ବଡ ଘରେ 'ଭିନେ' କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ, ୨୬।୧୧:   ହିନ୍ଦୁଜା ପରିବାରରେ ସଙ୍କଟ । ପରିବାର ସଦସ୍ୟଙ୍କ ମଧ୍ୟରେ ଫାଟ । କ୍ଷତି ସହିଲା କମ୍ପାନୀ । ସେୟାର ଭାଲ୍ୟୁ ବି ଖସିଲା । ଏବେ ବିପଦରେ ହିନ୍ଦୁଜା ସାମ୍ରାଜ୍ୟ ।

ଲଣ୍ଡନରେ ପିଲାଦିନ କଟାଇଥିବା କରମ ହିନ୍ଦୁଜାଙ୍କ ପସନ୍ଦ ଫିଲ୍ମ ଦେଖିବା । ସେ ନିଜ ଜେଜେବାପା ଶ୍ରୀଚନ୍ଦ ହିନ୍ଦୁଜାଙ୍କ ସହ ଏକାଠି ବସି ଫିଲ୍ମ ଦେଖନ୍ତି । ଶ୍ରୀଚନ୍ଦ ହିନ୍ଦୁଜା ହେଉଛନ୍ତି ହିନ୍ଦୁଜା ବ୍ୟବସାୟୀକ ସାମ୍ରାଜ୍ୟର ସବୁଠାରୁ ବରିଷ୍ଠ ବ୍ୟକ୍ତି । ତେବେ ଫିଲ୍ମ ଦେଖୁଥିବା ବେଳେ କରମ ନିଜ ପରିବାରେ ଭବିଷ୍ୟତରେ ଯେ ଝଡ ସୃଷ୍ଟି ହେବ ତାହା କେବେ ଭାବିନଥିଲେ । ଯେଉଁ ଝଡ କୌଣସି ଚଳଚ୍ଚିତ୍ରର କାହାଣୀଠୁ କମ୍ ନୁହେଁ ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ୮୫ ବର୍ଷୀୟ ଶ୍ରୀଚନ୍ଦ ହିନ୍ଦୁଜା ଏବେ ରୋଗାଗ୍ରାସ୍ତ । କରମ, ତାଙ୍କ ଭଉଣୀ, ମାଆ ଓ ପିଉସି ଏବଂ ଜେଜେ ମାଆ ସହ ପରିବାରର ସମସ୍ତ ସଦସ୍ୟ ମଧ୍ୟରେ ୧୮ ଆରବ ଡଲାରର ସମ୍ପତ୍ତିକୁ ନେଇ ଦେଖାଦେଇଛି ଫାଟ । ବ୍ରିଟିଶ-ଭାରତୀୟ କର୍ପୋରେଟ ପରିବାର ସମ୍ପତ୍ତି ପାଇଁ ନିଜ ନିଜ ଭିତରେ କରୁଛନ୍ତି ଲଢେଇ । କରମଙ୍କ ଭଳି ବାଲା ପରିବାର ମଧ୍ୟ ସମ୍ପତ୍ତିରେ ଆଗ୍ରହ ରଖିଛି ।

ଲଣ୍ଡନ ଓ ସ୍ୱିଜରଲାଣ୍ଡ କୋର୍ଟରେ ମାମଲା                                   

ଲଣ୍ଡନ ଓ ସ୍ୱିଜରଲାଣ୍ଡ କୋର୍ଟରେ ପହଁଚିଛି ହିନ୍ଦୁଜା ପରିବାରର ଝଗଡା । ଶ୍ରୀଚନ୍ଦ ହିନ୍ଦୁଜାଙ୍କ ତରଫରୁ ଝିଅ ମାମଲାର ଦେଖାରଖା କରୁଛନ୍ତି । ତାଙ୍କ କହିବା କଥା ହେଲା, ପ୍ରତିପକ୍ଷ ମହିଳା ବିରୋଧି ମାନସିକତାରେ ରହିଛନ୍ତି । ଜାଣିଶୁଣି ସେମାନେ ଘୃଣା ସୃଷ୍ଟି କରୁଛନ୍ତି । ତେଣୁ ସେ ମାମଲାରୁ ପଛକୁ ହଟିବେ ନାହିଁ ।

ତେବେ ପରିବାର ମଧ୍ୟରେ ଏହି ଲଢେଇ କାରଣରୁ ୧୦୭ ବର୍ଷର ପୁରୁଣା ହିନ୍ଦୁଜା କର୍ପୋରେଟ ସାମ୍ରାଜ୍ୟ ଚମକ ହରାଇବାରେ ଲାଗିଛି । ଗ୍ରୁପର ୧୨ରୁ ଅଧିକ କମ୍ପାନୀ ଥିବା ବେଳେ ଦେଢ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ଏହି ଗ୍ରୁପର ଟ୍ରକ, ବ୍ୟାଙ୍କିଂ, କେମିକାଲ୍ସ, ପାଓ୍ୱାର, ମିଡିଆ ଓ ହେଲଥ କେୟାରରେ ବ୍ୟବସାୟ ରହିଛି ।

ପ୍ରଥମ ଥର ପାଇଁ କେବେ ସୃଷ୍ଟି ହେଲା ବିବାଦ ?

ହିନ୍ଦୁଜା ପରିବାରର ଫାଟ ପ୍ରଥମେ ସାମ୍ନାକୁ ଆସିଥିଲା ଯେତେବେଳେ ଶ୍ରୀଚନ୍ଦଙ୍କ ଝିଅ ସ୍ୱିଜରଲାଣ୍ଡରେ ଥିବା ବ୍ୟାଙ୍କର ମାଲିକାନାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶ୍ରୀଚନ୍ଦଙ୍କ ଝିଅ ଶାନୁ ହିନ୍ଦୁଜା ବ୍ୟାଙ୍କର ଚେୟାରମ୍ୟାନ ରହିଛନ୍ତି । ପୁଅ କରମ ହିନ୍ଦୁଜା ନିକଟରେ ଏହାର ସିଇଓ ଭାବେ ଦାୟିତ୍ୱ ନେଇଛନ୍ତି । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ତେବେ ପ୍ରଥମେ ସମସ୍ତ ଭାଇ ଗ୍ରୁପର ଅଲଗା ଅଲଗା କାରବାର ବୁଝୁଥିଲେ ।

୧୯୧୪ରେ ହିନ୍ଦୁଜା ଗ୍ରୁପ ପ୍ରତିଷ୍ଠା ହୋଇଥିଲା । ଶ୍ରୀଚନ୍ଦ ହିନ୍ଦୁଜା ପୁରା ଗ୍ରୁପର ଚେୟାରମ୍ୟାନ୍ ରହିଛନ୍ତି । ସେ ହି ଇଣ୍ଡସିଣ୍ଡ୍ ବ୍ୟାଙ୍କ ଆରମ୍ଭ କରିଥିଲେ । ତାଙ୍କ ଭାଇ ଗୋପିଚାନ୍ଦ ହିନ୍ଦୁଜା ଗ୍ରୁପର କୋ-ଚେୟାରମ୍ୟାନ୍ ଥିବା ସହ ହିନ୍ଦୁଜା ଅଟୋମେଟିଭ୍ ଲିମିଟେଡର ନିର୍ଦ୍ଦେଶକ ମଧ୍ୟ । ତୃତୀୟ ଭାଇ ପ୍ରକାଶ ଏବେ ୟୁରୋପରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ୍ ଅଛନ୍ତି ଓ ଅଶୋକ ଭାରତରେ ହିନ୍ଦୁଜା ଗ୍ରୁପର ଚେୟାରେମ୍ୟାନ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.