କରୋନା ମୁକାବିଲା ମଧ୍ୟରେ ଚାଲିଲା ଧର୍ମର ଲଢେଇ, ଗୁଜୁରାଟ ହସ୍ପିଟାଲରେ ହିନ୍ଦୁ-ମୁସଲିମଙ୍କ ପାଇଁ ତିଆରି ହେଲା ଭିନ୍ନ ଓ୍ୱାର୍ଡ
15/04/2020 at 12:17 PM

ଅହମ୍ମଦାବାଦ, ୧୫|୦୪: ଭାରତରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩୦୦ ଉପରେ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ହସ୍ପିଟାଲରେ ମଧ୍ୟ ଚାପ ରହୁଛି । ଏହା ମଧ୍ୟରେ ଗୁଜୁରାତ ଅହମ୍ମଦାବାଦର ଏକ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଧାର୍ମିକ ଆଧାରରେ ରଖାଯାଇଥିବା ଘଟଣା ସାମ୍ନାକୁ ଆସିଛି ।ଏଠାରେ ହିନ୍ଦୁ ଓ ମୁସଲିମ ଆକ୍ରାନ୍ତଙ୍କ ପାଇଁ ଭିନ୍ନ ଭିନ୍ନ କୋଭିଡ-୧୯ ଓ୍ୱାର୍ଡ ତିଆରି ହୋଇଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏପରି କରାଯାଇଥିବା ଡାକ୍ତର କହିଛନ୍ତି ।
ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଅହମ୍ମଦାବାଦର ସିଭିଲ ହସ୍ପିଟାଲରେ ଏହି ଘଟଣା ଘଟିଛି । ଏଠାରେ କରୋନା ସଂକ୍ରମିତ ଓ ସନ୍ଦିଗ୍ଧଙ୍କୁ ଧର୍ମ ଆଧାରରେ ଓ୍ୱାର୍ଡ ବଣ୍ଟନ କରାଯାଇଛି । ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ପାଇଁ ୧୨୦୦ ଶଯ୍ୟା ରହିଛି । ଏହାକୁ ଏହେ ହିନ୍ଦୁ ଓ ମୁସଲିମଙ୍କ ପାଇଁ ବାଣ୍ଟିଦିଆଯାଇଛି । ଉଭୟଙ୍କୁ ୬୦୦ ଲେଖାଏଁ ଶଯ୍ୟା ଦିଆଯାଇଛି ।
ଏଠାରେ ୧୮୬ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ୧୫୦ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।ଏହା ମଧ୍ୟରୁ ୪୦ ଜଣ ମୁସଲିମ ରହିଛନ୍ତି । ଜଣେ ଆକ୍ରାନ୍ତ କହିଛନ୍ତି ଯେ, ରବିବାର ରାତିରେ ଏ-୪ ଓ୍ୱାର୍ଡର ୨୮ଜଣଙ୍କୁ ସି-୪କୁ ସ୍ଥାନାନ୍ତର କରାଯାଇଛି । ଯେଉଁମାନଙ୍କୁ ସ୍ଥାନାନ୍ତର କରାଯାଇଛି ସମସ୍ତେ ଏକ ସମୁଦାୟର ଅଟନ୍ତି । ଏନେଇ ଜଣେ କର୍ମଚାରୀ ପଚାରିବାରୁ ଉଭୟ ଧର୍ମର ଆକ୍ରାନ୍ତଙ୍କ ସୁରକ୍ଷା ପାଇଁ ଏପରି କରାଯାଇଥିବା ସେ କହିଥିଲେ ।
ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କହିବାନୁସାରେ, ଏଠାରେ କୋଭିଡ-୧୯ ହିନ୍ଦୁ-ମୁସଲିମ ଆକ୍ରାନ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଓ୍ୱାର୍ଡ ତିଆରି ହୋଇଛି । ଏହି କାମ ରାଜ୍ୟ ସରକାରଙ୍କ ଆଦେଶ ପରେ ହିଁ ହୋଇଛି ।