ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ପ୍ରଥମ ବନ୍ୟା ଜଳ, ୬ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଆଲର୍ଟ
14/08/2019 at 9:14 AM

ସମ୍ବଲପୁର ୧୪|୮: ଆଜି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ପୂର୍ବାହ୍ନ ୧୧ଟା ପରେ ଯେ କୌଣସି ମୂହୁର୍ତ୍ତରେ ଖୋଲିବ ଗେଟ୍ । ମହାନଦୀର ତଳ ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରଥମେ ତିନୋଟି ଗେଟ୍ ଖୋଲାଯିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ସୁଧା ତଳ ମୁଣ୍ଡରେ ବର୍ଷାକୁ ଦେଖି କେବଳ ଗୋଟିଏ ଗେଟ୍ ଖୋଲାଯିବ । କିଛି ସମୟ ପରେ ସେହି ଗେଟ ବନ୍ଦ କରିଦିଆଯିବ ।
ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୬.୮୭ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୧୨ ହଜାର ୨୦୧ କ୍ୟୁସେକ୍ ଜଳ ପ୍ରବେସ କରୁଥିବା ବେଳେ, ପ୍ରତି ସେକେଣ୍ଡରେ ୧୬ହଜାର ୮୬୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ମହାନଦୀ ତଳମୁଣ୍ଡରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ରଖାଯାଇଛି । ମହାନଦୀର ତଳମୁଣ୍ଡରେ ଥିବା ସମସ୍ତ ୬ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ ପିଙ୍କୁ ସୂଚନା ପ୍ରଦାନ ଦିଆଯାଇଥିବା ବେଳେ, ସମ୍ବଲପୁର ସହର ସମେତ ତଳମୁଣ୍ଡରେ ମାଇକ୍ ଯୋଗେ ପ୍ରଚାର କରାଯିବା ସହ, ସମସ୍ତଙ୍କୁ ସର୍ତକ କରାଯାଇଛି ।
ଜଳଭଣ୍ଡାରରୁ ତିନୋଟି ସୁଇସ୍ ଗେଟ୍ ଦେଇ ଜଳନିଷ୍କାସନ କରାଯିବା ପରେ, ଏହା ମୁଣ୍ଡୁଳୀ ନିକଟରେ ପହଞ୍ଚିବାକୁ ପ୍ରାୟ ୪୮ଘଣ୍ଟା ସମୟ ଲାଗିବ । ସେହି ସମୟରେ ତଳମୁଣ୍ଡରେ ବର୍ଷା ଓ ବନ୍ୟା ପରିସ୍ଥିତି ଦେଖି, ପ୍ରତି ୩ଘଣ୍ଟାରେ ସ୍ଥିତିର ସମୀକ୍ଷା କରାଯିବ ।
ଜଳଭଣ୍ଡାରର ସ୍ଥିତି, ଜଳପ୍ରବେଶର ମାତ୍ରା ଓ ତଳମୁଣ୍ଡରେ ମୁଣ୍ଡୁଳୀ ଠାରେ ବନ୍ୟାଜଳ ସମୁଦ୍ରକୁ ନିଷ୍କାସିତ ହେବାପରେ, ପର୍ଯ୍ୟାୟ କ୍ରମେ ଅଧିକ ସୁଇସ୍ ଗେଟ୍ ଖୋଲାଯାଇ ଜଳ ଛଡାଯିବ କି, ଖୋଲାଥିବା ଗେଟ୍ ବନ୍ଦ କରାଯିବ ତାହା ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ । ଚଳିତବର୍ଷ ପ୍ରାୟ ୨୧ଦିନ ବିଳମ୍ବରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ ।