ବ୍ରିଟେନ୍‌ ହାଇକୋର୍ଟରେ ପହଞ୍ଚିଲା ହିନ୍ଦୁଜା ଭ୍ରାତାଙ୍କ ସମ୍ପତ୍ତି ବିବାଦ

Published By : Prameya-News7 Bureau | June 24, 2020 IST

ଲଣ୍ଡନ:  ବ୍ରିଟେନ୍‌ର ଅଗ୍ରଣୀ ବ୍ୟବସାୟୀ ସମୂହ ହିନ୍ଦୁଜାଗ୍ରୁପ୍ ସମ୍ପତ୍ତି ବିବାଦ ସମାଧାନ ଲାଗି ବ୍ରିଟେନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବ୍ରିଟେନର ଧନୀକ ବର୍ଗଙ୍କ ମଧ୍ୟରେ ହିନ୍ଦୁଜା ବ୍ରଦରଙ୍କ ମାନ୍ୟ ରହିଛି। ପରିବାରର ସଂରକ୍ଷକ କୁହାଯାଉଥିବା ୮୪ ବର୍ଷ ବୟସ୍କ ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜା ସମ୍ପତ୍ତି ସମ୍ପର୍କିତ ବିବାଦକୁ ହାଇକୋର୍ଟରେ ପହଞ୍ଚାଇଛନ୍ତି। ଏଥିରେ ସେ ତାଙ୍କର ୩ କନିଷ୍ଠ ଭ୍ରାତା ଜି.ପି. ହିନ୍ଦୁଜା, ପି.ପି.ହିନ୍ଦୁଜା ଓ ଏ.ପି. ହିନ୍ଦୁଜାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି।

ପାରିବାରିକ ସମ୍ପତ୍ତି ବିବାଦ ୨୦୧୪ ମସିହାର ଏକ ପତ୍ରର ବୈଧତାକୁ ନେଇ ଉପୁଜିଥିବା ଜଣାପଡିଛି। ଆବେଦନକାରୀ ଶ୍ରୀଚନ୍ଦ ହିନ୍ଦୁଜା ତାଙ୍କ ଆବେଦନରେ ଲିଖିତ ଦଲିଲକୁ ଆଇନତଃ ଅସିଦ୍ଧ ଘୋଷଣା କରିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି। ଏହି ପତ୍ରରେ ସବୁ ଭାଇମାନେ ଜଣେ ଜଣକୁ ନିର୍ବାହକ ନିଯୁକ୍ତ କରିପାରିବେ ବୋଲି ଉଲ୍ଲେଖ ଥିବା ବେଳେ ଜଣେ ଭାଇଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି ଉପରେ ସବୁ ଭାଇଙ୍କ ଅଧିକାର ସାବ୍ୟସ୍ତ କରୁଛି। ତେବେ ଏହି ପତ୍ରକୁ ଶ୍ରୀଚନ୍ଦ ୱିଲ ଅଥବା ପାୱାର ଅଫ ଆଟର୍ଣ୍ଣି କିମ୍ବା ଅନ୍ୟ ବାଧ୍ୟକାରୀ ଦଲିଲର ମାନ୍ୟତା ନ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି।

ସେହିପରି ଏହି ପତ୍ରର ବ୍ୟବହାରିକତାକୁ ମଧ୍ୟ ରୋକିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି। ହାଇକୋର୍ଟଙ୍କ ଚାନସିରି ଡିଭିଜନ ମାମଲାର ବିଚାର କରୁଛନ୍ତି। ଦେଶର ଧନିକଙ୍କ ସୂଚୀରେ ହିନ୍ଦୁଜା ଭାଇମାନଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୬ ବିଲିୟମ ପାଣ୍ଡରୁ ବି ଅଧିକ। ଗ୍ରୁପର କାରବାର ମୁମ୍ବାଇରେ ଥିଲେ ମଧ୍ୟ ମୁଖ୍ୟ କାର୍ଯ୍ୟାଳୟ ବ୍ରିଟେନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.