ହୀରାକୁଦ ବିସ୍ଥାପିତଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ, ଝାରସୁଗୁଡାର ୨ ହଜାର ପରିବାରକୁ ମିଳିବ ଘର ଡିହ

Published By : Prameya-News7 Bureau | November 15, 2021 IST

ଭୁବନେଶ୍ବର ୧୫।୧୧: ହୀରାକୁଦ ବିସ୍ଥାପିତଙ୍କୁ ଘର ଡିହ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡାବାସୀଙ୍କୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ପ୍ରାୟ ୨ ହଜାର ବିସ୍ଥାପିତ ପରିବାରକୁ ଘର ଡ଼ିହ ମିଳିବ ବୋଲି ଜଣାପଡିଛି । ହୀରାକୁଦ ଡ୍ୟାମ୍ ନିର୍ମାଣ ବେଳେ ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାର ହଜାର ହଜାର ପରିବାର ବିସ୍ଥାପିତ ହୋଇଥିଲେ । ଦୀର୍ଘ ୭୦ ବର୍ଷ ପରେ ହୀରାକୁଦ ବିସ୍ଥାପିତଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡା ଜିଲ୍ଲାର ପ୍ରାୟ ୨ ହଜାର ବିସ୍ଥାପିତ ପରିବାରକୁ ଘର ଡିହ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ରେ ଝାରସୁଗୁଡା ଇଂଜିନିୟରିଂ ସ୍କୁଲ ଅଡିଟୋରିୟମରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରିବା ସହ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାସହ ୧୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ୧୬୮କୋଟି ଟଙ୍କାରେ ହେବାକୁ ଥିବା ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଝାରସୁଗୁଡାରେ ଆୟୋଜିତ ସମାରୋହରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତି ଉପସ୍ଥିତ ରହି ୧୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଛନ୍ତି । ଝାରସୁଗୁଡା ଜିଲ୍ଲାରେ ୧ ଲକ୍ଷ ୧୫ ହଜାର ୭୩୦ ଜଣଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳରେ ପର୍ଯ୍ୟାୟ କ୍ରମେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.