳ ସ୍ବଭାବର ବ୍ୟକ୍ତିତ୍ବ ଥିଲେ । ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିବା ବେଳେ ହିରୋସୀମା ଉପରେ ପରମାଣୁ ବୋମା ଆକ୍ରମଣ କରିଥିଲା ଆମେରିକା । ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ହୋଇଥିବା ପରମାଣୁ ଆକ୍ରମଣରେ ଅଳ୍ପକେ ବର୍ତ୍ତଯାଇଥିଲେ ସୁନାଓ ସୁବୋଇ ।

{"width":775,"height":517}

ତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡିଯାଇଥିଲା । ଦୀର୍ଘ ୪୦ ଦିନ ଧରି ସେ ବେହୋସ୍‌ ହୋଇପଡିଥିଲେ । ତାଙ୍କର ଚେତା ଫେରିବା ବେଳକୁ ଦ୍ବୀତିୟ ବିଶ୍ବ ଯୁଦ୍ଧ ଶେଷ ହୋଇଯାଇଥିଲା । ହିରୋସୀମା ଉପରେ ପରମାଣୁ ଆକ୍ରମଣ ହେବାର ମାସକ ମଧ୍ୟରେ ସେଠାରେ ପ୍ରାୟ ୧ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାର ୩ ଦିନ ପରେ ନାଗାସାକୀରେ ଆଉ ଏକ ପରମାଣୁ ବୋମା ପକାଇଥିଲା ଆମେରିକା । ଯେଉଁଥିରେ ୭୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ଅଗଷ୍ଟ ୧୫ ତାରିଖରେ ଆତ୍ମସମର୍ପଣ କରିଥିଲା ଜାପାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.