ଇସଲାମିକ ଷ୍ଟଡିଜ୍ ପ୍ରବେଶ ପରୀକ୍ଷାରେ ଟପ୍ପର ହେଲେ ହିନ୍ଦୁ ଯୁବକ, ଦେଶର ପ୍ରଥମ ଅଣ-ମୁସଲିମ ଭାବେ ଏହି କୃତିତ୍ବ କଲେ ହାସଲ

Published By : Prameya-News7 Bureau | November 17, 2020 IST

ଜୟପୁର ୧୭/୧୧ : ରାଜସ୍ଥାନର ଜଣେ ଅଣ-ମୁସଲିମ ଯୁବକ ଇସଲାମିକ ଷ୍ଟଡିଜ୍ ପ୍ରବେଶ ପରୀକ୍ଷାରେ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି । ଏହି କୃତିତ୍ବ ହାସଲ କରି ଇତିହାସ ରଚିଛନ୍ତି ଶୁଭମ ନାମକ ଜଣେ ଯୁବକ । ସେ ଏହି ଗୌରବ ହାସଲ କରିବାରେ ପ୍ରଥମ ଅଣ-ମୁସଲିମ । ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଫିଲୋସୋଫୀରେ ସ୍ନାତକ ପାସ କରିଥିବା ଶୁଭମ ଧର୍ମ ବିଷୟରେ ବିସ୍ତୃତ ଭାବେ ଜାଣିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

ଶୁଭମ କହିଛନ୍ତି ଇସଲାମକୁ ନେଇ ଅନେକ ଭୁଲ ଧାରଣା ବ୍ୟାପୁଛି । କେବଳ ଏହି ଧର୍ମ ନୁହେଁ ଅନେକ ଧର୍ମକୁ ନେଇ ଏହି ଭଳିଭାବେ ଭୁଲ ଧାରଣା ବ୍ୟାପିବାରେ ଲାଗିଛି । ବିଶ୍ବର ଅନେକ ନେତା ଧର୍ମକୁ ନେଇ ବିଭିନ୍ନ ପ୍ରକାର ଅରୁଚିକର ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ତେଣୁ ଏହିସବୁ ଚିନ୍ତାଧାରାକୁ ଅଧ୍ୟୟନ କରିବା ପାଇଁ ସେ ଇସଲାମିକ ଷ୍ଟଡିଜରେ ପୋଷ୍ଟ ଗ୍ରାଜୁଏଟ କରିବା ପାଇଁ ଚିନ୍ତା କରିଥିବା କହିଛନ୍ତି ।

୨୧ ବର୍ଷୀୟ ଶୁଭମ ପ୍ରଥମେ ୟୁପିଏସସି ପରୀକ୍ଷା ପାସ କରି ସିଭିଲ ସେବାରେ ଯୋଗ ଦେବାକୁ ଚାହୁଁଥିଲେ । ସେ କହିଛନ୍ତି ୟୁପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ ଇସଲାମିକ ଷ୍ଟଡିଜ୍ ଅନେକ ସାହାଯ୍ୟ କରିବ । ଶୁଭମଙ୍କର ବାପା ଜଣେ ବ୍ୟବସାୟୀ ଏବଂ ମା ଜଣେ ଗୃହିଣୀ । ସେ କହିଛନ୍ତି ଏହି ବିଷୟରେ ଅଧ୍ୟୟନ ପାଇଁ ତାଙ୍କ ପିତାମାତା ପ୍ରୋତ୍ସାହିତ କରିଛନ୍ତି ।

ଶୁଭମଙ୍କୁ ଏବେ କାଶ୍ମୀରରେ ରହି ପଢିବାକୁ ହେବ, ତେଣୁକରି ତାଙ୍କ ସୁରକ୍ଷାକୁ ନେଇ ପିତାମାତା ଚିନ୍ତାରେ ଅଛନ୍ତି । ଶୁଭମ କହିବା ମୁତାବକ ଦେଶରେ ମୋଟ ୧୪ଟି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ମଧ୍ୟରୁ କେବଳ କାଶ୍ମରରେ ହିଁ ଇସାଲାମିକ ଷ୍ଟଡିଜର କୋର୍ସ ସଞ୍ଚାଳନ ହେଉଛି । ସେଥିପାଇଁ ତାଙ୍କୁ ସେଠାରେ ୨ ବର୍ଷ ରହିବାକୁ ପଡିବ ବୋଲି ସେ କହିଛନ୍ତି । ସେ କାଶ୍ମୀର ଯାଇଛନ୍ତି ଏବଂ ସେଠାକାର ଲୋକମାନେ ବହୁତ ବନ୍ଧୁବତ୍ସଳ ବୋଲି ଶୁଭମ କହିଛନ୍ତି । ସେହିଭଳି ଜଗତଗୁରୁ ରାମନାଥ ଆଚାର୍ଯ୍ୟ ରାଜସ୍ଥାନ ସଂସ୍କୃତ ୟୁନିଭରସିଟିରେ ଅନେକ ମୁସଲିମ ଯୁବକ ପିଏଚଡି କରୁଛନ୍ତି । ରାଜସ୍ଥାନ ୟୁନିଭରସିଟିର ଉର୍ଦ୍ଦୁ ବିଭାଗରେ ୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର ମଧ୍ୟ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.