‘ଆମେ ଗାନ୍ଧୀଙ୍କୁ ବି ଛାଡ଼ିନଥିଲୁ’: କର୍ଣ୍ଣାଟକ ସରକାରଙ୍କୁ ଧମକାଇଥିଲେ, ହିନ୍ଦୁ ମହାସଭାର ନେତାଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | September 20, 2021 IST

ବେଙ୍ଗାଲୁରୁ ୨୦/୦୯: କର୍ଣ୍ଣାଟକ ହିନ୍ଦୁ ମହାସଭାର ରାଜ୍ୟ ସଂପାଦକ ଧର୍ମେନ୍ଦ୍ରଙ୍କୁ ସୋମବାର ଗିରଫ କରିଛି ପୋଲିସ। ଦୁଇ ଦିନ ପୂର୍ବରୁ ମନ୍ଦିର ଭାଙ୍ଗିବାକୁ ନେଇ ସେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ସମେତ ବିଜେପି ସରକାରକୁ ଧମକ ଦେଇଥିଲେ। ଯଦି ରାଜ୍ୟରେ ମନ୍ଦିର ଭଙ୍ଗା ଅଭିଯାନ ଜାରି ରହେ ତେବେ ହିନ୍ଦୁ ମହାସଭା ବିଜେପି ସରକାରକୁ ଛାଡ଼ିବ ନାହିଁ ବୋଲି ଶନିବାର ସାମ୍ବାଦିକ ସମ୍ମଳନୀରେ କହିଥିଲେ ଧର୍ମେନ୍ଦ୍ର ।

ସିଏମ, ପୂର୍ବତନ ସିଏମ ଏବଂ ମନ୍ତ୍ରୀଙ୍କ ନାଁ ନେଇଥିଲେ

ସାମ୍ବାଦିକ ସମ୍ମଳନୀରେ ଧର୍ମେନ୍ଦ୍ର ଏମିତି ମଧ୍ୟ କହିଦେଇଥିଲେ ଯେ, ଆମେ ହିନ୍ଦୁଙ୍କ ରକ୍ଷା ପାଇଁ ଗାନ୍ଧୀଙ୍କୁ ବି ଛାଡ଼ିନଥିଲୁ। ତୁମେ ମାନେ ଆମ ପାଇଁ କଣ ହୋଇଗଲ କି ? ଆମେ ତୁମମାନଙ୍କୁ ଛାଡ଼ିବୁ ନାହିଁ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ବୋମ୍ମଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଏବଂ ମନ୍ତ୍ରୀ ଶଶିକଳା ଜୋଲେଙ୍କ ନାଁ ନେଇଥିଲେ। ଧର୍ମେନ୍ଦ୍ର କହିଥିଲେ, ସଂଘ ପରିବାର ସହ ଜଡ଼ିତ ସଙ୍ଗଠନ ଉପରେ ଦୟା ଆସୁଛି । ଯଦି ସେମାନେ ମନ୍ଦିର ଭାଙ୍ଗିବାକୁ ବିରୋଧ କରୁଛନ୍ତି ତେବେ ସେମାନେ ଆଗାମୀ ନିର୍ବାଚନ​ରେ ବିଜେପିକୁ ହରାଇଦେବା ଦରକାର। ସେମାନଙ୍କୁ ହିନ୍ଦୁ ମହାସଭାକୁ ସମର୍ଥନ ଦେବା ଦରକାର ଯାହାକି ହିନ୍ଦୁତ୍ବର ପାର୍ଟି ।

ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଧର୍ମେନ୍ଦ୍ରଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ମହାସଭାର ନେତା ରାଜେଶ ପବିତ୍ରଣ, ପ୍ରେମ, ସନ୍ଦୀପ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ପଚରା ଉଚରା କରିବ ପୋଲିସ। ଏହା ପୂର୍ବରୁ ଧର୍ମେନ୍ଦ୍ରଙ୍କ ବିରୋଧରେ ହିନ୍ଦୁ ମହାସଭା ଅଧ୍ୟକ୍ଷ ଏତଲା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.