ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ: ହିନ୍ଦୁ ବହୁଳ ଗାଁର ଏକମାତ୍ର ମୁସଲମାନ ପରିବାର ସଦସ୍ୟ ହେଲେ ଗ୍ରାମପ୍ରଧାନ

Published By : Prameya-News7 Bureau | May 10, 2021 IST

ଅଯୋଧ୍ୟା ୧୦।୫: ଉତ୍ତପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଅପ୍ରତ୍ୟାସୀତ ଫଳାଫଳ ଆସିଛି। ରାଜ୍ୟ ରାଜନୀତିର ତୃଣମୂଳ ସ୍ତରକୁ ମଜଭୁତ କରିବା ଲାଗି ଶାସକ ବିଜେପି ବିଫଳ ହୋଇଥିବା ବେଳେ ପଞ୍ଚାୟତରେ ସପା ଓ କଂଗ୍ରେସର ଉତ୍ଥାନ ହୋଇଛି। ଏଥିରେ ଅଯୋଧ୍ୟା ଜିଲ୍ଲାର ଏକ ହିନ୍ଦୁ ବହୁଳ ଗାଁରେ ଥିବା ଏକାକୀ ମୁସଲମାନ ପରିବାରର ସଦସ୍ୟ ଗ୍ରାମପ୍ରଧାନ ନିର୍ବାଚିତ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଲୋକଙ୍କୁ ନିଜ ଆଡକୁ ଭିଡିବା ଲାଗି ବିଭିନ୍ନ  ଉପାୟ ଅବଲମ୍ବନ କରିଥିଲେ। କିଏ ଅର୍ଥର ପ୍ରଲୋଭନ ଦେଇଥିଲା ତ ଆଉ କିଏ ନିର୍ବାଚନ ଜିତିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିଏ ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା କରାଇଦେବ ବୋଲି ମଧ୍ୟ କହିଥିଲା। ମୋଟ ୮ ଜଣ ପ୍ରାର୍ଥୀ ଗ୍ରାମ ପ୍ରଧାନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବେଳେ ଲୋକେ ସଚ୍ଚୋଟ, କର୍ମଠ ଓ ଶିଖିତ ମୁସଲମାନ ପ୍ରାର୍ଥୀଙ୍କୁ ନିଜର ପ୍ରଧାନ ନିର୍ବାଚିତ କରିଛନ୍ତି। 

ଅଯୋଧ୍ୟା ମବଇ ବ୍ଲକ ରଜନପୁର ପଞ୍ଚାୟତ ସରପଞ୍ଚ ଭାବେ ଅଜିମୁଦ୍ଦିନ ଖାଁ ନିର୍ବାଚିତ ହୋଇଛନ୍ତି। ଗ୍ରାମପଞ୍ଚାୟତ ସାମ୍ପ୍ରଦାୟିକ ସଦଭାବର ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ବେଳେ ଜନମତ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କରୋନା ଜନିତ ପରିସ୍ଥିତି ଯୋଗୁ ରାଜ୍ୟରେ ନବ ନିର୍ବାଚିତ ପଞ୍ଚାୟତ ଦାୟିତ୍ୱଗ୍ରହଣ ସ୍ଥଗିତ ରହିଛି। ଏହା ସହ ଜିଲ୍ଲା ପଞ୍ଚାୟତ ସଭାପତି ଓ ବ୍ଲକ ସଭାପତି ଅପ୍ରତ୍ୟକ୍ଷ ନିର୍ବାଚନ ମଧ୍ୟ ଅଟକି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.